ଓଡ଼ିଶାକୁ କେତେ ଶ୍ରମିକ ଦାଦନ ଖଟିବାକୁ ଯାଉଛନ୍ତି, ତାହାର ତାଲିକା କାହା ପାଖରେ ନ ଥିଲା। ନା ସରକାରୀ ନା ବେସରକାରୀ ସ୍ତରରେ ଏହି ତଥ୍ୟ ଥିଲା। କିନ୍ତୁ କରୋନା ରାଜ୍ୟର ଏକ ବିକଳ ଚିତ୍ରକୁ ସାମ୍ନାକୁ ଆଣିଥିଲା। କରୋନା ଜନିତ ଲକ୍ଡାଉନ୍ ପରେ ଶ୍ରମିକମାନେ ଘର ମୁହାଁ ହୋଇଥିଲେ। ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ଟ୍ରେନ୍ ଓ ବସ୍ ଯୋଗେ ଫେରାଇ ଅଣାଯାଇଥିଲା ରାଜ୍ୟକୁ। ପାଖାପାଖି ୧୦ ଲକ୍ଷ ପ୍ରବାସୀ ଶ୍ରମିକ ରାଜ୍ୟ ବାହାରେ କାମ କରୁଥିବା ଜଣାପଡ଼ିଲା। ଏହି ତଥ୍ୟ ରାଜନେତା, ବୁଦ୍ଧିଜୀବୀ, ସାଧାରଣସେବୀଙ୍କ ଠାରୁ ଆରମ୍ଭକରି ସଚେତନ ନାଗରିକଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ଚକିତ କରିଦେଇଥିଲା। ସେମାନଙ୍କ ଦକ୍ଷତା ଅନୁଯାୟୀ ରାଜ୍ୟରେ କର୍ମନିଯୁକ୍ତି ସୁଯୋଗ ସୃଷ୍ଟି କରିବାକୁ ଦାବି ଉଠିଲା। ତେବେ କରୋନାର ପ୍ରକୋପ କମିଗଲା ପରେ ଶ୍ରମିକମାନଙ୍କ ମଧ୍ୟରୁ ସଂଖ୍ୟାଧିକ ପୁଣି ଫେରିଗଲେ।
Sambad is now on WhatsApp
Join and get latest news updates delivered to you via WhatsApp
ବିଗିଡ଼ିଗଲା ଅର୍ଥନୀତି
ଗତ କିଛି ବର୍ଷ ହେଲା ରାଜ୍ୟ ଅର୍ଥନୀତିର ସ୍ବାସ୍ଥ୍ୟ ବେଶ୍ ଉଲ୍ଲେଖନୀୟ ଥିଲା। ବଳକା ରାଜ୍ୟ ଥିଲା ଓଡ଼ିଶା। ନିୟମିତ ବ୍ୟବଧାନରେ ପ୍ରାକୃତିକ ବିପର୍ଯ୍ୟୟ ରାଜ୍ୟର କ୍ଷତି କରୁଥିଲେ ବି ଅର୍ଥନୀତି ସେତେଟା ପ୍ରଭାବିତ ହେଉ ନ ଥିଲା। କିନ୍ତୁ ୨୦୨୦ରେ କରୋନା ମାଡ଼ରେ ଅର୍ଥନୀତି ସମ୍ପୂର୍ଣ୍ଣ ବିଗିଡ଼ିଗଲା। ରାଜସ୍ବ ଆଦାୟ ଆଶାତୀତ ଭାବେ ହ୍ରାସ ପାଇଲା। କୌଣସି ବଡ଼ ଧରଣର ଯୋଜନା କରିବାକୁ ସରକାରଙ୍କ ସାହସ ପାଇଲା ନାହିଁ। ବିଭିନ୍ନ ବିଭାଗରେ ଖର୍ଚ୍ଚକାଟ ପାଇଁ କଟକଣା ଜାରି ହେଲା। ନୂଆ ନିଯୁକ୍ତି ଉପରେ ରୋକ୍ ଲାଗିଲା। ବର୍ଷ ଶେଷ ଆଡ଼କୁ ଅର୍ଥନୀତିରେ କିଛିଟା ସୁଧାର ଆସିଲା। କିନ୍ତୁ ସମ୍ପୂର୍ଣ୍ଣ ସ୍ବାଭାବିକ ହୋଇ ପାରିନ ଥିଲା।
ପୁଣି ଡରାଇଲା ବାତ୍ୟା, ବନ୍ୟା
ବାତ୍ୟା, ବନ୍ୟା ଯେମିତି ଓଡ଼ିଶାର ଚିର ସହଚର ପାଲଟିଯାଇଛି। କରୋନାରେ ଲୋକମାନେ କଲବଲ ହେଉଥିଲା ବେଳେ ବାତ୍ୟା ‘ଅମ୍ଫାନ୍’ ଓ ପରେ ପରେ ବନ୍ୟା ଓଡ଼ିଶାକୁ ଡରାଇଲା। ବାତ୍ୟାରେ ପଶ୍ଚିମବଙ୍ଗ ପରି ଏଠାରେ ବ୍ୟାପକ କ୍ଷୟକ୍ଷତି ନ କରିଥିଲେ ବି କିଛି ସ୍ଥାନରେ ତାହାର ପ୍ରକୋପ ଦେଖିବାକୁ ମିଳିଲା। କାହାର ଘର ଭାଙ୍ଗିଲା ତ କେଉଁଠି ଜୀବିକା ଉଜୁଡ଼ିଗଲା। ସମୁଦ୍ର