ବିଶ୍ୱ ପାଣିପାଗ ସଂଗଠନ (ଡବଲ୍ୟୁଏମ୍ଓ) ଦ୍ୱାରା ପ୍ରକାଶିତ ସଦ୍ୟ ରିପୋର୍ଟ ଅନୁଯାୟୀ, ୨୦୨୫-୨୦୨୯ ମଧ୍ୟରେ ହାରାହାରି ବିଶ୍ୱ ତାପମାତ୍ରା ଶିଳ୍ପାୟନ ପୂର୍ବ ସ୍ତରଠାରୁ ୧.୫ ଡିଗ୍ରି ସେଲସିଅସ୍ରୁ ଅଧିକ ହେବାର ୭୦% ଆଶଙ୍କା ରହିଛି। ଏଥି ସହିତ ଆଗାମୀ ପାଞ୍ଚ ବର୍ଷ ମଧ୍ୟରୁ ଅନ୍ୟୂନ ଗୋଟିଏ ବର୍ଷ ୨୦୨୪ର ସବୁଠାରୁ ଉଷ୍ଣ ବର୍ଷ ରେକର୍ଡକୁ ଅତିକ୍ରମ କରିବାର ୮୬% ଆଶଙ୍କା ଥିବା କୁହାଯାଇଛି। ଉଲ୍ଲେଖଯୋଗ୍ୟ, ୨୦୨୪ ମସିହା ଉଷ୍ମତମ ବର୍ଷ ହେବା ସହିତ, ପ୍ରଥମ କ୍ୟାଲେଣ୍ଡର ବର୍ଷ ଭାବରେ ବିଶ୍ୱ ହାରାହାରି ତାପମାତ୍ରା ୧୮୫୦-୧୯୦୦ ମୂଳ ସୀମା (ଜୀବାଶ୍ମ ଇନ୍ଧନ ଜାଳିବା ଭଳି ମାନବ କାର୍ଯ୍ୟକଳାପ ପୂର୍ବରୁ ସମୟ ଜଳବାୟୁ ଉପରେ ଗୁରୁତ୍ୱପୂର୍ଣ୍ଣ ପ୍ରଭାବ ପକାଇବା ଆରମ୍ଭ)ଠାରୁ ୧.୫ଡିଗ୍ରି ସେଲସିଅସ୍ରୁ ଅଧିକ ଥିଲା। ଡବ୍ଲୁଏମ୍ଓ ରିପୋର୍ଟରେ ପୂର୍ବାନୁମାନ କରାଯାଇଛି ଯେ ୨୦୨୫ରୁ ୨୦୨୯ ମଧ୍ୟରେ ପ୍ରତିବର୍ଷ ପାଇଁ ହାରାହାରି ବିଶ୍ୱ ତାପମାତ୍ରା ୧୮୫୦ରୁ ୧୯୦୦ ମଧ୍ୟରେ ଥିବା ତାପମାତ୍ରା ଅପେକ୍ଷା ୧.୨ରୁ ୧.୯ ଡିଗ୍ରି ସେଲସିୟସ୍ ଅଧିକ ରହିବ।
ଆମେ ନିକଟ ଅତୀତରେ ରେକର୍ଡରେ ଥିବା ୧୦ଟି ସବୁଠାରୁ ଉଷ୍ମ ବର୍ଷ ଅନୁଭବ କରିଛୁ। ଦୁର୍ଭାଗ୍ୟବଶତଃ, ଏହି ଡବ୍ଲୁଏମ୍ଓ ରିପୋର୍ଟ ଆଗାମୀ ବର୍ଷଗୁଡ଼ିକରେ ଆରାମର କୌଣସି ସଙ୍କେତ ପ୍ରଦାନ କରୁନାହିଁ। ଅର୍ଥାତ୍ ଆମର ଅର୍ଥନୀତି, ଦୈନନ୍ଦିନ ଜୀବନ, ପରିସଂସ୍ଥାନ ଏବଂ ପୃଥିବୀ ଉପରେ ବଢୁଥିବା ନକାରାତ୍ମକ ପ୍ରଭାବ ପଡ଼ିବ। ସୁତରାଂ, ନୀତି ନିର୍ଦ୍ଧାରକମାନଙ୍କୁ ବିଜ୍ଞାନ-ଭିତ୍ତିକ ଉପକରଣ ଓ ସୂଚନା ପ୍ରଦାନ କରିବା ପାଇଁ ନିରନ୍ତର ଜଳବାୟୁ ପର୍ଯ୍ୟବେକ୍ଷଣ ଓ ପୂର୍ବାନୁମାନ ଅତ୍ୟନ୍ତ ଜରୁରି। ସେହିପରି ଦକ୍ଷିଣ ଏସିଆରେ, ସାମ୍ପ୍ରତିକ ବର୍ଷଗୁଡ଼ିକ ସାଧାରଣ ଅପେକ୍ଷା ଅଧିକ ଆର୍ଦ୍ର ରହିଛି (୨୦୨୩ ବ୍ୟତୀତ)। ଯଦିଓ କିଛି ଋତୁ ଏବେ ବି ଶୁଷ୍କ ହୋଇପାରେ, ତେବେ ଏହି ଧାରା ୨୦୨୫ରୁ ୨୦୨୯ ମଧ୍ୟରେ ଜାରି ରହିବ। ଭାରତୀୟ ପାଣିପାଗ ବିଭାଗ ଅନୁଯାୟୀ, ଗତ ପାଞ୍ଚ ବର୍ଷ ମଧ୍ୟରୁ ଚାରି ବର୍ଷ ଦେଶରେ ମୌସୁମି ଋତୁରେ ସ୍ୱାଭାବିକ ଠାରୁ ଅଧିକ ବର୍ଷା ହୋଇଛି ଏବଂ ଚଳିତ ବର୍ଷ ମଧ୍ୟ ସ୍ୱାଭାବିକ ଠାରୁ ଅଧିକ ମୌସୁମି ବର୍ଷା ହେବ।