ଜେଲ୍‌ରେ ଥାଇ ନିର୍ବାଚନରେ ବିଜୟୀ

ଭାରତୀୟ ଦଣ୍ଡ ସଂହିତା ଅନୁସାରେ ଅପରାଧ ପ୍ରମାଣିତ ହୋଇ ଦଣ୍ଡାଦେଶ ନହେବା ପର୍ଯ୍ୟନ୍ତ କୌଣସି ଅଭିଯୁକ୍ତଙ୍କୁ ଅପରାଧୀ ବୋଲି କୁହାଯାଇପାରିବ ନାହିଁ। ଏଭଳି ବ୍ୟକ୍ତି ନିର୍ବାଚନ ଲଢ଼ିବାରେ ମଧ୍ୟ ବାରଣ ନାହିଁ। ବିଭିନ୍ନ ଅପରାଧିକ ମାମଲାରେ ଅଭିଯୁକ୍ତ ହୋଇଥିବା ନେତାମାନେ ଜେଲ୍‌ରେ ଥାଇ ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରିଛନ୍ତି ଏବଂ ଜିତିଛନ୍ତି ମଧ୍ୟ। ଏଭଳି ଅନେକ ଉଦାହରଣ ରହିଛି।

ଜର୍ଜ ଫର୍ଣ୍ଣାଣ୍ଡିସ୍
କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ଓ ରେଳ ମନ୍ତ୍ରୀ ଭଳି ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ନିର୍ବାହ କରିଥିବା ବିଶିଷ୍ଟ ଟ୍ରେଡ୍ ୟୁନିୟନ୍ ନେତା ଜର୍ଜ ଫର୍ଣ୍ଣାଣ୍ଡିସ୍ ଜରୁରୀ ପରିସ୍ଥିତି ସମୟରେ ‘ବରୋଦା ଡିନାମାଇଟ୍‌ କେସ୍‌’ରେ ଅଭିଯୁକ୍ତ ହୋଇ ଜେଲ୍‌ରେ ଥିଲେ। ଜରୁରୀ ପରିସ୍ଥିତି ହଟିବା ପରେ ୧୯୭୭‌ ଲୋକସଭା ନିର୍ବାଚନରେ ସେ ତିହାର ଜେଲ୍‌ରେ ଥାଇ ବିହାରର ମୁଜାଫରପୁର ଆସନରୁ ଜନତା ଦଳ ଟିକେଟ୍‌ରେ ପ୍ରାର୍ଥୀ ହୋଇଥିଲେ ଏବଂ ଗୋଟିଏ ଦିନ ମଧ୍ୟ ନିର୍ବାଚନ ପ୍ରଚାରକୁ ନ ଆସି ୩ ଲକ୍ଷ ୩୪ ହଜାରରୁ ଅଧିକ ଭୋଟ୍‌ ବ୍ୟବଧାନରେ ଜୟଯୁକ୍ତ ହୋଇଥିଲେ।

ଲାଲୁପ୍ରସାଦ ଯାଦବ
ଦୁଇଥର ବିହାରର ମୁଖ୍ୟମନ୍ତ୍ରୀ ରହିଥିବା ଲାଲୁପ୍ରସାଦ ଯାଦବ କେନ୍ଦ୍ରରେ ରେଳମନ୍ତ୍ରୀ ମଧ୍ୟ ଥିଲେ । ୧୯୯୭ରେ ସେ ବିହାର ମୁଖ୍ୟମନ୍ତ୍ରୀ ଥିବା ସମୟରେ ଚାରା ଦୁର୍ନୀତିରେ ଅଭିଯୁକ୍ତ ହୋଇ ଗିରଫ ହୋଇଥିଲେ। ୧୯୯୮ ଲୋକସଭା ନିର୍ବାଚନରେ ସେ ଜେଲ୍‌ରେ ଥାଇ ମାଧେପୁରା ଆସନରୁ ପ୍ରତିଦ୍ବନ୍ଦ୍ବିତା କରି ୫୦ ହଜାରରୁ ଅଧିକ ଭୋଟ୍‌ରେ ବିଜୟୀ ହୋଇଥିଲେ।

