ମେ୧୨ ତାରିଖ ହେଉଛି ବୁଦ୍ଧପୂର୍ଣ୍ଣିମା। ଏହି ଦିନଟିକୁ ସର୍ବତ୍ର ଭଗବାନ ବୁଦ୍ଧଦେବଙ୍କ ଜୟନ୍ତୀ ଭାବେ ପାଳନ କରାଯାଏ। କିନ୍ତୁ ଭାରତୀୟ ସାମରିକ ପରାକ୍ରମର ଇତିହାସରେ ବୁଦ୍ଧପୂର୍ଣ୍ଣିମା ଦିନଟିର ଭିନ୍ନ ମହତ୍ତ୍ବ ରହିଛି। ବିଶେଷକରି ଏହି ଦିନ ଭାରତ ଏକ ପରମାଣୁ ଶକ୍ତିସଂପନ୍ନ ରାଷ୍ଟ୍ର ଭାବେ ବିଶ୍ବବିଦିତ ହୋଇଥିଲା। ଭାରତୀୟ ପୁରାଣରେ ବର୍ଣ୍ଣିତ ତଥ୍ୟ ଅନୁସାରେ, ବ୍ରହ୍ମାସ୍ତ୍ର ହେଉଛି ଚରମ ଅସ୍ତ୍ର। ଏହାଠାରୁ ଶକ୍ତିଶାଳୀ ଅସ୍ତ୍ର ଆଉ ନାହିଁ ଏବଂ ଏହାର ପ୍ରୟୋଗରେ ହିଁ ଯୁଦ୍ଧ ଶେଷ ହୋଇଥାଏ। ଆଜିର ପରମାଣୁ ବୋମା ହିଁ ସେ କାଳର ବ୍ରହ୍ମାସ୍ତ୍ର। ୧୯୭୪ ମସିହା ମେ ୧୮ ତାରିଖ ଦିନ ରାଜସ୍ଥାନର ପୋଖରାନ୍‌ଠାରେ ଥିବା ଭାରତୀୟ ସେନାର ପରୀକ୍ଷଣ ରେଞ୍ଜ୍‌ରେ ନିଜର ପ୍ରଥମ ପରମାଣୁ ବୋମା ପରୀକ୍ଷଣ କରି ସମଗ୍ର ବିଶ୍ବର ଦୃଷ୍ଟି ଆକର୍ଷଣ କରିଥିଲା ଭାରତ। ଇନ୍ଦିରା ଗାନ୍ଧୀଙ୍କ ପ୍ରଧାନମନ୍ତ୍ରିତ୍ବ କାଳରେ ହୋଇଥିବା ଦେଶର ଏହି ପ୍ରଥମ ପରମାଣୁ ବୋମା ପରୀକ୍ଷଣର କୋଡ୍‌ନେମ୍ ଥିଲା ‘ବିହସନ ବୁଦ୍ଧ’ (ଦ ସ୍ମାଇଲିଙ୍ଗ୍‌ ବୁଦ୍ଧ)। ଆଉ ସେଦିନ ଥିଲା ବୁଦ୍ଧପୂର୍ଣ୍ଣିମା। ଭାବା ଆଟମିକ୍‌ ରିସର୍ଚ ସେଣ୍ଟର୍‌ର ବୈଜ୍ଞାନିକମାନଙ୍କ ଦ୍ବାରା ବିକଶିତ ଏହି ସ୍ବଳ୍ପ କ୍ଷମତାସଂପନ୍ନ ପରମାଣୁ ବୋମା ପରୀକ୍ଷଣ ଏକ ବିଶ୍ବଶକ୍ତି ଭାବେ ଭାରତର ଅଭ୍ୟୁଦୟକୁ ସୂଚିତ କରିଥିଲା।

Advertisment

ଏହା ପରେ ୧୯୯୮ ମସିହା ମେ ୧୧ ତାରିଖରେ ଭାରତ ତା’ର ଦ୍ବିତୀୟ ପରମାଣୁ ବୋମା ସେହି ପୋଖରାନ୍‌ରେ ହିଁ ପରୀକ୍ଷଣ କରିଥିଲା। ଅଟଳବିହାରୀ ବାଜପେୟୀଙ୍କ ପ୍ରଧାନମନ୍ତ୍ରିତ୍ବ କାଳରେ ହୋଇଥିବା ଏହି ପରମାଣୁ ପରୀକ୍ଷଣର କୋଡ୍‌ନେମ୍ ଥିଲା ‘ବୁଦ୍ଧ ପୁଣି ମନ୍ଦହସିଲେ’ (ବୁଦ୍ଧ ସ୍ମାଇଲ୍‌ସ୍‌ ଏଗେନ୍)। ରାତି ୩.୪୫ ମିନିଟ୍‌ରେ ଦୁଇ ପର୍ଯ୍ୟାୟରେ ଭାରତ ୫ଟି ପରମାଣୁ ବୋମା ପରୀକ୍ଷଣ କରିଥିଲା। ସଂଯୋଗବଶତଃ ସେଦିନ ବି ଥିଲା ବୁଦ୍ଧପୂର୍ଣ୍ଣିମା।  ଦ୍ବିତୀୟ ପୋଖରାନ୍ ଆଣବିକ ପରୀକ୍ଷଣ ପରେ ଭାରତ ବିରୋଧରେ ଆମେରିକା, ଜାପାନ ଓ ଅନ୍ୟ କେତେକ ଦେଶ ଅର୍ଥନୈତିକ ପ୍ରତିବନ୍ଧକ ଲାଗୁ କରିଥିଲେ। ଅନ୍ତଃରାଷ୍ଟ୍ରୀୟ ଚାପ ସ‌େତ୍ତ୍ବ ଭାରତ ନିଜର ଆଣବିକ କାର୍ଯ୍ୟକ୍ରମ ଜାରି ରଖିଥିଲା। ଭାରତୀୟ ଆଣବିକ ଶକ୍ତି କେବଳ ଶାନ୍ତି ପାଇଁ ଉଦ୍ଦିଷ୍ଟ ଏବଂ ଏହା ହିଂସା କିମ୍ବା ଯୁଦ୍ଧ ପାଇଁ ନୁ‌େହଁ ବୋଲି ଭାରତ ସ୍ପଷ୍ଟ କରିଥିଲା। ଭାରତର ଆଣବିକ ନୀତି ଓ ଏହାର ରଣନୈତିକ ସିଦ୍ଧାନ୍ତ କେବଳ ଶାନ୍ତି ପାଇଁ ଉଦ୍ଦିଷ୍ଟ। ଅନ୍ୟ କେଉଁ ରାଷ୍ଟ୍ର ବିରୋଧରେ ହିଂସା ପାଇଁ ନୁହେଁ। ଭାରତ ବିଶ୍ବ ସମୁଦାୟକୁ ଏହା ବୁଝାଇବା‌େର ସକ୍ଷମ ହୋଇଥିଲା।

ତେବେ କେତେକ ରାଷ୍ଟ୍ର ଏହି ପରମାଣୁ ବୋମା ପରୀକ୍ଷଣକୁ ନେଇ ଶାନ୍ତି, ଯୁଦ୍ଧ ଓ ସାମରିକ ଶକ୍ତି ମଧ୍ୟରେ ଥିବା ସଂପର୍କ ଉପରେ ପ୍ରଶ୍ନ ଉଠାଇଥିଲେ। ଏହି ପ୍ରଶ୍ନର ଉତ୍ତରରେ ଭାରତ ବିଶ୍ବକୁ କହିଥିଲା, ବୁଦ୍ଧ ହେଉଛନ୍ତି ଶାନ୍ତିର ପ୍ରତୀକ। ବୁଦ୍ଧପୂର୍ଣ୍ଣିମାରେ ବୁଦ୍ଧଙ୍କ ମୃଦୁହସ କେବଳ ବିନାଶକାରୀ ଶକ୍ତିଙ୍କ ସହିତ ଶାନ୍ତି ଓ ମୈତ୍ରୀର ପ୍ରତୀକକୁ ଯୋଡ଼ିବାର ଦିଗକୁ ଆଲୋକିତ କରୁଛି। ବୁଦ୍ଧପୂର୍ଣ୍ଣିମାରେ ପରମାଣୁ ବୋମା ପରୀକ୍ଷଣ ଶାନ୍ତି, ଶକ୍ତି ଓ ଜ୍ଞାନର ଭାବନା ଜାଗ୍ରତ କରୁଛି। ବୁଦ୍ଧଙ୍କ ମୃଦୁହସ ଶାନ୍ତି ଓ ଶକ୍ତିର ସମନ୍ବୟ। ବୁଦ୍ଧ ଓ ଯୁଦ୍ଧକୁ ଭାରତ କେବେ ଯୋଡ଼ି ନାହିଁ କି ଯୋଡ଼ିବ ବି ନାହିଁ। ବୁଦ୍ଧଦେବଙ୍କ ହସରେ ଥିବା ପ୍ରଶାନ୍ତିକୁ ହିଁ ଭାରତ ଗ୍ରହଣ କରିଛି।