ଓଡ଼ିଶା ଉପରେ ଆତଙ୍କବାଦୀ ଆଖି : ରାଜ୍ୟର ପ୍ରଥମ ଆତଙ୍କବାଦୀ କଟକର ଅବଦୁର ରହେମାନ୍

୨୦୧୮ରେ ଦିଲ୍ଲୀରେ ଧରା ପଡିଥିଲା କେନ୍ଦ୍ରାପଡାର ହବିବୁର୍ ରହେମାନ୍
୨୦୧୭ରେ କିଶନନଗରର ଅଖତର ହୁସେନଙ୍କୁ ସନ୍ଦେହରେ ଜେରା

କଟକରେ ରେହମାନ ହେଉ କି ରାଉରକେଲାରେ ସିମି ଆତଙ୍କବାଦୀ। ବାଲେଶ୍ବରର ସମ୍ବେଦନଶୀଳ ଆଇଟିଆର୍‌ରେ ଗୁପ୍ତଚର ବୃତ୍ତି। ପୁଣି ଆଜି ରାଜଧାନୀରେ ଏନ୍‌ଆଇଏର ତନାଘନା। ଏହାକୁ ନେଇ ଲୋକଙ୍କ ଭିତରେ ଭୟ ବଢ଼ିଲାଣି। କାଁ ଭାଁ ଅଘଟଣ କହି କେହି ଏହାକୁ ଏଡ଼ାଇ ଯିବା ଉଚିତ୍ ନୁହେଁ ବୋଲି ବିଶେଷଜ୍ଞ ବି ମତ ରଖୁଛନ୍ତି। ଅନ୍ୟପଟରେ ଶାନ୍ତିପ୍ରିୟ ଓଡ଼ିଶାରେ ଆତଙ୍କବାଦୀଙ୍କ ଲିଙ୍କ୍‌ ଗୁଇନ୍ଦା ବ୍ୟବସ୍ଥାର ଥିବା ଛିଦ୍ରକୁ ପଦାକୁ ଆଣିଛି। କେଉଁଠି ନା କେଉଁଠି ସଙ୍କେତ ମିଳୁଛି ଯେ ଆତଙ୍କବାଦୀଙ୍କ ଆଖିରେ ଓଡ଼ିଶା ରହିଛି….