ମୁଖ୍‌ତାର୍‌ ଅନ୍‌ସାରୀ
ବିଭିନ୍ନ ସଙ୍ଗୀନ ଅପରାଧିକ ମାମଲାରେ ସଂପୃକ୍ତ ଥାଇ ବାହୁବଳୀ ନେତା ମୁଖ୍‌ତାର୍‌ ଅନ୍‌ସାରୀ ଦୀର୍ଘଦିନ ଜେଲରେ ରହିଥିଲେ। ୨୦୦୫ ପରେ ଜେଲ୍‌ରେ ଥିବା ବେଳେ ସେ ଉତ୍ତରପ୍ରଦେଶର ମଉ ଆସନରୁ ଏକାଧିକ ଥର ବିଧାନସଭାକୁ ନିର୍ବାଚିତ ହୋଇଥିଲେ।

ମହମ୍ମଦ୍‌ ଶହାବୁଦ୍ଦୀନ୍‌
ବାହୁବଳୀ ନେତା ମହମ୍ମଦ୍‌ ଶହାବୁଦ୍ଦୀନ୍‌ ବିହାରର ସିୱାନ୍‌ ଲୋକସଭା ଆସନରୁ ୧୯୯୬ରୁ ୨୦୦୯ ପର୍ଯ୍ୟନ୍ତ ଲଗାତାର ନିର୍ବାଚନ ଜିଣିଥିଲେ। ୨୦୦୪ରେ କମ୍ୟୁନିଷ୍ଟ ନେତା ଛୋଟେଲାଲ୍‌ ଗୁପ୍ତାଙ୍କ ଅପହରଣ ଓ ହତ୍ୟା ମାମଲାରେ ସେ ଜେଲ୍‌ରେ ଥାଇ ନିର୍ବାଚନ ଲଢ଼ି ବିଜୟୀ ହୋଇଥିଲେ।

ଆଜମ୍‌ ଖାଁ
ଗୁଣ୍ଡାଗର୍ଦ୍ଦି, ଜମି ହଡ଼ପ ତଥା ଅନ୍ୟାନ୍ୟ ଅାପରାଧିକ ମାମଲାରେ ଗିରଫ ହୋଇ ଜେଲ୍‌ରେ ଥିବା ବେଳେ ସମାଜବାଦୀ ପାର୍ଟି ଟିକେଟରେ ଲଢ଼ି ୨୦୨୨ରେ ଉତ୍ତରପ୍ରଦେଶର ରାମପୁର ବିଧାନସଭା ଆସନରୁ ବିଜୟୀ ହୋଇଥିଲେ ଆଜମ୍‌ ଖାଁ। ମାତ୍ର ଦୋଷୀସାବ୍ୟସ୍ତ ହୋଇ ଦଣ୍ଡାଦେଶ ପରେ ସେ ଏହି ଆସନ ହରାଇଥିଲେ।

ନାହିଦ୍ ହସନ୍‌
ଉତ୍ତରପ୍ରଦେଶ ସରକାରଙ୍କ ଦ୍ବାରା ପ୍ରଣୀତ ଗୁଣ୍ଡାଗର୍ଦ୍ଦି ଓ ଅସାମାଜିକ କାର୍ଯ୍ୟକଳାପ ନିରୋଧ ଆଇନରେ ଅଭିଯୁକ୍ତ ହୋଇ ୨୦୨୧ରୁ ଜେଲ୍‌ରେ ଥିବା ସମାଜବାଦୀ ପାର୍ଟି ନେତା ନାହିଦ୍‌ ହସନ୍ ୨୦୨୨ରେ କୈରାନା ଆସନରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ।

ଅଖିଳ ଗୋଗୋଇ
ସୂଚନା ଅଧିକାର କର୍ମୀ ତଥା ଆସାମ ସିଏଏ ଆଇନ ବିରୋଧୀ ଆନ୍ଦୋଳନର ନେତା ଅଖିଳ ଗୋ‌େଗାଇ ଡିସେମ୍ବର ୨୦୧୯ରେ ଗିରଫ ହୋଇ ଜେଲ୍‌ରେ ଥିବାବେଳେ ୨୦୨୧ ଆସାମ ବିଧାନସଭା ନିର୍ବାଚନରେ ଶିବସାଗର ଆସନରୁ ବିଜୟୀ ହୋଇଥିଲେ।

ସମ୍ବନ୍ଧିତ ଖବର