ବାହାନଗା ରେଳ ଦୁର୍ଘଟଣା: ଡିଏନ୍‌ଏ ରିପୋର୍ଟ ପାଇଁ ବନ୍ଧାପଡ଼ିଛି ଭାଇର ଶବ

ଖଣ୍ଡଗିରି : ପଶ୍ଚିମବଙ୍ଗ ମାଲ୍‌ଦା ଜିଲ୍ଲାର ଅଶୋକ ରବିଦାସଙ୍କ ଭାଇ କ୍ରିଷ୍ଣା ରବିଦାସ(୨୦)। ବେଙ୍ଗାଲୁରୁରେ ଶ୍ରମିକ ଭାବେ କାମ କରନ୍ତି। ‌୨ ତାରିଖରେ ଅନ୍ୟ ୪ ସାଙ୍ଗଙ୍କ ସହ ଘରକୁ ଫେରୁଥିଲେ। ବାହାନଗା ରେଳ ଦୁର୍ଘଟଣାରେ ୪ ସାଙ୍ଗଙ୍କ ସହିତ କ୍ରିଷ୍ଣାଙ୍କ ଜୀବନ ଚାଲିଗଲା। ଅଶୋକ ଓ ଭାଇର ସାଙ୍ଗଙ୍କ ପରିବାରଲୋକ ଦୁର୍ଘଟଣା ଖବର ପାଇ ବାଲେଶ୍ବର ଗଲେ। ସେଠି ଥିବା ସମସ୍ତ ମୃତ ଶରୀର ଦେଖିଲେ। ବାଲେଶ୍ବରର ସବୁ ଡାକ୍ତରଖାନା ବୁଲିଲେ। ସରକାର ମାଗ‌ଣାରେ ଗାଡ଼ି ଖର୍ଚ୍ଚ ଦେବା କଥା ଜାଣି ନଥିବାରୁ ନିଜ ହାତରୁ ଟଙ୍କା‌ ଖର୍ଚ୍ଚ କରି ବୁଲି ବୁଲି ନୟାନ୍ତ ହେଲେ। ଶେଷରେ ସମସ୍ତ ମୃତଦେହ ଏମ୍‌ସରେ ଅଛି ଜାଣି ଏଠାକୁ ଆସିଥିଲେ। ଅନ୍ୟ ୨ ସାଙ୍ଗଙ୍କ ପରିବାରଲୋକ ଚିହ୍ନଟ କରି ଶବ ନେଇଗଲେ। ହେଲେ କ୍ରିଷ୍ଣା ଓ ତା‌ଙ୍କ ସାଙ୍ଗ ଅଞ୍ଜରୁଲ୍‌ ହକଙ୍କ ମୃତଦେହ ଏମ୍‌ସରେ ଥିଲେ ମଧ୍ୟ ପରିବାରଲୋକଙ୍କୁ ହସ୍ତାନ୍ତର କରାଯାଇନି।

ଅଶୋକଙ୍କ କହିବା କଥା, ଭାଇ ଘରୁ ପ୍ରଥମଥର କାମ କରିବାକୁ ବାହାରକୁ ଯାଉଥିଲା। ତେଣୁ ତାକୁ ‌ଫେଡେଡ୍‌ ଜିନ୍ସ, ନୂଆ ପର୍ସ ଓ ନାଲି ବେଲ୍‌ଟ କିଣି ଦେଇଥିଲି। ଅପରାହ୍‌ଣ ୫ଟା‌‌ରେ ସେଇ ଡ୍ରେସ୍‌ରେ ଉଠାଇଥିବା ଫଟୋ ପଠାଇବା ସହ ଭିଡିଓ କଲ୍‌ରେ ପରିବାର ଲୋକ ଓ ମୋ ସହିତ କଥା ହୋଇଥିଲା। ରାତି ୩ଟା ବେଳକୁ ତା’ ପାଖରୁ ପାଇଥିବା ଡାଏରିରେ ଥିବା ନମ୍ବର ଲଗାଇ କେହି ଜଣେ ଭାଇର ମୃତ୍ୟୁ ହେବା କଥା କହିଥିଲେ। ସେତେବେଳୁ ଘରୁ ବାହାରିଛି ଯେ ଫେରିନି। ହେଲେ ଏଯାଏ ମୃତଦେହ ମିଳିନି। ସବୁ ପ୍ରମାଣ ଦେଖାଇବା ପ‌ରେ ବି କେହି ଶୁଣୁ ନାହାନ୍ତି। ୫ ତାରିଖରୁ ରକ୍ତ ଦେଲୁଣି। ହେଲେ ଡିଏନ୍ଏ ରିପୋର୍ଟ ଆସିନି। ‌ମୃତ ଅନ୍ୟ ସାଙ୍ଗଙ୍କ ଅନ୍ତିମ ସଂସ୍କାର ବି ସରିଲାଣି। ହେଲେ ଭାଇର ଶବ ଏବେ ବି କ‌ଣ୍ଟେନର୍‌ ଭିତରେ ପଡ଼ିଛି। କିଛି ଦିନ ହେଲା ବିଭିନ୍ନ ସମାଜସେବୀ ଡାକ୍ତରଖାନାରେ ମୋତେ ଖାଇବାକୁ ଦେଉଥିଲେ। ହେଲେ ଆଜିଠାରୁ ଆଉ କେହି ଖାଇବାକୁ ଦେଉନାହାନ୍ତି। ଆମେ ଗରିବ ଲୋକ। ଶବ ନେବାକୁ ୧୫ ହଜାର ଟଙ୍କା ଖର୍ଚ୍ଚ କରି ସାରିଲୁଣି। ଆଉ କେତେ ଟଙ୍କା ଖର୍ଚ୍ଚ ହେବ ଜାଣିନୁ। ଭାଇର ମୃତ୍ୟୁ ଯେତିକି କଷ୍ଟ ଦେଉଛି, ତା’ଠାରୁ ଏ ଯନ୍ତ୍ରଣାକୁ ବଳେଇ ଗଲାଣି। ଏପଟେ ପାଖରେ ଟଙ୍କା ନଥିବାରୁ ଚିନ୍ତା ବଢ଼ିଲାଣି।

ସମ୍ବନ୍ଧିତ ଖବର