ଇଣ୍ଡୋନେସିଆର ଦୁଇ ଜଣ ମହିଳା ନିକଟରେ ସେମାନଙ୍କର କୁକୁରମାନଙ୍କ ପାଇଁ ଏକ ଭବ୍ୟ ବିବାହ ଉତ୍ସବ ଆୟୋଜନ କରିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ସୂଚନାନୁଯାୟୀ, ଗତ ଶୁକ୍ରବାର ରାଜଧାନୀ ଜାକର୍ତ୍ତାର ଏକ ମଲ୍‌ରେ ଦୁଇଟି ‘ଆଲାସ୍କାନ୍‌ ମାଲାମ୍ୟୁଟ୍‌ସ’ ପ୍ରଜାତିର କୁକୁରଙ୍କର ବିବାହ ଉତ୍ସବ ପାଳନ କରାଯାଇଥିଲା। ସେଥିପାଇଁ ଆୟୋଜିତ ଏକ ଖର୍ଚ୍ଚବହୁଳ ସମାରୋହରେ ସେମାନଙ୍କର ମାଲିକାଣୀ ଓ ସମ୍ପର୍କୀୟମାନେ ଉପସ୍ଥିତ ଥିଲେ। ତେବେ କୁକୁର ବରକନ୍ୟାଙ୍କୁ ପାରମ୍ପରିକ ତଥା ଅତି ଦାମୀ ଜାଭାନୀ(ଇଣ୍ଡୋନେସୀୟ ସଂସ୍କୃତି) ପୋଷାକ ପିନ୍ଧାଯାଇଥିଲା ଯାହାର ମୂଲ୍ୟ ୧୭,୭୦୦ ଡଲାର ବା ୧୪,୫୨,୦୦୦ ଟଙ୍କା ଥିଲା।

Advertisment

ତେବେ ନିଜର ଗଧିଆ ପରି ବିଶାଳ କୁକୁରଙ୍କ ପାଇଁ ଏଭଳି ବିଳାସମୟ ବିବାହ ଉତ୍ସବ କରାଇଥିବା ଗର୍ବରେ ମାଲିକାଣୀ ଦ୍ବୟ ତାହାର ବଛା ବଛା ଫଟୋକୁ ସାମାଜିକ ଗଣମାଧ୍ୟମରେ ଛାଡ଼ିଥିଲେ। ନବ କୁକୁର ଦମ୍ପତି ପରସ୍ପରର ପଞ୍ଝାକୁ ଜାବୁଡ଼ି ଧରିବାର ଦୃଶ୍ୟକୁ ସମସ୍ତେ ପସନ୍ଦ କରିବେ ବୋଲି ସେମାନେ ଆଶା କରିଥିଲେ। ମାତ୍ର ଜାଭାନୀ ସଂସ୍କୃତି ପ୍ରତି ତାହା ଅପମାନ ବୋଲି ତାହାକୁ ନେଇ ଗଣମାଧ୍ୟମରେ ନକାରାତ୍ମକ ଟିପ୍ପଣୀମାନ ଆସିବା ସହ ଏପରି କାର୍ଯ୍ୟକୁ ତୀବ୍ର ନିନ୍ଦା କରାଯାଇଥିଲା। ସେହିପରି ଇଣ୍ଡୋନେସିଆ ପରି ବିଶ୍ବର ଚତୁର୍ଥ ସର୍ବାଧିକ ଜନବହୁଳ ରାଷ୍ଟ୍ରରେ ୧୦ ପ୍ରତିଶତ ଲୋକ ତଥାପି ଦାରିଦ୍ର୍ୟ ସୀମାରେଖା ତଳେ ଥିବା ବେଳେ କୁକୁର ପାଇଁ ଏଭଳି ପାଣି ପରି ଖର୍ଚ୍ଚ କରିବା ଶୋଭନୀୟ ନୁହେଁ ବୋଲି ଅନେକ ପରାମର୍ଶ କରିଥିଲେ। ଶେଷରେ ମାଲିକାଣୀ ଦ୍ବୟ ବାଧ୍ୟ ହୋଇ ସାମ୍ବାଦିକ ସମ୍ମିଳନୀ ଡାକି ଏହି ଘଟଣା ପାଇଁ ଦୁଃଖ ପ୍ରକାଶ କରିବା ସହ ସର୍ବସମକ୍ଷରେ କ୍ଷମା ମାଗିଥିଲେ।