କଟକ : ରାଜ୍ୟର ପ୍ରଥମ ଆତଙ୍କବାଦୀ ଭାବେ ଚର୍ଚ୍ଚାକୁ ଆସିଥିଲା କଟକ ଜଗତପୁର ପଶ୍ଚିମକଚ୍ଛ ଅଞ୍ଚଳର ଅବଦୁର ରହେମାନ। ଅଲ୍‌-କଏଦା ଆତଙ୍କବାଦୀ ସ˚ଗଠନର ସଦସ୍ୟ କୁହାଯାଉଥିବା ଅବଦୁର ରହେମାନକୁ ଦିଲ୍ଲୀ ପୁଲିସର ସ୍ବତନ୍ତ୍ର ସେଲ୍ ପୁଲିସ ଜଗତପୁର ପଶ୍ଚିମକଚ୍ଛରୁ ଗିରଫ କରିବା ପରେ ଏହା ସାରା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା। ୨୦୧୫, ଡିସେମ୍ବର ୧୫ ତାରିଖ ରାତିରେ ରହେମାନ୍‌କୁ ଦିଲ୍ଲୀ ପୁଲିସ ଗିରଫ କରିଥିଲା। ପରେ ତାକୁ ଓଡ଼ିଶା କ୍ରାଇମ୍‌ବ୍ରାଞ୍ଚ ରିମାଣ୍ତରେ ଆଣି ଅଧିକ ତଥ୍ୟ ହାସଲ କରିଥିଲା। କଟକ ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ ବିଲ୍‌ତେରୁଆଁରେ ରହେମାନା ଦ୍ବାରା ପରିଚାଳିତ ଜାମିଆତୁଲ ହାର୍ମେଇ ମଦ୍ରାସାରେ ୫ରୁ ୧୪ ବର୍ଷ ମଧ୍ୟରେ ଓଡ଼ିଶାର ୫ ଜଣ ଓ ଝାଡ଼ଖଣ୍ତର ୮୦ ଜଣ ପିଲାଙ୍କୁ ଆତଙ୍କବାଦୀ ପାଠ ପଢ଼ାଯାଉଥିବା ପ୍ରମାଣ ମିଳିଥିଲା। ଏହି ମଦ୍ରାସାରେ ପିଲାଙ୍କୁ ବନ୍ଧୁକ ଚାଳନା କୌଶଳ ଶିଖାଯାଉଥିଲା। ପ୍ରତିଦିନ ପିଲାଙ୍କୁ ମହାନଦୀ ପଠାରେ ବନ୍ଧୁକ ଫୁଟାଇବା ତାଲିମ ଦିଆଯାଉଥିଲା। ମଦ୍ରାସାରେ ୪ ଜଣ ହାପିଜ୍ ଏବଂ ୨ ଜଣ ମୌଲବୀ ଏଭଳି ବନ୍ଧୁକ ଫୁଟାଇବା କୌଶଳ ଶିଖାଉଥିବା ପୁଲିସ ସୂଚନା ଦେଇଥିଲା। ଜେହାଦି ତାଲିମ ପାଇଁ ଅବଦୁର ରହେମାନ ପାକିସ୍ତାନକୁ ଲୋକ ପଠାଉଥିବା ତଥ୍ୟ ବି ସାମନାକୁ ଆସିଥିଲା। ଲଣ୍ତନ ଓ ଅନ୍ୟ ଦେଶରୁ ତା ନିକଟକୁ ପାଣ୍ଠି ଆସୁଥିଲା। ଦୁବାଇ ଦେଇ ସେ ନିଜେ ପାକିସ୍ତାନ ଯାଇଥିଲା। ସେ ବୁକ୍‌ କରିଥିବା ଏମିରେଟସ୍‌ ଏୟାରଲାଇନ୍ସର ଟିକଟ ମିଳିଥିବା ବେଳେ ତାର ପାସପୋର୍ଟରେ କିନ୍ତୁ ପାକିସ୍ତାନ ଯିବା ସ˚ପର୍କରେ କିଛି ଉଲ୍ଲେଖ ନଥି‌ଲା। ଏଥିରୁ ସ୍ପଷ୍ଟ ହୋଇଥିଲା ଯେ ରହେମାନ ଲୁଚି ଛପି ପାକିସ୍ତାନ ଯାଇଥିଲା। ଲଣ୍ତନ ଗ୍ଲାସ୍‌ଗୋ ଆତଙ୍କବାଦୀ ଆକ୍ରମଣରେ ସ˚ପୃକ୍ତ ଅଭିଯୁକ୍ତର ଭାଇ ସହିତ ରହେମାନର ସ˚ପର୍କ ଥିଲା ବୋଲି ମଧୢ ତଦନ୍ତରୁ ପ୍ରମାଣ ମିଳିଥିବା ଦର୍ଶାଯାଇଥିଲା। ରହେମାନକୁ ଦିଲ୍ଲୀ ସ୍ବତନ୍ତ୍ର ସେଲ୍ ଗିରଫ କରିବା ପରେ ଆନ୍ଧ୍ରପ୍ରଦେଶ, ଉତ୍ତରପ୍ରଦେଶ, ମହାରାଷ୍ଟ୍ର ସମେତ ଅନ୍ୟ ରାଜ୍ୟର ପୁଲିସ୍‌‌ ତାକୁ ଜେରା କରି ତଥ୍ୟ ହାସଲ କରିଥିଲେ। ରହେମାନର ଓଡିଶା ଲିଙ୍କ୍‌ ସମ୍ପର୍କରେ ଖୋଳତାଡ ପାଇଁ କ୍ରାଇମ୍‌ବ୍ରାଞ୍ଚ ଦୁଇଟି ପର୍ଯ୍ୟାୟରେ ୧୭ ଦିନ ରିଣାଣ୍ଡରେ ଆଣି ଜେରା କରିଥିଲା। ଅବଦୁର୍‌ ରହେମାନ୍‌ ୫ଜଣ ଆତଙ୍କବାଦୀଙ୍କୁ କଟକର ଲାଲବାଗ ଥାନା ଓଡ଼ିଆବଜାର ମସ୍‌ଜିଦ ଛକ, କୁଜଙ୍ଗ, କେନ୍ଦ୍ରାପଡ଼ାରେ ଭଡ଼ାଘର ନେଇ ରଖିଥିଲା।

ପରେ କଟକ କିଶନନଗରର ଅଖ୍‌ତର ହୁସେନ୍‌, କେନ୍ଦ୍ରାପଡାର ଲସ୍କର-ଏ-ତୋଏବା ସହଯୋଗୀ ହବିବୁର ରହେମାନ୍‌ ଧରା ପଡିଥିଲେ। ୨୦୧୭, ଅକ୍ଟୋବର ୨୯ ତାରିଖରେ ଏନ୍‌ଆଇଏ ଓ ଗୁଇନ୍ଦା ବିଭାଗ ପକ୍ଷରୁ କିଶନନଗର ସାମନ୍ତରାପୁର ଅଞ୍ଚଳର ବାସିନ୍ଦା ଅଖ୍‌ତାର ହୁସେନ୍‌କୁ ଅଟକ ରଖି ଜେରା କରିଥିଲା। ସେ ସାଉଦି ଆରବରେ ରହୁଥିବା ସମୟରେ କିଛି ଆତଙ୍କବାଦୀ ଗୋଷ୍ଠୀଙ୍କ ସହିତ ଫୋନ୍‌ରେ କଥାବାର୍ତ୍ତା ହୋଇଥିବା ସୂଚନା ମିଳିଥିଲା। କିନ୍ତୁ ପରେ ତାଙ୍କ ବିରୋଧରେ ବଳିଷ୍ଠ ପ୍ରମାଣ ନମିଳିବାରୁ ତାଙ୍କୁ ଛାଡ଼ି ଦିଆଯାଇଥିଲା।

୨୦୧୮, ଅଗଷ୍ଟ ୫ ତାରିଖର କେନ୍ଦ୍ରାପଡ଼ାର ଆତଙ୍କବାଦୀ ସଂଗଠନ ଲସ୍କର-ଇ-ତୋଏବା ସଂଗଠନ ସହ ସଂପୃକ୍ତି ସନ୍ଦେହରେ କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ଥାନା ତେଣ୍ଡାକୁଡ଼ା ପଞ୍ଚାୟତ ମିର୍‌ମହଲାର ବାସିନ୍ଦା‌ ହବିବୁର୍ ରହେମାନ୍ ଓରଫ ହବିବକୁ ଏନଆଇଏ ନୂଆଦିଲ୍ଲୀ ବିମାନ ବନ୍ଦରରୁ ଗିରଫ କରିଥିଲା। ହବିବୁର‌୍‌ ଲସ୍କର-ଏ-ତୋଏବା ଆତଙ୍କବାଦୀ ସ˚ଗଠନର ସଦସ୍ୟ ଶେଖ ଅବ୍‌ଦୁଲ ନଇମ୍‌ ଓରଫ ନୋମିର ଘନିଷ୍ଠ ସହଯୋଗୀ ଥିଲା। ନୋମିକୁ କଟକ ସହରର ନିର୍ଦ୍ଦିଷ୍ଟ ଏକ ସଂଖ୍ୟାଲଘୁ ବସ୍ତିରେ ହବିବୁର୍‌ ଆଶ୍ରୟ ଦେବା ମୋବାଇଲ୍‌ ଫୋନ୍‌, ସିମ୍‌କାର୍ଡ ଓ ଆବଶ୍ୟକ ମୁତାବକ ଟଙ୍କା ଯୋଗାଇଥିଲା। ନଇମ୍‌ ୨୦୦୭ରେ ପାକିସ୍ତାନର ଦୁଇ ଜଣ ଏବ˚ କାଶ୍ମୀରର ଜଣେ ଅତଙ୍କବାଦୀଙ୍କୁ ବାଂଲାଦେଶ ସୀମାରେ ଭାରତକୁ ପ୍ରବେଶ କରାଇବା ଅଭିଯୋଗରେ ଏନ୍‌ଆଇଏ ଦ୍ବାରା ଗିରଫ ହୋଇଥିଲା। କିନ୍ତୁ ୨୦୧୪ ଅଗଷ୍ଟରେ କଲିକତାରୁ ମହାରାଷ୍ଟ୍ର କୋର୍ଟରେ ହାଜିରା ପାଇଁ ନିଆଯାଉଥିବା ବେଳେ ସେ ଚମ୍ପଟ୍‌ ମାରିଥିଲା। ନଇମ୍‌ ଦ୍ବିତୀୟ ଥର ପାଇଁ ୨୦୧୭ ନଭେମ୍ବରରେ ଗିରଫ ହେବା ପରେ ତାକୁ ମିଶାଇ ୧୦ ଜଣଙ୍କ ବିରୋଧରେ ଚାର୍ଜସିଟ୍‌ ଦାଖଲ ହୋଇଥିଲା। ଏଥିରେ କେନ୍ଦ୍ରାପଡ଼ାର ଆତଙ୍କବାଦୀ ହବିବୁର‌୍‌ର ନାମ ଥିଲା। ହବିବୁର‌୍‌ର ଘର କେନ୍ଦ୍ରାପଡ଼ା ହୋଇଥିବା ବେଳେ ସାଉଦି ଆରବ୍‌ର ରିୟାଦ୍‌ରେ ଆଡ଼ା ଜମାଇଥିଲା। ପାକିସ୍ତାନୀ ଆତଙ୍କବାଦୀ ଅମ୍‌ଜାଦ୍‌ ଓରଫ ରେହେନର ନିର୍ଦ୍ଦେଶ ଅନୁଯାୟୀ, ଆତଙ୍କବାଦୀ କାର୍ଯ୍ୟକଳାପର ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ହବିବୁର‌୍‌ ସମ୍ଭାଳିଥିବା କୁହାଯାଏ। ସେ ଜମ୍ମୁ-କଶ୍ମୀର, ହିମାଚଳ ପ୍ରଦେଶ, ଚଣ୍ତୀଗଡ଼ ଅଞ୍ଚଳରେ ଆତଙ୍କବାଦୀଙ୍କୁ ରହିବା ପାଇଁ ଘର ଯୋଗାଇବା ଏବଂ ଲୁଚାଇବାରେ ସହଯୋଗ କରୁଥିଲା। ତା ବିରୋଧରେ ଦିଲ୍ଲୀର ଏନ୍‌ଆଇଏ ସ୍ବତନ୍ତ୍ର ଅଦାଲତରୁ ଜାମିନବିହୀନ ଗିରଫ ପରଵାନା ଜାରି ହୋଇଥିଲା। ସେ ରିୟାଦ୍‌ରୁ ଏକ ବିମାନରେ ଦିଲ୍ଲୀ ଆସୁଥିବା ଖବର ପାଇ ତାକୁ ଗିରଫ କରାଯାଇଥିଲା।

ସମ୍ବନ୍ଧିତ ଖବର