ଏକଦା ରାସ୍ତାରେ ଲ୍ୟାଣ୍ଡ୍ମାଇନ୍ସ ବିଛାଇ ପୁଲିସ ଓ ସୁରକ୍ଷାକର୍ମୀଙ୍କୁ ହତ୍ୟା କରିବା ନକ୍ସଲ୍ମାନଙ୍କର ମୁଖ୍ୟ ରଣନୀତି ଥିଲା। ୨୦୦୧ରେ ମାଲକାନଗିରିଜିଲ୍ଲା ଚିତ୍ରକୋଣ୍ଡା ଥାନାର ତତ୍କାଳୀନ ଭାରପ୍ରାପ୍ତ ଅଧିକାରୀ ଶରତ ବୁରୁଦାଙ୍କୁ ନକ୍ସଲ୍ମାନେ ଲ୍ୟାଣ୍ଡ୍ମାଇନ୍ସ ବିସ୍ଫୋରଣରେ ଉଡ଼ାଇ ଦେବାକୁ ଷଡ୍ଯନ୍ତ୍ର କରିଥିଲେ। ଏହାର ଅଂଶ ସ୍ବରୂପ ଗୁରୁପ୍ରିୟା ନଦୀରେ ଗାଧୋଉଥିବା ସମୟରେ ଜଣେ ସୁରକ୍ଷାକର୍ମୀଙ୍କୁ ସେମାନେ ଅତି ବୀଭତ୍ସ ଭାବରେ ହତ୍ୟା କଲେ। ଉଦ୍ଦେଶ୍ୟ ଥିଲା, ବୁରୁଦାଙ୍କୁ ମୃତ୍ୟୁଯନ୍ତାରେ ଫସାଇବା। ଯେହେତୁ ଥାନା ଅଧିକାରୀ ଭାବେ ତଦନ୍ତ କରିବାକୁ ସେ ଘଟଣାସ୍ଥଳକୁ ଆସିବେ, ତେଣୁ ରାସ୍ତାରେ ଲ୍ୟାଣ୍ଡ୍ମାଇନ୍ସ ବିଛାଇ ଦେଇଥିଲେ। ସବୁଠାରୁ ସୁଦକ୍ଷ ଲ୍ୟାଣ୍ଡ୍ମାଇନ୍ସ ବିସ୍ଫୋରଣକାରୀ ଭାବେ ପରିଚିତ ନକ୍ସଲ୍ କ୍ୟାଡର୍ ନରେଶ ଗୋଟିଏ ପୋଲ ତଳେ ଲ୍ୟାଣ୍ଡ୍ମାଇନ୍ସ ଲଗାଇ ଶରତଙ୍କ ଗାଡ଼ିକୁ ଟାର୍ଗେଟ କରି ଏକ ଗଛରେ ଲୁଚି ବସିଥିଲା। କିନ୍ତୁ ରଖେ ହରି ତ ମାରେ କିଏ? ବିସ୍ଫୋରଣ ହେଲା, କିନ୍ତୁ ସୌଭାଗ୍ୟବଶତଃ ବଞ୍ଚିଗଲେ ଶରତ।
ସେଦିନ ମୃତ୍ୟୁକୁ ଅତି ନିକଟରୁ ଦେଖିଥିବା ଶରତ କହନ୍ତି, ‘‘ସର୍କଲ୍ ଇନ୍ସପେକ୍ଟର୍ ୱାଇ. ଜଗନ୍ନାଥ ରାଓ ଓ ମୁଁ ୨୫ଜଣ ସୁରକ୍ଷାକର୍ମୀଙ୍କ ସହ ଘଟଣାସ୍ଥଳକୁ ଯାତ୍ରା କଲୁ। ମୋ ଗାଡ଼ିରେ ଡାକ୍ତର ଥିଲେ। ଆମେ ଗୁରୁପ୍ରିୟା ନଦୀ କୂଳରେ ନିରାପଦରେ ପହଞ୍ଚିଲୁ। ଆମକୁ ଛାଡ଼ି ଗାଡ଼ି ଫେରିଲା ବେଳେ ହଠାତ୍ ମୋ ଗାଡ଼ି ବିସ୍ଫୋରଣରେ ଉଡ଼ିଗଲା। ଡ୍ରାଇଭର୍ ସହିଦ ହେଲେ। ମଙ୍ଗୁ ଖିଲ ନାମରେ ଜଣେ ନକ୍ସଲକୁ ଧରିଲି। ଲ୍ୟାଣ୍ଡ୍ମାଇନ୍ସ ବିଛାଇ ମୋତେ ମାରିବାର ଯୋଜନା କରାଯାଇଥିଲା ବୋଲି ସେ ମାନିଲା। ଏହାର ବହୁଦିନ ପରେ ନରେଶ ଧରାପଡ଼ିଲା। ତାକୁ ପଚାରିଲି, ତମ ହତ୍ୟା ଯୋଜନା କାହିଁକି ଫେଲ୍ ମାରିଲା? ଏହାର ଉତ୍ତରରେ ସେ କହିଥିଲା, ସାର୍, ଆପଣ ଗଲାବେଳେ ବିସ୍ଫୋରଣ କରିବାକୁ ସୁଇଚ୍ ଦବାଇବା ସମୟରେ ମୋର ମୁଣ୍ଡ ବୁଲାଇଲା, ଆଖି ମାଡ଼ିପଡ଼ିଲା ଏବଂ ମୋର ଦେହ ଜୋର୍ରେ ଥରିଲା। ମୁଁ ଭାବିଲି ଗଛରୁ ପଡ଼ିଯିବି। ତେଣୁ ଲ୍ୟାଣ୍ଡ୍ମାଇନ୍ସ ବିସ୍ଫୋରଣ କରିପାରିଲି ନାହିଁ।’’
