ଅଙ୍ଗାରକାମ୍ଳ ପରି ବିଷାକ୍ତ ପ୍ରଦୂଷଣକାରୀ ବାଷ୍ପର ନିର୍ଗମନ ହ୍ରାସ କରିବା ଏବେ ସାରା ବିଶ୍ବ ପାଇଁ ପ୍ରମୁଖ ପ୍ରସଙ୍ଗ ପାଲଟିଛି। ଏହି କ୍ରମରେ ଆମେରିକାର ଏକ କପଡ଼ା ଷ୍ଟାର୍ଟଅପ୍‌ ଅଙ୍ଗାରକାମ୍ଳ ବାଷ୍ପ ସହ ଲଢ଼ିବା ପାଇଁ ଏକ ଅଭିନବ ଉପାୟ ବାହାର କରିଛି। ୨୦୨୧ରେ ଯମଜ ଭଉଣୀ ନୀକା ଓ ମଶୌଫ୍‌ଙ୍କ ଦ୍ବାରା ଆମେରିକାରେ ସ୍ଥାପିତ ‘ରୁବି ଲାବରାଟୋରିଜ୍‌’ ନାମକ ଏହି ଷ୍ଟାଟ୍‌ଅପ୍‌ ଅଭିନବ ଜ୍ଞାନକୌଶଳ ପ୍ରୟୋଗ କରି ଅଙ୍ଗାର-ନେଗେଟିଭ୍‌ ବସ୍ତ୍ର ପ୍ରସ୍ତୁତ କରୁଛି। ୧୯୮୦ ଦଶକରେ ସେମାନଙ୍କ ପରିବାର ଇରାନରୁ ଯାଇ ଉତ୍ତର କାଲିଫର୍ଣ୍ଣିଆର ଉପକୂଳସ୍ଥ ପୁରୁଣା ରେଡ୍-ଉଡ୍‌ ଜଙ୍ଗଲରେ ଥଇଥାନ ହୋଇଥିଲେ। ବୃକ୍ଷ ଓ ପ୍ରକୃତି ପ୍ରେମରେ ପଡ଼ିଥିବା ଏହି ଭଗ୍ନୀଦ୍ବୟ ୧୫ ବର୍ଷ ବୟସରୁ ବୈଜ୍ଞାନିକ ଗବେଷଣା ଆରମ୍ଭ କରିଥିଲେ।

Advertisment

ସେମାନଙ୍କର ପାରିବାରିକ ବ୍ୟବସାୟ ‘ବେବ୍‌’ ଷ୍ଟୋର ମାଧ୍ୟମରେ ସେମାନେ ଫ୍ୟାସନର କଳାତ୍ମକ ଦୁନିଆକୁ ଚିହ୍ନି ପାରିଥିଲେ। ସେମାନେ ପ୍ରଥମେ ବିଭିନ୍ନ ବ୍ୟବସାୟୀ, ରୂପକାର, ଉତ୍ପାଦକ ବିଶେଷଜ୍ଞ ଓ ବସ୍ତ୍ର ନିର୍ମାତାଙ୍କ ଠାରୁ ଶିକ୍ଷା ଲାଭ କରିଥିଲେ। ଏହା ସେମାନଙ୍କୁ ବିଜ୍ଞାନ ଓ ଉଦ୍ଭାବନକୁ ଉପଯୋଗ କରି ଆମର ଜଳବାୟୁ, କୃଷିଜମି ଓ ଜୈବ ବିବଧତାକୁ ନଷ୍ଟ କରୁଥିବା ଶିଳ୍ପ ବିରୋଧରେ ପଦକ୍ଷେପ ନେବାକୁ ଉତ୍‌ପ୍ରେରିତ କରିଥିଲା। ‘ରୁବି’ର ଏକ ସ୍ବତନ୍ତ୍ର ପ୍ରକ୍ରିୟାରେ ଆବର୍ଜନାରୁ ଅଙ୍ଗାରକାମ୍ଳ ଶୋଷିହୋଇ ସେଲୁଲୋଜ୍‌ ମଣ୍ଡରେ ପରିଣତ ହେଉଛି, ଯାହା ବସ୍ତ୍ର ନିର୍ମାଣ ପାଇଁ ସୂତା ବା ତନ୍ତୁ ତିଆରିରେ ବ୍ୟବହୃତ ହୋଇପାରିବ।

publive-image

ଉଲ୍ଲେଖଯୋଗ୍ୟ, ବସ୍ତ୍ର ତିଆରି ପାଇଁ ଉଦ୍ଦିଷ୍ଟ ଭିସ୍‌କୋଜ୍ ବା ରେୟନ ନାମକ ଉପାଦାନ କାଠ ମଣ୍ଡରୁ ମିଳିଥାଏ। ଏଥିପାଇଁ ଗଛ କାଟିବାକୁ ପଡ଼ିଥାଏ। ମାତ୍ର ‘ରୁବି’ର ଅଭିନବ କୌଶଳରେ ଗଛର କୌଣସି କ୍ଷତି ନ କରି ଶତ ପ୍ରତିଶତ ଅଙ୍ଗାର ନିର୍ଗମନ ଉପଯୋଗରେ ବସ୍ତ୍ର ପ୍ରସ୍ତୁତ ହୋଇପାରୁଛି। ବର୍ତ୍ତମାନ ଏକ କେଜି ଭିସ୍‌କୋଜ୍‌ ପ୍ରସ୍ତୁତିରେ ୧୦ କେଜି ଅଙ୍ଗାରକାମ୍ଳ ନିର୍ଗମନ ହେଉଥିବା ବେଳେ ‘ରୁବି’ର ବସ୍ତ୍ର ଉତ୍ପାଦନ ଦ୍ବାରା ଅଙ୍ଗାରକାମ୍ଳ ହ୍ରାସ ପାଉଛି।