ରକ୍ତବୀଜବଧ ଦେବୀ ଦୁର୍ଗାଙ୍କର ଆଉ ଏକ ଜନକଲ୍ୟାଣକାରୀ କୀର୍ତ୍ତି। ଏହି ଦୈତ୍ୟର ବୃତ୍ତାନ୍ତ ମଧ୍ୟ ‘ସପ୍ତଶତୀ ଚଣ୍ଡୀ’ରେ ବର୍ଣ୍ଣିତ ଅଛି।
ଚଣ୍ଡ ଓ ମୁଣ୍ଡ ବଧ ହେବାର ସମ୍ବାଦ ଶୁଣି ମହାପ୍ରତାପୀ ଅସୁରରାଜ ଶୁମ୍ଭ କ୍ରୁଦ୍ଧ ହେଲା। ବହୁ ଦୈତ୍ୟ ଓ ସେନାନାୟକଙ୍କୁ ଯୁଦ୍ଧକୁ ପଠାଇଦେଲା। ଯୁଦ୍ଧନାଦରେ ଧରଣୀ କମ୍ପିଲା। ସେହି ସେନା ଚତୁର୍ଦ୍ଦିଗରୁ ଚଣ୍ଡିକା ଓ କାଳିକା ଦେବୀଙ୍କୁ ଘେରିଗଲେ। ତାହାର ପ୍ରତିକାର ସ୍ୱରୂପ, ବ୍ରହ୍ମା, ବିଷ୍ଣୁ, ରୁଦ୍ର, ଇନ୍ଦ୍ର ଆଦି ଦେବଗଣଙ୍କର ଶକ୍ତିମାନେ ସେମାନଙ୍କର ଶରୀରରୁ ବାହାରି ରଣଭୂମିରେ ଯାଇ ସମବେତ ହେଲେ। ସେମାନଙ୍କ ମଧ୍ୟରେ ଥିଲେ ବ୍ରହ୍ମାଣୀ, ଇନ୍ଦ୍ରାଣୀ, ରୁଦ୍ରାଣୀ, ଯଜ୍ଞବାରାହୀ, ନାରସିଂହୀ ଆଦି। ତାହା ଦେଖି ମହାଦେବ ଚଣ୍ଡିକାଙ୍କୁ କହିଲେ- ମୋହର ପ୍ରସନ୍ନତା ପାଇଁ ତୁମ୍ଭେ ତୁରନ୍ତ ଅସୁର ସଂହାର କର।
ତାହା ଶୁଣି ଦେବୀଙ୍କ ଶରୀରରୁ ମହାଶକ୍ତିସଂପନ୍ନା ଉଗ୍ରଚଣ୍ଡୀ ପ୍ରକଟ ହେଲେ। ତାହାପରେ ଚଣ୍ଡିକାଙ୍କ ଅନୁରୋଧରେ ଶିବ ଦୂତ ରୂପେ ଯାଇ ରକ୍ତବୀଜକୁ କହିଲେ- ତୁ ଯଦି ଜୀବିତ ରହିବାକୁ ଚାହୁଁ, ତେବେ ପାତାଳଲୋକକୁ ଚାଲି ଯା। ନ ହେଲେ ମୋର ଯୋଗିନୀଗଣ ତୋର ମାଂସ ଖାଇ ଓ ରୁଧିର ପିଇ ତୃପ୍ତ ହେବେ। 
ମାତ୍ର ସେଥିପ୍ରତି କର୍ଣ୍ଣପାତ ନ କରି ସେହି ଦୈତ୍ୟ ଯୁଦ୍ଧ ଆରମ୍ଭ କରିଦେଲା। ବ୍ରହ୍ମାଣୀ, ଇନ୍ଦ୍ରାଣୀ, ମାହେଶ୍ୱରୀ ଆଦି ନିଜ ନିଜର ଶକ୍ତିମତେ ଯୁଦ୍ଧରେ ପ୍ରବୃତ୍ତ ହେଲେ। ଇନ୍ଦ୍ରାଣୀଙ୍କ ବଜ୍ରାଘାତରେ ଶତ ଶତ ଦୈତ୍ୟ ଧରାଶାୟୀ ହୋଇଗଲେ। ତାହା ଦେଖି ମହାଦୈତ୍ୟ ରକ୍ତବୀଜ କ୍ରୋଧିତ ହୋଇ ରଣାଙ୍ଗନରେ ଅବତୀର୍ଣ୍ଣ ହେଲା।
ରକ୍ତବୀଜର ନାମକୁ ସାର୍ଥକ କରି, ତା’ର ବିନ୍ଦୁଏ ରକ୍ତ ଭୂମିରେ ପଡ଼ିଲେ ସେଥିରୁ ଆଉ ଏକ ରକ୍ତବୀଜର ଆବିର୍ଭାବ ଘଟୁଥିଲା। ଏହିପରି ଭାବରେ ରକ୍ତବୀଜର ରକ୍ତରୁ ବାହାରି ଅସଂଖ୍ୟ ରକ୍ତବୀଜ ସମଗ୍ର ଜଗତରେ ପରିବ୍ୟାପ୍ତ ହୋଇଗଲେ। ତାହା ଦେଖି ଚଣ୍ଡିକା କାଳୀଙ୍କୁ କହିଲେ- ହେ ଚାମୁଣ୍ଡେ! ତୁମ୍ଭେ ତୁମ୍ଭର ଜିହ୍ୱା ବିସ୍ତାର କରି ଶସ୍ତ୍ରାଘାତରେ ଝରୁଥିବା ସବୁ ରୁଧିର ପାନ କରିଯାଅ। ଚାମୁଣ୍ଡା ତାହା କଲେ। ଫଳରେ ଆଉ ନୂଆ ରକ୍ତବୀଜ ଉପୁଜି ପାରିଲେ ନାହିଁ। ଚାମୁଣ୍ଡା ତାହା କରୁଥିବା ବେଳେ, ଚଣ୍ଡିକା ନିଜର ତ୍ରିଶୂଳରେ ରକ୍ତବୀଜର ବକ୍ଷ ଭେଦ କଲେ। ରକ୍ତହୀନ ରକ୍ତବୀଜ ଧରାଶାୟୀ ହୋଇଗଲା।