ଘଟଣାଚକ୍ରରେ ଶରତ ବୁରୁଦା ଆଉଥରେ ବି ଲ୍ୟାଣ୍ଡ୍ମାଇନ୍ସ ବିସ୍ଫୋରଣରୁ ବର୍ତ୍ତିଥିଲେ। ୨୦୦୬ ମସିହାର ଘଟଣା। ଶରତଙ୍କର ବାପା ଗଙ୍ଗାଧର ବୁରୁଦା ମାଲକାନାଗିରି ଜିଲ୍ଲା ପରିଷଦ ସଭାପତି ଥାନ୍ତି। ସେ ସାବେରୀ ଓ ସିଲେରୁ ନଦୀର ବନ୍ୟା ପ୍ରଭାବିତ ଅଞ୍ଚଳର ଲୋକଙ୍କୁ ଭେଟିବାକୁ ବାହାରିଲେ। ବାପାଙ୍କ ସହିତ ଶରତ ମଧ୍ୟ ଯିବା ପାଇଁ ପ୍ରସ୍ତୁତ ହୋଇ ସାରିଥିଲେ। ମାତ୍ର କୌଣସି କାରଣବଶତଃ ସେ ଯାଇପାରି ନ ଥିଲେ। ଗଙ୍ଗାଧର ନିଜର ଦୁଇଜଣ ସହଯୋଗୀଙ୍କୁ ଧରି ଶରତଙ୍କ ବ୍ୟକ୍ତିଗତ ମାର୍ଶଲ୍ ଗାଡ଼ିରେ ବାହାରିଗଲେ ଏବଂ ରାସ୍ତାରେ ଲ୍ୟାଣ୍ଡ୍ମାଇନ୍ସ ବିସ୍ଫୋରଣର ଶିକାର ହେଲେ। ଗଙ୍ଗାଧରଙ୍କ ଜଣେ ସହଯୋଗୀ ସେଠାରେ ମୃତ୍ୟୁବରଣ କଲେ। ଅନ୍ୟ ଜଣେ ସହଯୋଗୀ ଡାକ୍ତରଖାନା ଯିବା ସମୟରେ ପ୍ରାଣତ୍ୟାଗ କରିଥିଲେ। ସୌଭାଗ୍ୟବଶତଃ ଗଙ୍ଗାଧର ଗୁରୁତର ଆହତ ହୋଇଥିଲେ ବି ବଞ୍ଚିଯାଇଥିଲେ। ଗଙ୍ଗାଧର କହନ୍ତି, ‘‘ଯେତେବେଳେ ଲ୍ୟାଣ୍ଡ୍ମାଇନ୍ସ ବିସ୍ଫୋରଣ ହେଲା ଆମର ମାର୍ଶଲ୍ ଗାଡ଼ି ପ୍ରାୟ ୧୩ ଫୁଟ୍ ଉପରକୁ ଉଠି ତଳେ ପଡ଼ିଲା ବେଳକୁ ଚାରିଟି ଚକ ଉପରକୁ ହୋଇଯାଇଥିଲା। ଶରତ ଗାଡ଼ିରେ ଥିବ ଭାବି ଗାଡ଼ିକୁ ଖୁବ୍ ନିକଟରୁ ନକ୍ସଲ୍ ଗୁଳି ଚଳାଉଥିଲେ।
ମୁଁ ରାସ୍ତାରେ ପଡ଼ି ହାତଯୋଡ଼ି ପାଟି କରିବାରୁ ସେମାନେ ଫେରି ଯାଇଥିଲେ। ଭାଗ୍ୟବଳରୁ ମୁଁ ସେ ଦିନ ବଞ୍ଚିଗଲି।’’ ୨୦୦୫ ମସିହାରେ ଜାତିସଂଘ ନିରୀହ ଜନସାଧାରଣ ଓ ପ୍ରାଣୀମାନଙ୍କ ସୁରକ୍ଷା ପାଇଁ ପ୍ରତ୍ୟେକ ବର୍ଷ ଏପ୍ରିଲ୍ ୪ ତାରିଖକୁ ବିଶ୍ବ ଲ୍ୟାଣ୍ଡ୍ମାଇନ୍ସ ମୁକ୍ତ ସଚେତନତା ଦିବସ ଭାବେ ପାଳନ କରିବାର ନିଷ୍ପତ୍ତି ନେଇଥିଲା। ଲ୍ୟାଣ୍ଡ୍ମାଇନ୍ସ ଲଗାଇ ନିର୍ଦ୍ଦୋଷମାନଙ୍କୁ ହତ୍ୟା ନ କରିବା ଲାଗି ସଚେତନତା ସୃଷ୍ଟି ଏହି ଦିବସର ଉଦ୍ଦେଶ୍ୟ। ଏହି ପରିପ୍ରେକ୍ଷୀରେ ଲ୍ୟାଣ୍ଡ୍ମାଇନ୍ସ ବିସ୍ଫୋରଣରୁ ବଞ୍ଚିଥିବା ୮୯ ବର୍ଷ ବୟସ୍କ ଗଙ୍ଗାଧର କହନ୍ତି, ‘‘ମୁଁ ବିନମ୍ର ନିବେଦନ କରୁଛି, ଶତ୍ରୁଙ୍କୁ ମାରିବାକୁ ତଥା ହିଂସାକାଣ୍ଡ ଘଟାଇବାକୁ ଲ୍ୟାଣ୍ଡ୍ମାଇନ୍ସ ବିସ୍ଫୋରଣ ବନ୍ଦହେଉ। ଏହା ଅକ୍ଷମଣୀୟ।’’ ସେହିପରି ଲ୍ୟାଣ୍ଡ୍ମାଇନ୍ସ ବିସ୍ଫୋରଣରୁ ଦୁଇଥର ବଞ୍ଚିଥିବା ଶରତ ବୁରୁଦା କହନ୍ତି, ‘‘ଶତ୍ରୁ ସହ ସମ୍ମୁଖ ଆକ୍ରମଣ-ପ୍ରତିଆକ୍ରମଣ କରନ୍ତୁ। କିନ୍ତୁ ଲ୍ୟାଣ୍ଡ୍ମାଇନ୍ସ ଲଗାଇ ହତ୍ୟା କାପୁରୁଷପଣିଆ। ପୁଣି ଅଫୁଟା ଲ୍ୟାଣ୍ଡ୍ମାଇନ୍ସ ଯୋଗୁଁ ବହୁ ନିରୀହ ମଣିଷ ଓ ଗୃହପାଳିତ ପଶୁ ଅକାରଣରେ ପ୍ରାଣବଳି ଦେବାର ଉଦାହରଣ ରହିଛି।’’
ହାତ ହରାଇଲେ ରଘୁ
ଏକଦା ସାମାଜିକ ଶୋଷଣର ଶିକାର ହୋଇ ରଘୁ ଓରଫ ଦେବ ମାଢ଼ିଙ୍କ ମନରେ ଆସିଥିଲା ବିଦ୍ରୋହର ଭାବନା। ପ୍ରତିଶୋଧ ପରାୟଣ ହୋଇ ସେ ନକ୍ସଲ୍ ହୋଇଗଲେ। କ୍ୟାମ୍ପ୍ରେ ତାଙ୍କୁ ଲ୍ୟାଣ୍ଡ୍ମାଇନ୍ସ ପ୍ରସ୍ତୁତି, ଏହାକୁ ଖଞ୍ଜିବା ଓ ବିସ୍ଫୋରଣ କରିବା ତାଲିମ ଦିଆଗଲା। ତାଲିମ ପରେ ସୁଦକ୍ଷ ଲ୍ୟାଣ୍ଡ୍ମାଇନ୍ସ ପ୍ରସ୍ତୁତକାରୀ ପାଲଟିଗଲେ ରଘୁ। ତାଙ୍କ ଦ୍ବାରା ପ୍ରସ୍ତୁତ ଲ୍ୟାଣ୍ଡ୍ମାଇନ୍ସ ବିସ୍ଫୋରଣରେ କେତେ ଯେ ଜୀବନ ଯାଇଛି, ତା’ର ହିସାବ ଖୋଜିଲେ ହୁଏତ ମିଳିବ ନାହିଁ। କିନ୍ତୁ ସେହି ଲ୍ୟାଣ୍ଡ୍ମାଇନ୍ସ ଯୋଗୁଁ ନିଜର ଗୋଟିଏ ହାତ ହରାଇଲେ ରଘୁ। ପୁରୁଣା କଥା ମନେପକାଇ ରଘୁ କହନ୍ତି, ‘‘ଲ୍ୟାଣ୍ଡ୍ମାଇନ୍ସ ହତ୍ୟା ଓ ହିଂସା କୌଣସି ସମାଧାନ ସୃଷ୍ଟି କରିପାରିବ ନାହିଁ। ବର୍ବରତାର ଚରମ ଅସ୍ତ୍ର ଲ୍ୟାଣ୍ଡ୍ମାଇନ୍ସ। ଏହାର ବ୍ୟବହାର ବନ୍ଦ ହେଉ ଏବଂ ସାଧାରଣ ଲୋକଙ୍କୁ ସୁରକ୍ଷିତ ରଖାଯାଉ।’’
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/03/30/1t1lQKNfxR1GTjU4dZJR.jpg)