 ଥାଲାସେମିଆ କ’ଣ ଓ ଏହା କେତେ ପ୍ରକାରର?
ଥାଲାସେମିଆ ଏକ ବଂଶଗତ ରକ୍ତଜନିତ ରୋଗ। ଲୋହିତ ରକ୍ତ କଣିକା ଭିତରେ ଥାଏ ହିମୋଗ୍ଲୋବିନ୍‌। ‘ହିମ୍‌’ ଓ ‘ଗ୍ଲୋବିନ୍‌’ ହେଉଛି ହିମୋଗ୍ଲୋବିନ୍‌ର ଦୁଇଟି ଉପାଦାନ। ‘ଆଲଫା’ ଓ ‘ବିଟା’ ଗ୍ଲୋବିନ୍‌ଜେନ୍‌କୁ ନେଇ ଗ୍ଲୋବିନ୍‌ ଅଣୁଟି ଗଠିତ। ନିର୍ଦ୍ଦିଷ୍ଟ ଏକ ଗୁଣସୂତ୍ରରେ ତ୍ରୁଟି ରହିଗଲେ ଆଲଫା ଗ୍ଲୋବିନ୍‌ ଚେନ୍‌ କି ବିଟା ଗ୍ଲୋବିନ୍‌ ଚେନ୍‌ର ଗଠନ ତ୍ରୁଟିଯୁକ୍ତ ହୋଇଯାଏ। ଆଲଫା ଚେନ୍‌ରେ ତ୍ରୁଟି ହେଲେ ତାକୁ ‘ଆଲଫା ଥାଲାସେମିଆ’ ଏବଂ ବିଟା ଚେନ୍‌ରେ ତ୍ରୁଟି ହେଲେ ତାହାକୁ ‘ବିଟା ଥାଲାସେମିଆ’ କହନ୍ତି। ଥାଲାସେମିଆକୁ ସାଧାରଣତଃ ତିନି ଭାଗରେ ବିଭକ୍ତ କରାଯାଏ- ଥାଲାସେମିଆ ମେଜର, ଥାଲାସେମିଆ ମାଇନର ଓ ଥାଲାସେମିଆ ଇଣ୍ଟରମେଡିଆ।
 ଏହି ରୋଗର ଲକ୍ଷଣ କ’ଣ?
ରକ୍ତରେ ପର୍ଯ୍ୟାପ୍ତ ଲୋହିତ ରକ୍ତ କଣିକା ନ ରହିଲେ ଶରୀରର କୋଷଗୁଡ଼ିକୁ ପର୍ଯ୍ୟାପ୍ତ ଅମ୍ଳଜାନ ମିଳିପାରେ ନାହିଁ। ଏହି କାରଣରୁ ଦୁର୍ବଳ ଲାଗିବା, ଥକ୍କା ଅନୁଭବ କରିବା, ପେଟରେ ଯନ୍ତ୍ରଣା, ତ୍ବଚା ହଳଦିଆ ପଡ଼ିବା ଆଦି ସମସ୍ୟା ଦେଖାଯାଏ। ଗୁରୁତର ରକ୍ତହୀନତା ଶରୀରର ଅଙ୍ଗଗୁଡ଼ିକୁ କ୍ଷତି ପହଞ୍ଚାଇବା ସହ ମୃତ୍ୟୁର କାରଣ ହୋଇପାରେ।
 ଥାଲାସେମିଆର ଚିକିତ୍ସା ପାଇଁ କି କି ବିକଳ୍ପ ଉପଲବ୍ଧ?
ଏହି ରୋଗର ଚିକିତ୍ସା ପାଇଁ ବଟିକାଠାରୁ ଆରମ୍ଭ କରି ବ୍ଲଡ୍‌ ଟ୍ରାନ୍‌ସପ୍ଲାଣ୍ଟ୍‌ ପର୍ଯ୍ୟନ୍ତ ପଦ୍ଧତି ଅବଲମ୍ବନ କରାଯାଇପାରେ। ରକ୍ତହୀନତା ସୃଷ୍ଟି ହେଉଥିବାରୁ ବୟସ୍କଙ୍କୁ ଅଧିକ ଥର ରକ୍ତ ନେବାକୁ ପଡ଼ିଥାଏ। ରକ୍ତରେ ହିମୋଗ୍ଲୋବିନ୍‌ ବଢ଼ାଇବା ପାଇଁ ଇଞ୍ଜେକ୍ସନ୍‌ ଦେବାକୁ ପଡ଼ିଥାଏ।
 ବ୍ଲଡ୍ ଷ୍ଟେମ୍ ସେଲ୍ ଟ୍ରାନ୍ସପ୍ଲାଣ୍ଟ୍ ଦ୍ବାରା ଏହାର ନିରାକରଣ ସମ୍ଭବ?
ହଁ। ୧୧ରୁ ୧୪ ବର୍ଷ ବୟସର ପିଲାଙ୍କର ଯଦି ଅଧିକ ଅଙ୍ଗ ଖରାପ ହୋଇନାହିଁ ସେମାନଙ୍କଠାରେ ନିଜ ଜିନ୍‌ ସହ ମିଶୁଥିବା ଅସ୍ଥିମଜ୍ଜାରୁ ଷ୍ଟେମ୍‌ ସେଲ୍‌ ବାହାର କରି ଆମେ ରୋଗୀଙ୍କ ଶରୀରରେ ଦେଇପାରିବା। ଏହାପରେ ରୋଗୀଙ୍କଠାରେ ନୂଆ ସେଲ୍‌ ତିଆରି ହେବ ଓ ଥାଲାସେମିଆ ମୁକ୍ତ ସେଲ୍‌ ଉତ୍ପନ୍ନ ହେବେ। ଏଥିପାଇଁ ରୋଗ ଶୀଘ୍ର ଚିହ୍ନଟ ହେବା ଜରୁରି।
 ଥାଲାସେମିଆ ଆକ୍ରାନ୍ତ ଦମ୍ପତିଙ୍କ ଗର୍ଭସ୍ଥ ସନ୍ତାନର ଚିକିତ୍ସା ହେଉଛି କି? 
ଥାଲାସେମିଆ ଏକ ବଂଶଗତ ରୋଗ ହୋଇଥିଲେ ମଧ୍ୟ ଏହାର ନିବାରଣ ସମ୍ଭବ। ପତି ଓ ପତ୍ନୀ ଉଭୟ ଥାଲାସେମିଆ ରୋଗୀ ହୋଇଥିଲେ ଏବଂ ପତ୍ନୀ ଗର୍ଭବତୀ ହେଲେ, ଗର୍ଭଧାରଣର ଅଢ଼େଇରୁ ତିନି ମାସ ଭିତରେ ଭ୍ରୂଣଠାରୁ ରକ୍ତ ସଂଗ୍ରହ କରି ତାହାର ଜିନ୍‌ ପରୀକ୍ଷା କରାଯାଇଥାଏ ଏବଂ ଆବଶ୍ୟକ ଚିକିତ୍ସା ଆରମ୍ଭ କରାଯାଏ। ତେବେ ଥାଲାସେମିଆ ସମ୍ବନ୍ଧରେ ଜନସଚେତନତା ବୃଦ୍ଧିର ଆବଶ୍ୟକତା ରହିଛି। ଏବେ ରକ୍ତ ଭଣ୍ଡାରଗୁଡ଼ିକରେ ଥାଲାସେମିଆ ରୋଗୀଙ୍କ ଲାଗି ସ୍ବତନ୍ତ୍ର ବ୍ୟବସ୍ଥା ହୋଇଛି।