ସୁସ୍ଥ ପୃଥିବୀ ପାଇଁ ବୃକ୍ଷ ହେଉଛି ଏକାନ୍ତ ଅପରିହାର୍ଯ୍ୟ ଉପାଦାନ। ଆଲୋକ ସଂଶ୍ଳେଷଣ ପ୍ରକ୍ରିୟାରେ ଏହା ବାୟୁମଣ୍ଡଳରୁ ବିଷାକ୍ତ ଅଙ୍ଗାରକାମ୍ଳ ବାଷ୍ପ ଟାଣିନେଇ ବାୟୁମଣ୍ଡଳକୁ ଅମ୍ଳଜାନ ଛାଡ଼ିଥାଏ, ଯାହା ଆମ ଶରୀର ପାଇଁ ଅତ୍ୟନ୍ତ କାମ୍ୟ। ଏକ ଆକଳନ ଅନୁଯାୟୀ, ଭୂପୃଷ୍ଠରେ ରହିଥିବା ଅରଣ୍ୟରାଜି ପ୍ରାୟ ୮୬,୧୦୦ କୋଟି ଟନ୍‌ ପରିମାଣର ଅଙ୍ଗାର ଧରି ରଖିପାରୁଛି, ଯାହା ଶହେ ବର୍ଷ ଧରି ଆମେ ବ୍ୟବହାର କରୁଥିବା ଖଣିଜତୈଳ ଜାଳେଣିରୁ ନିର୍ଗତ ଅଙ୍ଗାର ପରିମାଣ ସଙ୍ଗେ ସମାନ। ତେବେ ଗଛର ଆଉ ଏକ ବିଶେଷ ଗୁଣ ସାମ୍ନାକୁ ଆସିଛି। ଗଛର ବକଳ ଦ୍ବାରା ଅନ୍ୟତମ ଅଙ୍ଗାର ଯୌଗିକ ‘ମିଥେନ୍‌’ ଶୋଷି ହୋଇଯାଏ ବୋଲି ଗବେଷକମାନେ ଜାଣିପାରିଛନ୍ତି।
ସୂଚନାଯୋଗ୍ୟ, ପରିବେଶ ପ୍ରଦୂଷଣ ପାଇଁ ଦାୟୀ ବିଭିନ୍ନ ଉପାଦାନ ମଧ୍ୟରୁ ମିଥେନ୍‌ ବାବଦରେ କ୍ବଚିତ୍‌ ଆଲୋଚନା ହୋଇଥାଏ। ତେବେ ମନୁଷ୍ୟକୃତ ଜଳବାୟୁ ପରିବର୍ତ୍ତନରେ ମିଥେନ୍‌ ବାଷ୍ପର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି। ଏକ ଶତାବ୍ଦୀ କାଳରେ ପରିବେଶର ଉଷ୍ମତା ବୃଦ୍ଧିର କ୍ଷମତା ଦୃଷ୍ଟିରୁ ଅଙ୍ଗାରକାମ୍ଳ ତୁଳନାରେ ମିଥେନ୍‌ର କ୍ଷମତା ୨୮ରୁ ୩୬ ଗୁଣ ଅଧିକ। ସାଧାରଣତଃ କୃଷିଭିତ୍ତିକ କାରଖାନା ଓ ପ୍ରାକୃତିକ ବାଷ୍ପ ଉତ୍ତୋଳନରୁ ମିଥେନ୍‌ ନିର୍ଗମନ ହୋଇଥାଏ। ବାୟୁମଣ୍ଡଳରେ ଅଙ୍ଗାରକାମ୍ଳର ତୁଳନାରେ ମିଥେନ୍‌ର ଉପସ୍ଥିତି ଅତି ନଗଣ୍ୟ, ତଥାପି ଶିଳ୍ପ ବିପ୍ଲବ ପରଠାରୁ ୨୦ରୁ ୩୦ ପ୍ରତିଶତ ବୈଶ୍ବିକ ତାପମାତ୍ରା ବୃଦ୍ଧିର କାରଣ ହେଉଛି ମିଥେନ୍‌ ବାଷ୍ପ। ସର୍ବାଧିକ ମିଥେନ୍‌ ବାୟୁମଣ୍ଡଳରେ ବିଘଟିତ ହୋଇ ଅଙ୍ଗାରକାମ୍ଳ ଓ ଜଳକଣାରେ ପରିଣତ ହୋଇଥାଏ। ମାଟି ହେଉଛି ଦ୍ବିତୀୟ ସର୍ବାଧିକ ମିଥେନ୍‌ ଶୋଷଣକାରୀ। ତେବେ ଏହି ବିଷାକ୍ତ ବାଷ୍ପର ତୃତୀୟ ସର୍ବାଧିକ ଶୋଷଣକାରୀ ହେଉଛି ଗଛର ବକଳ ବୋଲି ଆମେରିକାର ନର୍ଥୱେଷ୍ଟ ନାସନାଲ ଲାବୋରେଟୋରିର ଗବେଷକମାନେ ଠାବ କରିଛନ୍ତି। ଗଛର ବକଳରେ ରହିଥିବା ମିଥାନୋଟ୍ରଫ୍‌ସ ନାମକ ଅଣୁଜୀବ ମିଥେନ ଶୋଷି ନିଅନ୍ତି। ସେମାନଙ୍କ ଯୋଗୁଁ ଗଛର ବକଳ ଦ୍ବାରା ବର୍ଷକୁ ୨୯ରୁ ୫୫ ନିୟୁତ ଟନ୍‌ ମିଥେନ୍‌ ଶୋଷି ହୋଇଯାଉଛି ବୋଲି ଆକଳନ କରାଯାଇଛି। ସୁତରାଂ ଅଙ୍ଗାରକାମ୍ଳ ବାଷ୍ପ ସାଙ୍ଗକୁ ବିଷାକ୍ତ ମିଥେନ ଶୋଷଣରେ ଗଛର ପ୍ରମୁଖ ଭୂମିକା ରହିଛି। ଏହା ବୃକ୍ଷରୋପଣକୁ ଆହୁରି ଉତ୍ସାହିତ କରିବ ବୋଲି ଆଶା।