ବହି ଫେରାଇବାକୁ ଲାଇବ୍ରେରି ଯାଇଥିଲି। ରେଜିଷ୍ଟର୍ରେ ଦସ୍ତଖତ କରିବାକୁ ପଡ଼ିଲା। ମୁଁ କିନ୍ତୁ ପେନ୍ ଆଣିବାକୁ ଭୁଲି ଯାଇଥିଲି। ଟିକେ ଦୂରରେ ବସିଥିଲା ଝିଅଟେ। ତାକୁ ପେନ୍ ମାଗିଲି। ସେ କିନ୍ତୁ କୌଣସି ପ୍ରତିକ୍ରିୟା ଦେଲାନାହିଁ। ଶୁଣି ନଶୁଣିବା ପରି ବସିଲା। ମୋତେ ଭାରି ବିରକ୍ତ ଲାଗିଲା। ମନେ ମନେ ଭାବୁଥିଲି, କାଲୁଣୀଟା ନା କ’ଣ? ଶୁଭୁନି ତାକୁ! ପାଖକୁ ଯାଇ ଦେଖେ ସତକୁ ସତ ବିଚାରୀଟି ମୂକ ଓ ବଧିରା। ତାକୁ ଠାରରେ ପେନ୍ ମାଗିଲି। ସେ ଚଟ୍କରି ହାତକୁ ବଢ଼ାଇ ଦେଲା।
କେବେ କୌଣସି ଚାନେଲ୍ରେ ମୂକବଧିରଙ୍କ ଲାଗି ଉଦ୍ଦିଷ୍ଟ ନ୍ୟୁଜ୍ ବୁଲେଟିନ୍ ଦେଖିଛନ୍ତି? ପରଦାରେ ଦୁଇଜଣ ଆଙ୍କର୍ ଥିବା ବେଳେ ଜଣେ ପଢୁଥାଆନ୍ତି ଏବଂ ଅାଉ ଜଣେ ଠାରରେ ତାହା ପ୍ରକାଶ କରୁଥାଆନ୍ତି। ଯଦିଓ ଭାଷା ଭାବନା ପରିପ୍ରକାଶର ଏକ ବଳିଷ୍ଠ ମାଧ୍ୟମ, କିନ୍ତୁ ଠାର ଭାଷାରେ ମଧ୍ୟ ଭାବ ପରିପ୍ରକାଶ କରିହୁଏ। ଯେମିତି ଦୃଷ୍ଟିବାଧିତ ପିଲାଙ୍କୁ ବ୍ରେଲି ଶିକ୍ଷା ଦିଆଯାଏ; ଠିକ୍ ସେମିତି ଶ୍ରବଣବାଧିତ ପିଲାଙ୍କୁ ସାଙ୍କେତିକ ଭାଷା। ହାତ, ମୁହଁ ଓ ବାହୁର ବ୍ୟବହାରରେ ବିଶେଷ ଧରଣର ଅଙ୍ଗଭଙ୍ଗୀ ସହାୟତାରେ ମନକଥା ପ୍ରକାଶ କରାଯାଏ।
ସାଙ୍କେତିକ ଭାଷା ସଂପର୍କରେ ପ୍ରାରମ୍ଭିକ ଉଲ୍ଲେଖ ଖ୍ରୀଷ୍ଟପୂର୍ବ ପଞ୍ଚମ ଶତାବ୍ଦୀରେ ପ୍ଲାଟୋଙ୍କ କ୍ରାଟାଇଲସ୍ରୁ ମିଳିଥିଲା। ଏହା ବାଦ୍ ସକ୍ରେଟିସ୍ଙ୍କର ଏ ସଂପର୍କିତ ବକ୍ତବ୍ୟ ବି ରହିଛି। ସେ କହିଛନ୍ତି, “ଯଦି ଆମର ସ୍ୱର କିମ୍ବା ଜିଭ ନଥାନ୍ତା ଏବଂ ଆମେ ପରସ୍ପରକୁ ମନକଥା ଜଣାଇବାକୁ ଚାହୁଥାନ୍ତୁ, ତେବେ ଆମେ କ’ଣ ଆମର ହାତ, ମୁହଁ ଓ ଶରୀରର ଅନ୍ୟ ଅଙ୍ଗର ଗତିବିଧି ଦ୍ୱାରା ସଙ୍କେତ ଦେବାକୁ ଚେଷ୍ଟା କରି ନଥାନ୍ତୁ, ଯେମିତି ଏବେ ମୂକମାନେ କରୁଛନ୍ତି?” ଏଣୁ ସେକାଳରୁ ମୂକବଧିରମାନେ ସାଙ୍କେତିକ ଭାଷା ବ୍ୟବହାର କରୁଥିବା ସ୍ପଷ୍ଟ ହୁଏ।
ଦକ୍ଷିଣ ଏସୀୟ ଭାଷାସାହିତ୍ୟର ଇତିହାସରେ ସାଙ୍କେତିକ ଭାଷା ଓ ବଧିରଙ୍କ ଭାବପ୍ରକାଶ ଶୈଳୀ ସଂପର୍କରେ ଆଲୋଚନା କ୍ବଚିତ୍ ଦେଖିବାକୁ ମିଳେ। ତେବେ ହିନ୍ଦୁ, ବୌଦ୍ଧ ଓ ଜୋରାଷ୍ଟ୍ରିୟାନ୍ ଭଳି ପ୍ରାଚୀନ ଧର୍ମରେ ବହୁ ଶତାବ୍ଦୀ ତଳୁ ପ୍ରତୀକାତ୍ମକ ଭାବପ୍ରକାଶ ପରମ୍ପରା ପ୍ରଚଳିତ। ମୁଖ୍ୟତଃ ମୌନବ୍ରତ ଧାରଣ ସମୟରେ ଏହାର ବ୍ୟବହାର ହୋଇଥାଏ। ଏହାବ୍ୟତୀତ, ଭରତ ମୁନିଙ୍କ ନାଟ୍ୟଶାସ୍ତ୍ରରେ ମଧ୍ୟ ଭାବ ପ୍ରକାଶ ଲାଗି ମୁଦ୍ରାର ବ୍ୟବହାର ସଂପର୍କରେ ଉଲ୍ଲେଖ ରହିଛି। ଦ୍ୱାଦଶ ଶତାବ୍ଦୀର ଇସ୍ଲାମିକ୍ ଆଇନଗତ ବ୍ୟାଖ୍ୟାନ ହିଦାୟହରେ ଉଲ୍ଲେଖ ଅଛି ଯେ ବଧିରମାନେ ଯଦି ସହଜ ତଥା ବୋଧଗମ୍ୟ ସଙ୍କେତ ବ୍ୟବହାର କରନ୍ତି, ତେବେ ପଟ୍ଟା, ବିବାହ, ଛାଡ଼ପତ୍ର ଓ ଆର୍ଥିକ କାରବାର ଭଳି କ୍ଷେତ୍ରରେ ଆଇନଗତ ସହାୟତା ପାଇବେ।
ଦକ୍ଷିଣ ଏସିଆ ଉପମହାଦେଶରେ ଇଣ୍ଡୋ-ପାକିସ୍ତାନୀ ସାଇନ୍ ଲାଙ୍ଗୁଏଜ୍ (ଆଇପିଏସ୍ଏଲ୍) ହେଉଛି ପ୍ରମୁଖ ସାଙ୍କେତିକ ଭାଷା। ଏହାକୁ ପାଖାପାଖି ୧୫ ନିୟୁତ ଲୋକ ବ୍ୟବହାର କରନ୍ତି। ତେବେ ୨୦୨୪ ସୁଦ୍ଧା, ଆଇପିଏସ୍ଏଲ୍ ବିଶ୍ୱର ସର୍ବାଧିକ ବ୍ୟବହୃତ ସାଙ୍କେତିକ ଭାଷା ଭାବେ ସ୍ବୀକୃତି ପାଇଛି। ଏଥନୋଲୋଗ୍ ଏହାକୁ ବିଶ୍ୱର ୧୪୯ତମ ସର୍ବାଧିକ କଥିତ ଭାଷା ଭାବରେ ସ୍ଥାନିତ କରିଛି। କିଛି