ଗତ କିଛିଦିନ ତଳେ ସିଙ୍ଗାପୁରରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୀବନୀ କାହାଣୀ ଉପରେ ୪୨ ମିନିଟ୍ର ଏକ ସ୍ବତନ୍ତ୍ର ବୃତ୍ତଚିତ୍ର ବା ଡକ୍ୟୁମେଣ୍ଟାରି ଫିଲ୍ମ ନିର୍ମାଣ ହୋଇ ପ୍ରଦର୍ଶିତ ହୋଇଛି। ଏହି ଡକ୍ୟୁମେଣ୍ଟାରି ଫିଲ୍ମ ବର୍ତ୍ତମାନ ଭାରତ ସମେତ ସମଗ୍ର ସିଙ୍ଗାପୁରରେ ଚର୍ଚ୍ଚାରେ ରହିଛି। ସିଙ୍ଗାପୁରସ୍ଥିତ ପ୍ରବାସୀ ଭାରତୀୟ ମହିଳାମାନେ ଏହାକୁ ପ୍ରଚାର ଓ ପ୍ରସାରର ମୁଖ୍ୟ ଦାୟିତ୍ବ ନେଇଛନ୍ତି । ବ୍ରିଟିଶମାନଙ୍କ ବିରୋଧରେ ଭାରତର ସ୍ବାଧୀନତା ମୁକ୍ତି ସଂଗ୍ରାମର ଅନ୍ତିମ ଚରଣରେ ସିଙ୍ଗାପୁର ରାଷ୍ଟ୍ର ଭାରତୀୟଙ୍କ ପାଇଁ ନିଜ ଗୁରୁଦାୟିତ୍ବକୁ କିପରି ଅତ୍ୟନ୍ତ ନିଷ୍ଠାପର, ନିଃସ୍ବାର୍ଥପର ଓ ସାଧୁତାର ସହିତ ପାଳନ କରିଥିଲା, ସେହି ଗୁରୁତ୍ବ୍ବପୂର୍ଣ୍ଣ ଦିଗଗୁଡ଼ିିକୁ ଏହି ୪୨ ମିନିଟ୍ର ଡକ୍ୟୁମେଣ୍ଟାରି ଫିଲ୍ମରେ ଅତି ନିଖୁଣ ଭାବେ ପ୍ରଦର୍ଶନ କରାଯାଇଛି। ଟାଗୋର ସୋସାଇଟି (ସିଙ୍ଗାପୁର) ଦ୍ବାରା ନିର୍ମିତ ହୋଇଥିବା ଏହି ଡକ୍ୟୁମେଣ୍ଟାରିରେ ନେତାଜୀଙ୍କ ନେତୃତ୍ବରେ ଭାରତୀୟ ସ୍ବାଧୀନତା ଅଭିଯାନରେ ସିଙ୍ଗାପୁରସ୍ଥିତ ବିଭିନ୍ନ ଦ୍ବୀପପୁଞ୍ଜର ଆମ ଦୃଷ୍ଟି ଆଢୁଆଳରେ ରହିଯାଇଥିବା ଅନାଲୋଚିତ ପ୍ରସଙ୍ଗ ଉପରେ ଆଲୋକପାତ କରାଯାଇଛି। ନେତାଜୀଙ୍କ ଫିଲ୍ମକୁ ନେଇ ସିଙ୍ଗାପୁରସ୍ଥିତ ପ୍ରବାସୀ ଭାରତୀୟ ମହିଳାମାନେ ଖୁସି ପ୍ରକଟ କରିଛନ୍ତି ଏବଂ ‘ଧନ୍ୟବାଦ ସିଙ୍ଗାପୁର’ ଡାକରା ଦେଇଛନ୍ତି।
“ଆମେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୀବନୀ ଉପରେ ଡକ୍ୟୁମେଣ୍ଟାରି ନିର୍ମାଣ କରିବାର ଗୁରୁତ୍ବକୁ ଅନୁଭବ କରିପାରିଲୁ। ଆମ ମଧ୍ୟରୁ ଅଧିକାଂଶ, ବିଶେଷ କରି ବର୍ତ୍ତମାନର ଯୁବପିଢ଼ି ଏହି ଭିନ୍ନ ଦିଗର ମହତ୍ତ୍ବପୁର୍ଣ୍ଣ ଅବଦାନ ବିଷୟରେ ପ୍ରାୟତଃ ଅଜ୍ଞ ଅଟନ୍ତି। ତେଣୁ ବର୍ତ୍ତମାନ ଓ ଆଗାମୀ ପିଢ଼ି ପାଇଁ ଏହି ଡକ୍ୟୁମେଣ୍ଟାରି ଫିଲ୍ମ ଆମେ ନିର୍ମାଣ କରିବାକୁ ମନସ୍ଥ କରିଲୁ। ଏହା ଭାରତ ଓ ସିଙ୍ଗାପୁରର ସମ୍ପର୍କ ଓ ଭ୍ରାତୃତ୍ବଭାବକୁ ସୁଦୃଢ଼ କରିବ। ଉଭୟ ଦେଶର ସମୃଦ୍ଧ ଗୌରବମୟ ଇତିହାସର ବନ୍ଧନକୁ ଆହୁରି ଦୀର୍ଘସ୍ଥାୟୀ କରିବାରେ ଏହି ଫିଲ୍ମ ସହାୟକ ହେବ” ବୋଲି ଫିଲ୍ମର କ୍ରିଏଟିଭ୍ ଡାଇରେକ୍ଟର୍ ଡଲି ଡାଭେନ୍ପୋର୍ଟ କହିଛନ୍ତି। ନେତାଜୀଙ୍କ ଫିଲ୍ମ ମୁକ୍ତିଲାଭ ଅବସରରେ ପ୍ରବାସୀ ଓଡ଼ିଆ ମହିଳା ଶାଦମା କୁହନ୍ତି, “ସିଙ୍ଗାପୁରରେ ଏକ ଭାରତୀୟର ସକାଳ ନିଶ୍ଚିତ କରେ। ନେତାଜୀଙ୍କ କିଂବଦନ୍ତି ମରିବ ନାହିଁ। ନେତାଜୀ ଓ ସିଙ୍ଗାପୁର ସମ୍ପର୍କର କାହାଣୀ ଏହା ହିଁ ଆମକୁ ସର୍ବଦା ଅନୁପ୍ରାଣିତ କରିଥାଏ। ଏହି ଫିଲ୍ମ ଭାରତୀୟ ଜାତୀୟ ସେନା (ଆଇଏନ୍ଏ) ଓ ରାଣୀ ଝାନ୍ସୀ ରେଜିମେଣ୍ଟ୍ (ଆର୍ଜେଆର୍)ର ଉଲ୍ଲେଖନୀୟ ଅବଦାନକୁ ମଧ୍ୟ ପୁନଃପ୍ରାପ୍ତ କରିଛି। ଭାରତୀୟ ମୁକ୍ତି ସଂଗ୍ରାମରେ ସିଙ୍ଗାପୁରର ଭୂମିକାକୁ ଏହି ଫିଲ୍ମରେ ଦେଖିବା ପରେ ଆମେ ନିଶ୍ଚିତ ଗର୍ବର ସହ କହିବା ‘ସୁନ୍ଦର ସିଙ୍ଗାପୁର’। ସିଙ୍ଗାପୁରସ୍ଥିତ ପ୍ରବାସୀ ଭାରତୀୟ ମହିଳା ଆସୋସିଏସନ୍ ଓ ଟାଗୋର ସୋସାଇଟିର ମହିଳା ସଦସ୍ୟାମାନେ କହନ୍ତି, “ଏହି ଡକ୍ୟୁମେଣ୍ଟାରି ଫିଲ୍ମ କେବଳ ଭାରତରେ ନୁହେଁ ସମଗ୍ର ବିଶ୍ବର ଗଣତନ୍ତ୍ର ପାଇଁ ଏକ ଜ୍ବଳନ୍ତ ଉଦାହରଣ ଭାବରେ ଉଭା ହୋଇଛି। ସମାନତା ଓ ସୌହାର୍ଦ୍ୟର ଏକ ମୂକସାକ୍ଷୀ ଭାବେ ପ୍ରତୀୟମାନ ହୋଇଛି ସିଙ୍ଗାପୁରରେ ପ୍ରସ୍ତୁତ ହୋଇଥିବା ନେତାଜୀଙ୍କ ଡକ୍ୟୁମେଣ୍ଟାରି ଫିଲ୍ମ। ସିଙ୍ଗାପୁରରେ ନେତାଜୀଙ୍କ ଜୀବନ ଉପରେ ଏଭଳି ଐତିହାସିକ ଡକ୍ୟୁମେଣ୍ଟାରି ଫିଲ୍ମ ନିର୍ମାଣ ଆମ ପାଇଁ ଗର୍ବ ଓ ଆନନ୍ଦର ବିଷୟ”।
ବିଭୂତି ପତି