ଉପକୂଳରେ ବହୁ ଲୋକ କ୍ଷତିଗ୍ରସ୍ତ ହେଲେ। ରାଜ୍ୟ ସରକାରଙ୍କ ଠିକଣା ସମୟରେ ମୁକାବିଲା ବହୁ ଧନ, ଜୀବନ ବଞ୍ଚାଇଦେଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶା ଆସି ଆକାଶମାର୍ଗରେ ବାତ୍ୟାଞ୍ଚଳ ଅନୁଧ୍ୟାନ କଲେ ଓ ମୁଖ୍ୟମନ୍ତ୍ରୀଙ୍କ ସହ ବିମାନବନ୍ଦରରେ ସମୀକ୍ଷା କଲେ। ବାତ୍ୟାର କିଛି ଦିନ ପରେ ପୁଣି ପ୍ରଳୟଙ୍କାରୀ ବନ୍ୟା ରାଜ୍ୟବାସୀଙ୍କୁ ବିବ୍ରତ କରିଦେଲା। ବହୁ ଅଞ୍ଚଳରେ ଜଳମଗ୍ନ ହୋଇ ଧନ, ଜୀବନ ବ୍ୟାପକ କ୍ଷତି ହେଲା।
ଦୂରେଇ ଦେଲେ ଜନପ୍ରତିନିଧିଙ୍କୁ
ଓଡ଼ିଶାରେ କୋଭିଡ୍ ସଂକ୍ରମଣ ଆରମ୍ଭ ହେଲା ପରେ ତାହାର ମୁକାବିଲା ପାଇଁ ସରକାର ବହୁ ପଦକ୍ଷେପ େନଇଥିଲେ। କିନ୍ତୁ ଏହି ପ୍ରକ୍ରିୟାରେ ଜନପ୍ରତିନିଧିମାନଙ୍କୁ ସାମିଲ କରାଯାଇ ନ ଥିଲା। ଏହାକୁ ନେଇ ଶାସକ ଦଳରେ ଅସନ୍ତୋଷ ମଧ୍ୟ ସୃଷ୍ଟି ହୋଇଥିଲା। ଲୋକଙ୍କ ସମସ୍ୟାକୁ ପ୍ରତିନିଧିମାନେ ପ୍ରଶାସନକୁ ଜଣାଇଲେ ବି ତତ୍କ୍ଷଣାତ୍ ପଦକ୍ଷେପ ନିଆଯାଉ ନ ଥିବାର ଅଭିଯୋଗ ଉଠିଲା। ସବୁ ଦଳର ବିଧାୟକମାନେ ଏହାକୁ ନେଇ ଉଦ୍ବେଗ ପ୍ରକାଶ କରିଥିଲେ। ଅବଶ୍ୟ ପରବର୍ତ୍ତୀ ସମୟେର ସରପଞ୍ଚମାନଙ୍କୁ କୋଭିଡ୍ ମୁକାବିଲାରେ ଜିଲ୍ଲାପାଳ କ୍ଷମତା ପ୍ରଦାନ କରାଯାଇଥିଲା। କିନ୍ତୁ ସାଂସଦ ଓ ବିଧାୟକମାନଙ୍କୁ ଦୂରରେ ରଖାଯାଇଥିବାରୁ ସାଧାରଣରେ ଏହା ସହଜରେ ଗ୍ରହଣୀୟ ହୋଇପାରି ନ ଥିଲା।
ବିବାଦରେ ମନ୍ତ୍ରୀ
ଏ ବର୍ଷ ବିବାଦରୁୁ ମୁକ୍ତ ହୋଇ ନାହାନ୍ତି ସରକାର। ତିନି ଜଣ ବରିଷ୍ଠ ମନ୍ତ୍ରୀଙ୍କ ନାଁରେ ବିଭିନ୍ନ ସମୟରେ ଅଭିଯୋଗ ଆସିଛି। ସ୍ବାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସଙ୍କ ପୁଅକୁ ଇଡ୍କୋ ଅନୁକମ୍ପା ଦେଖାଇ ଜମି ଦେଇଛି ବୋଲି ଅଭିଯୋଗ ଆସିଥିଲା। ଝିଅ ପାଇଁ ବିବାଦକୁ ଆସିଥିଲେ ମନ୍ତ୍ରୀ। ସମବାୟ ସଂସ୍ଥାରୁ ସାଧାରଣ ଲୋକଙ୍କ ନାଁରେ ଋଣ ଉଠାଯିବା ମାମଲାରେ ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ଭାଇଙ୍କ ସଂପୃକ୍ତି ନେଇ ଅଭିଯୋଗ ଉଠିଥିଲା। ଏହି ଘଟଣାରେ ଚାଷୀମାନେ ବିଧାନସଭା ଆଗରେ ଆତ୍ମାହୁତି ଉଦ୍ୟମ କରିଥିଲେ। ସେହିପରି ନୟାଗଡ଼ର ଯଦୁପୁର ଗାଁର ବହୁଚର୍ଚ୍ଚିତ ପରୀ ହତ୍ୟାକାଣ୍ଡରେ ଅଭିଯୁକ୍ତଙ୍କୁ ସୁରକ୍ଷା ଦେଉଥିବାର ଅଭିଯୋଗ ଆସିଥିଲା କୃଷି ମନ୍ତ୍ରୀ ଅରୁଣ ସାହୁଙ୍କ ନାମରେ। ପରୀର ବାପା, ମା’ ଏହି ଅଭିଯୋଗ ଆଣି ବିଧାନସଭା ଆଗରେ ଆତ୍ମାହୁତି ଉଦ୍ୟମ କଲା ପରେ ଏହାକୁ ନେଇ ରାଜନୀତି ଜୋର୍ ଧରିଥିଲା।