ବିଦ୍ୱାନ୍ ଭାରତ, ପାକିସ୍ତାନ, ବାଂଲାଦେଶ ଓ ସମ୍ଭବତଃ ନେପାଳରେ ପ୍ରଚଳିତ ସାଙ୍କେତିକ ଭାଷାର ଭିନ୍ନ ଭିନ୍ନ ଧାରାକୁ ଚିହ୍ନିତ କରିଛନ୍ତି। ସେଗୁଡ଼ିକ ହେଉଛି; ଭାରତୀୟ ସାଙ୍କେତିକ ଭାଷା (ଆଇଏନ୍ଏଲ୍), ପାକିସ୍ତାନୀ ସାଙ୍କେତିକ ଭାଷା (ପିକେଏଲ୍), ପଶ୍ଚିମବଙ୍ଗ ସାଙ୍କେତିକ ଭାଷା ବା କୋଲ୍କାତା ସାଇନ୍ ଲାଙ୍ଗୁଏଜ୍ (କେଏସ୍ଏଲ୍) ଓ ନେପାଳୀ ସାଙ୍କେତିକ ଭାଷା (ଏନ୍ଏସ୍ଏଲ୍)।
୨୦୦୫ ମସିହାରେ ଜାତୀୟ ପାଠ୍ୟକ୍ରମ ଫ୍ରେମ୍ୱାର୍କ ସାଙ୍କେତିକ ଭାଷା ଶିକ୍ଷାକୁ କିଛି ପରିମାଣରେ ବୈଧତା ପ୍ରଦାନ କରିଥିଲା। ସାଙ୍କେତିକ ଭାଷାଗୁଡ଼ିକୁ ଶ୍ରବଣବାଧିତ ଛାତ୍ରମାନେ ଇଚ୍ଛାଧୀନ ତୃତୀୟ ଭାଷା ଭାବେ ବାଛି ପାରିବେ ବୋଲି ଏହା ସୂଚାଇ ଦେଇଥିଲା। ମାର୍ଚ୍ଚ ୨୦୦୬ରେ ଏନ୍ସିଇଆର୍ଟି ତୃତୀୟ ଶ୍ରେଣୀର ପାଠ୍ୟପୁସ୍ତକରେ ସାଙ୍କେତିକ ଭାଷା ଉପରେ ଏକ ଅଧ୍ୟାୟ ପ୍ରକାଶ କରିଥିଲା। ଯେକୌଣସି ଭାଷା ପରି ଏହା ଏକ ଭାଷା ଏବଂ ଯୋଗାଯୋଗର ଭିନ୍ନ ମାଧ୍ୟମ ବୋଲି ଏଥିରେ ଉଲ୍ଲେଖ ଥିଲା।
ଓଡ଼ିଶାରେ ଭାରତୀୟ ସାଙ୍କେତିକ ଭାଷା ହିଁ ବ୍ୟବହୃତ ହୁଏ। ଏବେ ଏହିକ୍ରମରେ ‘ସଙ୍କେତ-ମୋ ଭାଷା’ ପ୍ରୋଜେକ୍ଟ୍ରେ ୪୦୦୦ ଛାତ୍ର ଓ ୮୦୦ ଶିକ୍ଷକଙ୍କୁ ତାଲିମ ଦେବାକୁ ଲକ୍ଷ୍ୟ ରଖାଯାଇଛି। ଡିଫ୍ ଏନେବଲ୍ଡ୍ ଫାଉଣ୍ଡେସନ୍ ଏବଂ ଓଡ଼ିଶା ରାଇଜିଂ ଫାଉଣ୍ଡେସନ୍ (ଓଆର୍ଏଫ୍) ଭଳି ସଂଗଠନଗୁଡ଼ିକ ମଧ୍ୟ ଆଇଏସ୍ଏଲ୍କୁ ପ୍ରୋତ୍ସାହିତ କରୁଛନ୍ତି। ମୁଖ୍ୟଧାରା ଶିକ୍ଷାରେ ଏହାକୁ ସାମିଲ କରିବା ସହ ଏହାର ତାଲିମକୁ ସାର୍ବଜନୀନ କରିବାକୁ ଫାଉଣ୍ଡେସନ୍ ଲକ୍ଷ୍ୟ ରଖିଛି।