ନୂଆଦିଲ୍ଲୀ: ନିକଟରେ ଇନ୍ଫୋସିସ୍ର ଅଧ୍ୟକ୍ଷା ତଥା ଲେଖିକା ସୁଧା ମୂର୍ତ୍ତିଙ୍କର ଏକ ଫଟୋ ଖୁବ୍ ଜୋର୍ରେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି। ଫଟୋରେ ସୁଧା ମୂର୍ତ୍ତୀ ବିଭିନ୍ନ ପ୍ରକାରର ପରିବା ଧରି ବସିଥିବାର ଦେଖିବାକୁ ମିଳୁଛି। ସୁଧାଙ୍କର ଏହି ଫଟୋକୁ ସେୟାର କରି ସୋସିଆଲ୍ ମିଡିଆରେ ବ୍ୟବହାରକାରୀମାନେ ନିଜ ନିଜ ପୋଷ୍ଟ୍ରେ ଲେଖିଛନ୍ତି କି ସେ ନିଜର ଅହଂକାରକୁ ଦମନ କରିବାକୁ ପ୍ରତିବର୍ଷ ମନ୍ଦିର ସାମ୍ନାରେ ଥରେ ପରିବା ବିକ୍ରି କରନ୍ତି। ଫଟୋଟିକୁ ପ୍ରଥମେ ତାଙ୍କ ଟ୍ବିଟର୍ ଆକାଉଣ୍ଟ୍ରେ ସେୟାର୍ କରିଥିଲେ ଆଇଆର୍ଏସ୍ ଅଫିସର୍ ସୁରଭି।
ସେ ଏହି ଫଟୋଟିକୁ ସେୟାର କରି ଲେଖିଥିଲେ, ‘ଇନ୍ଫୋସିସ୍ର ନିର୍ମାତାଙ୍କ ପତ୍ନୀ ସୁଧା ମୂର୍ତ୍ତି ନିଜ ଅହଂକାରକୁ ନିୟନ୍ତ୍ରଣ କରିବାକୁ ପ୍ରତିବର୍ଷକୁ ଥରେ ମନ୍ଦିର ବାହାରେ ପରିବା ବିକ୍ରି କରନ୍ତି।’ ଏହି ଫଟୋଟି ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଲା। ମାତ୍ର ଏହି ଫଟୋ ପଛର ସତ୍ୟତା ଏବେ ଜଣାପଡ଼ିଛି। ଫଟୋଟି ପଛରେ ଯେଉଁ କାହାଣୀ ବୁଲୁଛି ତାହା ମିଥ୍ୟା ବୋଲି ସ୍ପଷ୍ଟ କରିଛନ୍ତି ନିଜେ ସୁଧା ମୂର୍ତ୍ତି।
/sambad/media/post_attachments/wp-content/uploads/2020/09/thequint_2020-09_2d9d9abc-4c21-448c-b1a8-d5bfa5a03ba8_Screen_Shot_2020_09_14_at_1_24_46_PM-286x300.png)
ସୁଧା ଏକ ଗଣମାଧ୍ୟମରେ କହିଛନ୍ତି କି ବର୍ଷକୁ ତିନି ଦିନ ରୋଷେଇ କାର୍ଯ୍ୟରେ ସାହାଯ୍ୟ କରିବା ପାଇଁ ସେ ବେଙ୍ଗାଲୁରୁର ଜୟନଗରର ରାଘବେନ୍ଦ୍ର ସ୍ୱାମୀ ମନ୍ଦିରକୁ ଯାଆନ୍ତି, ପରିବା ବିକ୍ରି କରିବାକୁ ନୁହେଁ। ପିଲାଟି ଦିନରୁ ସେ ରାଘବେନ୍ଦ୍ର ସ୍ୱାମୀଙ୍କର ଭକ୍ତ। ତାଙ୍କ ଜେଜେମାଆ ବର୍ଷକୁ ତିନି ଦିନ ଯାଇ ମନ୍ଦିରର ରୋଷେଇ କାର୍ଯ୍ୟରେ ସାହାଯ୍ୟ କରନ୍ତି। ସୁଧା ମଧ୍ୟ ତାଙ୍କଠାରୁ ଶିଖି ପିଲାଦିନରୁ ସେହିପରି କରିଆସିଛନ୍ତି। ପରିବା ପାଖରେ ବସି ସେ ରୋଷେଇ ପାଇଁ ପରିବା ବାଛି ନେଉଥିବା ବେଳର ଫଟୋଟି ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି।