ଏକ ସଦ୍ୟ ଅନୁଧ୍ୟାନ ଅନୁଯାୟୀ, ଆମେ ଯାହା ଖାଉଛେ, ତାହା ଉପରେ ଧ୍ୟାନ ଦେବା ଯଥେଷ୍ଟ ନୁହେଁ, ବରଂ ଖାଦ୍ୟକୁ ଆମେ କିପରି ରାନ୍ଧୁଛେ, ତାହା ହିଁ ଗୁରୁତ୍ବପୂର୍ଣ୍ଣ। ଖାସି ମାଂସ, ଚିକେନ୍, ଫ୍ରେଞ୍ଚ୍ ଫ୍ରାଏଜ୍ ଓ ଅନ୍ୟାନ୍ୟ ଖାଦ୍ୟ ରାନ୍ଧିବା ଲାଗି ବ୍ୟବହୃତ ଉଚ୍ଚ-ତାପ ପଦ୍ଧତି ଖାଦ୍ୟରେ ଜଟିଳ ରାସାୟନିକ ପ୍ରତିକ୍ରିୟା ସୃଷ୍ଟି କରେ। ଉଚ୍ଚ ତାପମାତ୍ରାରେ ପ୍ରାକୃତିକ ଶର୍କରାଗୁଡ଼ିକ ପ୍ରୋଟିନ୍ ସହିତ ମିଶି ‘ମେଲାର୍ଡ ପ୍ରତିକ୍ରିୟା’ ସୃଷ୍ଟି କରନ୍ତି। ଏହି ପ୍ରତିକ୍ରିୟାରୁ ଆଡ୍‌ଭାନ୍‌ସ୍‌ଡ ଗ୍ଲାଇକେସନ୍‌ ଏଣ୍ଡ ପ୍ରଡକ୍ଟ(ଏଜିଇ) ପରି କ୍ଷତିକାରକ ଯୌଗିକ  ସୃଷ୍ଟି ହୁଏ, ଯାହା ତନ୍ତୁ କଠିନତା, ପ୍ରଦାହ ଓ କୋଷୀୟ ନିଷ୍କ୍ରିୟତା ବଢ଼ାଇଥାଏ। ସମୟାନୁକ୍ରମେ ‘ଏଜିଇ’ ଶରୀରରେ ଜମା ହୋଇ ମଧୁମେହ, ହୃଦ୍‌ରୋଗ, ଦୀର୍ଘକାଳୀନ ବୃକ୍‌କ ରୋଗ ସୃଷ୍ଟି କରେ। ଗ୍ରିଲିଂ, ବ୍ରାଇଲିଂ, ରୋଷ୍ଟିଂ, ଫ୍ରାଇଂ ଓ ସିରିଂ ଭଳି ଉଚ୍ଚ-ତାପ ରନ୍ଧନ ପଦ୍ଧତିଗୁଡ଼ିକ କଞ୍ଚା ଖାଦ୍ୟ ତୁଳନାରେ ଖାଦ୍ୟରେ ଏଜିଇ ପରିମାଣକୁ ୧୦୦ଗୁଣ ବୃଦ୍ଧି କରିପାରେ ବୋଲି ଅନୁଧ୍ୟାନରୁ ଜଣାଯାଇଛି। 

Advertisment

ତେବେ ବାମ୍ଫେଇବା, ଫୁଟାଇବା, ସିଝାଇବା ଆଦି ଜଳ-ଭିତ୍ତିକ ପୁରାତନ ରନ୍ଧନ ପଦ୍ଧତି ପୋଷକ ତତ୍ତ୍ୱ ସଂରକ୍ଷଣ କରିବାରେ ସାହାଯ୍ୟ କରିଥାଏ ଏବଂ ଏଜିଇ ଗଠନକୁ ସୀମିତ କରିଥାଏ। ଏଥି ସହିତ ଏହି ପଦ୍ଧତିଗୁଡ଼ିକ ଉତ୍ତମ ହାଇଡ୍ରେସନ୍, ଉନ୍ନତ କୋଲେଷ୍ଟ୍ରଲ୍ ଓ ବାର୍ଦ୍ଧକ୍ୟ ବିରୋଧୀ ଲାଭ ମଧ୍ୟ ପ୍ରଦାନ କରେ। ‘ସେଲ୍ ରିପୋର୍ଟସ୍ ମେଡିସିନ୍‌’ରେ ପ୍ରକାଶିତ ଏକ ଅଧ୍ୟୟନ ଅନୁଯାୟୀ, ନିୟନ୍ତ୍ରିତ ଅବସ୍ଥାରେ ସମାନ ଉପାଦାନଗୁଡ଼ିକୁ ଫୁଟାଇବା ଓ ବାମ୍ଫେଇବା ଦ୍ୱାରା ଏଜିଇ ସ୍ତର ପ୍ରାୟ ୫୦ ପ୍ରତିଶତ ହ୍ରାସ ପାଇଥାଏ।