‘ଭାଣ୍ଟା ବ୍ଲାକ୍’ ହେଉଛି ପୃଥିବୀର ସବୁଠାରୁ କଳା ରଙ୍ଗ। ତେବେ ଏହି ରଙ୍ଗକୁ ପେନ୍ ବା କଲମରେ ବ୍ୟବହାର କରିବା ସମ୍ଭବ ନୁହେଁ। ଜାପାନର ମିତସୁବିସି ପେନସିଲ୍‌ କମ୍ପାନି ନୂଆ କରି ଏକ ପେନ୍‌ ପ୍ରସ୍ତୁତ କରିଛି ଯାହାର କାଳି ସବୁଠାରୁ କଳା। ଏହାର ନାମ ୟୁନି-ବଲ୍‌ ୱାନ୍‌ ପେନ୍‌। ଏହି ପେନ୍‌ ବିଶ୍ବର ସବୁଠୁ କଳା ଜେଲ୍‌ (ବହଳ ଅଠାଳିଆ ତରଳ ପଦାର୍ଥ) ପେନ୍‌ ଭାବେ ଗିନିସ ବିଶ୍ବ ରେକର୍ଡ ସୃଷ୍ଟି କରିଛି। ଏଭଳି ସ୍ବତନ୍ତ୍ର ଧରଣର ଜେଲ୍‌ ପେନ୍‌କୁ ଗୁରୁତ୍ବ ଦେବା ପଛର କାରଣ ଅତି ରୋଚକ। କମ୍ପାନିର କହିବା କଥା, ଜାପାନର ରିତ୍ସୁମିକାନ୍‌ ବିଶ୍ବବିଦ୍ୟାଳୟ ସହଯୋଗରେ ଏକ ସ୍ମରଣ ଶକ୍ତି ପରୀକ୍ଷା କରାଯାଇଥିଲା।

Advertisment

ସେଥିରେ ବିଭିନ୍ନ ରଙ୍ଗର ବଲ୍‌ ପଏଣ୍ଟ୍‌ ପେନ୍‌ ବ୍ୟବହାର କରାଯାଇଥିଲା। ତେବେ ଅନ୍ୟ ରଙ୍ଗର ଲେଖା ଅପେକ୍ଷା କଳା କାଳିରେ ଲେଖା ଶବ୍ଦଗୁଡ଼ିକ ଅଧିକ ମନେ ରହୁଥିବା କଥା ଜଣାପଡ଼ିଥିଲା। ସେହିପରି ୟୁନି-ବଲ ୱାନ୍ ଗାଢ଼ କଳା ଜେଲ୍‌ କଲମରେ ଲେଖାଯାଇଥିବା ଶବ୍ଦଗୁଡ଼ିକ ଅନ୍ୟ ଜେଲ୍‌ କାଳିରେ ଲେଖା ଶବ୍ଦ ଅପେକ୍ଷା ସବୁଠୁ ବେଶୀ ମନେ ରହୁଥିବା ଜଣାଯାଇଥିଲା। ୟୁନି-ବଲ୍‌ ୱାନ୍ କଲମର ବିଶେଷତ୍ବ ହେଉଛି, ସେଥିରେ ଥିବା ଜେଲ୍‌ରେ କଠିନ ଓ ତରଳ ଉପାଦାନର ଅନୁପାତକୁ ପରିବର୍ତ୍ତନ କରାଯାଇଛି। ଫଳରେ ଲେଖିଲା ବେଳେ କାଗଜ ସଂସ୍ପର୍ଶରେ ଆସୁଥିବା କାଳିର ତରଳ ଅଂଶ ତତ୍କାଳ କାଗଜକୁ ଭେଦିଯାଏ ଏବଂ କାଗଜ ଦେହରେ ଏକ କଠିନ ଆସ୍ତରଣ ସୃଷ୍ଟି ହୁଏ। ତେଣୁ ଏଥିରେ ଲେଖିଲେ ସବୁଠାରୁ କଳା ଛାପ ସୃଷ୍ଟି ହୋଇଥାଏ।