ଫୁଲରୁ ଫୁଲକୁ ଉଡ଼ି ପ୍ରଜାପତି ମହୁ ଶୋଷିନିଏ। ସୂକ୍ଷ୍ମ ତଥା ଚିତ୍ରିତ ଡେଣାଧାରୀ ସବୁ ପ୍ରଜାପତିଙ୍କ ଜୀବନରେ ରହିଛି ଗୋଟାଏ ରୂପାନ୍ତରଣ କାହାଣୀ। ମାଟି ଓ ଗଛବୃଚ୍ଛରେ ଘୁଷୁରି ଘୁଷୁରି ଚାଲି ମନରେ ଭୟ ସଂଚାର କରୁଥିବା ସଁବାଳୁଆ ହେଉଛି ପ୍ରଜାପତିର ପୂର୍ବ ରୂପ। ପ୍ରଜାପତିମାନେ ଯେତିକି ଆକର୍ଷଣୀୟ ପ୍ରକୃତି ସଂରକ୍ଷଣ ଦୃଷ୍ଟିରୁ ସେତିକି ଗୁରୁତ୍ବପୂର୍ଣ୍ଣ ମଧ୍ୟ। ଶାରୀରିକ ସୌନ୍ଦର୍ଯ୍ୟ ବ୍ୟତୀତ ପ୍ରଜାପତି ପରିସଂସ୍ଥାନର ଏକ ଅପରିହାର୍ଯ୍ୟ ଅଂଶ। ପରାଗ ସଙ୍ଗମକାରୀ ରୂପେ ପ୍ରଜାପତିମାନେ ଉଦ୍ଭିଦ ପ୍ରଜନନ ଏବଂ ଗୁଣସୂତ୍ର ବିବିଧତା ବଜାୟ ରଖନ୍ତି। ଲାର୍ଭା ଅବସ୍ଥାରେ ଥିବାବେଳେ ପ୍ରଜାପତି ଉଦ୍ଭିଦ ଭକ୍ଷଣ କରିବା ଯୋଗୁଁ ସେସବୁ ନିୟନ୍ତ୍ରିତ ହୋଇ ରହେ। ଲାର୍ଭା ବଡ଼ ହୋଇ ସଁବାଳୁଆ ହେଲେ ଚଢ଼େଇ, ବୁଢ଼ିଆଣୀ ଓ ଅନ୍ୟାନ୍ୟ ଶିକାରୀ ଜୀବଙ୍କ ଆହାର ହୁଏ।
ପ୍ରଜାପତିଙ୍କ ଆବାସସ୍ଥଳୀ ଓ ଜଳବାୟୁ ଆବଶ୍ୟକତା ବେଶ୍ ନିର୍ଦ୍ଦିଷ୍ଟ। ପ୍ରାକୃତିକ ପରିବେଶରେ ସାମାନ୍ୟ ବ୍ୟତିକ୍ରମ ଘଟିଲେ ପ୍ରଜାପତିମାନେ ବିଶେଷ ପ୍ରଭାବିତ ହୁଅନ୍ତି। ଏହି ସମ୍ବେଦନଶୀଳତା ଯୋଗୁଁ ପ୍ରଜାପତିମାନେ ପରିସଂସ୍ଥାନ ଓ ଜଳବାୟୁ ପରିବର୍ତ୍ତନ ପ୍ରଭାବର ଏକ ଗୁରୁତ୍ବପୂର୍ଣ୍ଣ ସୂଚକ ଭାବେ କାର୍ଯ୍ୟ କରନ୍ତି। ଭାରତର ମୁଖ୍ୟ ଭୂଖଣ୍ଡରେ ପ୍ରାୟ ୧୫୦୦ ଜାତିର ପ୍ରଜାପତି ଅଛନ୍ତି। ଏମାନଙ୍କ ମଧ୍ୟରୁ ୬୭% ଭାରତୀୟ ହିମାଳୟ ଅଞ୍ଚଳରେ ଦେଖାଯାଆନ୍ତି। ପ୍ରଜାପତିମାନଙ୍କର ଏପରି ବିବିଧତା ପ୍ରତ୍ୟକ୍ଷ ଭାବେ ହିମାଳୟ ଅଞ୍ଚଳର ସ୍ଥାନଭିତ୍ତିକ ବିବିଧତା ସହ ସଂପୃକ୍ତ, ଯାହା ସମୁଦ୍ର ପତ୍ତନଠାରୁ ବିଭିନ୍ନ ଉଚ୍ଚତାରେ ଅସଂଖ୍ୟ ଆବାସସ୍ଥଳୀ ସୃଷ୍ଟି କରିଥାଏ। ସ୍ଥାନୀୟ ପ୍ରକୃତି ସହିତ ଖାପ ଖାଇଲା ଭଳି ପ୍ରଜାପତିଙ୍କର ରଙ୍ଗ ଓ ଡେଣାର ଚିତ୍ର ହୋଇଥାଏ। ‘ଡାର୍କ କ୍ଲାଉଡେଡ୍ ୱେଲୋ’ ଭଳି ପ୍ରଜାପତି ଅଧିକ ସୂର୍ଯ୍ୟକିରଣ ଶୋଷଣ କରିପାରେ। ଏଥିସହ ଏ ପ୍ରଜାପତି ପୋଲାରାଇଜ୍ଡ ଆଲୋକ ବ୍ୟବହାର କରି ମେଘୁଆ ପାଗରେ ମଧ୍ୟ ବାଟ ଜାଣିପାରନ୍ତି ଏବଂ ଅଧିକ ମହୁଥିବା ଫୁଲଗୁଡ଼ିକୁ ଚିହ୍ନଟ କରିପାରନ୍ତି। ଫଳରେ ସବୁ ସମୟରେ ପରାଗସଙ୍ଗମ ସମ୍ଭବ ହୁଏ। ଶିକାରୀ କବଳରୁ ରକ୍ଷା ପାଇବା ପାଇଁ ‘କମନ୍ ୱିଣ୍ଡ୍ମିଲ୍’ ଜାତିର ପ୍ରଜାପତିମାନେ ଲାର୍ଭା ଅବସ୍ଥାରେ ଆଶ୍ରୟ ନେଇଥିବା ଗଛରୁ ବିଷାକ୍ତ ରସାୟନ ସଂଶ୍ଳେଷଣ କରି ନିଜ ଦେହରେ ସାଇତି ରଖିଥାଆନ୍ତି। ଫଳରେ ଲାର୍ଭା ଓ ପରେ ସଁବାଳୁଆ ଶିକାରୀ ଜୀବଙ୍କ ଖାଦ୍ୟ ପାଇଁ ଅନୁପଯୁକ୍ତ ହୋଇଯାଏ।
ଜଳବାୟୁ ପରିବର୍ତ୍ତନ ବହୁ ଜାତିଙ୍କ ଅସ୍ତିତ୍ବକୁ ସଂକଟରେ ପକାଇଛି। ବିଶେଷକରି, ସଂକୀର୍ଣ୍ଣ ପରିସଂସ୍ଥାନୀୟ କ୍ଷେତ୍ର କିମ୍ବା ଏକ ନିର୍ଦ୍ଦିଷ୍ଟ ଆଶ୍ରୟଦାୟୀ ବୃକ୍ଷ ବା ଜଳବାୟୁ ଆବଶ୍ୟକ କରୁଥିବା ପ୍ରଜାପତିର ଜୀବନଧାରଣ ଆଜି ବିପଦ ପ୍ରବଣ। ତାପମାତ୍ରା ବୃଦ୍ଧି ପ୍ରଜାପତି ଜୀବନ ଚକ୍ରକୁ ଅଧିକ ଘାତକ କରିଦେଲାଣି। ଉତ୍ତାପ ବୃଦ୍ଧି କାରଣରୁ କେତେକ ପ୍ରଜାପତିଙ୍କ ଆଶ୍ରୟ ପ୍ରଦାନକାରୀ ଗଛ ସବୁର ବିସ୍ତାରରେ ପରିବର୍ତ୍ତନ ଘଟୁଛି ଏବଂ ସେଗୁଡ଼ିକ ଉଚ୍ଚତର ସ୍ଥାନରେ ଦୃଶ୍ୟମାନ ହେଉଛନ୍ତି। ଅନ୍ୟାନ୍ୟ ମାନବୀୟ କାର୍ଯ୍ୟକଳାପ ସକାଶେ ମଧ୍ୟ ପ୍ରଜାପତିଙ୍କର ପ୍ରାକୃତିକ ଆବାସସ୍ଥଳୀ ଅବକ୍ଷୟ ହେଉଛି। କୃଷି ଓ ଭିତ୍ତିଭୂମି ସଂପ୍ରସାରଣ ସେମାନଙ୍କର ବାସସ୍ଥାନ ଖଣ୍ଡବିଖଣ୍ଡନ କାର୍ଯ୍ୟ ତ୍ବରାନ୍ବିତ କରୁଛି। ପ୍ରକୃତି ସଂରକ୍ଷଣରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରୁଥିବା ଏହି ସୁକୁମାର ତଥା ସୁନ୍ଦର ପତଙ୍ଗ ଆଜି ପ୍ରକୃତିରେ ତିଷ୍ଠି ରହିବାକୁ ସଂଗ୍ରାମ କରୁଛି। ପ୍ରକୃତିର ଅମୂଲ୍ୟ ଦାନ ପ୍ରଜାପତିମାନେ ନିରବରେ ଉଭେଇଯାଉଥିବା କଥା ଆଜି ଲୋକଲୋଚନକୁ ଆସିପାରୁ ନାହିଁ।