ମୁମ୍ବାଇ: ଭାରତର ଆର୍ଥିକ ରାଜଧାନୀ ମୁମ୍ବାଇର ବାନ୍ଦ୍ରା କୁର୍ଲା କମ୍ପ୍ଲେକ୍ସ (ବିକେସି)ରେ ଆମେରିକୀୟ ଫୋନ୍ ନିର୍ମାତା ଆପଲ୍ ମଙ୍ଗଳବାର ଏହାର ପ୍ରଥମ ଅଫିସିଆଲ ଷ୍ଟୋର୍ ଖୋଲିଥିଲା। ଏହି ଷ୍ଟୋରଟି ମୁମ୍ବାଇର ଜିଓ ୱାର୍ଲଡ ସେଣ୍ଟରରେ ଖୋଲାଯାଇଥିବା ବେଳେ ଆପଲକୁ ମାସକୁ ୪୨ଲକ୍ଷ ଭଡ଼ା ଦେବାକୁ ପଡ଼ିବ ବୋଲି ଜଣାପଡ଼ିଛି। ରିପୋର୍ଟ ଅନୁଯାୟୀ, ଆପଲ୍ କମ୍ପାନି ଅମ୍ବାନୀ ପରିବାରକୁ ପ୍ରତି ମାସରେ ୪୨ଲକ୍ଷ ଟଙ୍କା ଭଡ଼ା ପ୍ରଦାନ କରିବ।
ମଙ୍ଗଳବାର ଷ୍ଟୋର ଖୋଲିବା ସମୟରେ କମ୍ପାନିର ସିଇଓ ଟିମ୍ କୁକ୍ ଷ୍ଟୋର୍ର କବାଟ ଖୋଲି ଗ୍ରାହକମାନଙ୍କୁ ସ୍ବାଗତ କରିଥିଲେ। ଆପଲ୍ ଉତ୍ପାଦକୁ ପସନ୍ଦ କରୁଥିବା ଲୋକମାନେ ଲମ୍ବା ଧାଡ଼ିରେ ଠିଆ ହୋଇଥିବା ଦେଖାଯାଇଥିଲା। କିଛି ଗ୍ରାହକ କୁକ୍ଙ୍କୁ ଆପଲ୍ର ପୁରୁଣା କମ୍ପ୍ୟୁଟର ଓ ଆଇପଡ୍ ଉପହାର ଦେଇଥିଲେ। ଏହି ଷ୍ଟୋର ଉନ୍ମୋଚନ କୌଣସି ଉତ୍ସବଠାରୁ କମ୍ ନଥିଲା। ପାରମ୍ପରିକ ବାଦ୍ୟଯନ୍ତ୍ର ଓ ନୃତ୍ୟ ସହିତ କିଛି ଗ୍ରାହକ ନିଜ କେଶକୁ ଆପଲ୍ ଲୋଗୋ ଭଳି କାଟିଥିଲେ। ଆଉ କିଛି ଗ୍ରାହକ ଆପଲ୍ର ସହ ପ୍ରତିଷ୍ଠାତା ଷ୍ଟିଭ୍ ଜବ୍ସଙ୍କ ଛବି ଥିବା ଟି-ସାର୍ଟ ପିନ୍ଧି ଆସିଥିଲେ। କମ୍ପାନି ଏହାର ଦ୍ବିତୀୟ ଷ୍ଟୋର୍କୁ ଦିଲ୍ଲୀର ସାକେତ୍ ଅଞ୍ଚଳରେ ଖୋଲିବ ବୋଲି ଜଣାପଡ଼ିଛି।
ତେବେ ଷ୍ଟୋର ଖୋଲିବା ପୂର୍ବରୁ ଟିମ୍ କୁକ୍ ବଲିଉଡ ଅଭିନେତ୍ରୀ ମାଧୁରୀ ଦିକ୍ଷୀତଙ୍କୁ ଭେଟିଥିଲେ। ସେ ମାଧୁରୀ ଦିକ୍ଷୀତଙ୍କ ସହ ମହାରାଷ୍ଟ୍ରର ଲୋକପ୍ରିୟ ଜଳଖିଆ ‘ବଡ଼ା ପାଓ’ ଖାଇଥିବା ଦେଖାଯାଇଥିଲା। ଏହା ପରେ ସେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ର ମୁଖ୍ୟ ମୁକେଶ ଅମ୍ବାନୀ ଓ ଟାଟା ସନ୍ସର ଅଧ୍ୟକ୍ଷ ଏନ୍ ଚନ୍ଦ୍ରଶେଖରନ୍ଙ୍କୁ ମଧ୍ୟ ଭେଟିଥିଲେ। ସାତ ବର୍ଷ ବ୍ୟବଧାନ ପରେ ଭାରତ ଆସିଥିବା କୁକ୍ ମୁକେଶଙ୍କ ଘର ଆଣ୍ଟିଲିଆରେ ତାଙ୍କୁ, ତାଙ୍କ ପୁଅ ଆକାଶ ଓ ଇଶାଙ୍କୁ ଭେଟିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/04/ସ-190.jpg)