ବିତର୍କ: ସମଲିଙ୍ଗୀ ବିବାହ ପ୍ରସଙ୍ଗରେ କେନ୍ଦ୍ରର ଆଭିମୁଖ୍ୟ ଯଥାର୍ଥ

କେନ୍ଦ୍ର ସରକାର ସମଲିଙ୍ଗୀ ବିବାହକୁ ମାନ୍ୟତା ଦେବାକୁ ବିରୋଧ କରୁଛନ୍ତି। କେନ୍ଦ୍ର ସରକାରଙ୍କ ମତରେ, ଧାରା ୩୭୭କୁ ଅପରାଧ ଶ୍ରେଣୀରୁ ବାହାର କରି ଦିଆଗଲେ ମଧ୍ୟ ସମଲିଙ୍ଗୀ ବିବାହକୁ ମାନ୍ୟତା ଦେବାର ପ୍ରଶ୍ନ ଉଠୁନି, ଯାହାକୁ ନେଇ ଏବେ ‘ବିତର୍କ’ ଆରମ୍ଭ ହୋଇଛି।

ସପକ୍ଷ
ଏହା ସଂସ୍କୃତି ବିରୋଧୀ
ସମଲିଙ୍ଗୀ ବିବାହ ପ୍ରକୃତି ବିରୋଧୀ ଓ ଭାରତୀୟ ସଂସ୍କୃତି ବିରୋଧୀ। ସାରା ବିଶ୍ବରେ ଭାରତ ଏହାର ଇତିହାସ, ସଂସ୍କୃତି ଓ ପରମ୍ପରା ପାଇଁ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଛି। ଇତିହାସରେ ଭିନ୍ନ ଲିଙ୍ଗରେ ବିବାହକୁ ଆଦର୍ଶ ଭାବେ ଗ୍ରହଣ କରାଯାଇଛି। ସମଲିଙ୍ଗୀ ବିବାହକୁ କେବେ ବି କୌଣସି ସାମାଜିକ ସ୍ବୀକୃତି ମିଳି ନଥିଲା। ସମଲିଙ୍ଗୀ ବିବାହ ପ୍ରଥା ଭାରତୀୟ ପରମ୍ପରାରେ ନାହିଁ। ସମଲିଙ୍ଗୀ ବିବାହକୁ ଅନୁମତି ଦିଆଯିବା ଅର୍ଥ ଭାରତୀୟ ସଂସ୍କୃତି ଓ ପରମ୍ପରା ପ୍ରତି କୁଠାରାଘାତ। ମଣିଷର ପଶୁ ପ୍ରବୃତ୍ତିକୁ ସ୍ବୀକୃତି ଦେବାସହିତ ସମାନ ହେବ ସମଲିଙ୍ଗୀ ବିବାହକୁ ଅନୁମତି। ଭାରତୀୟ ପରିବାର ବ୍ୟବସ୍ଥା ସମଗ୍ର ବିଶ୍ବରେ ‌ଜଣାଶୁଣା ଓ ଲୋକପ୍ରିୟ। ସାରା ବିଶ୍ବରେ ଭାରତର ପାରିବାରିକ ଜୀବନକୁ ଆଦର୍ଶ ଭାବେ ଗ୍ରହଣ କରାଯାଉଛି। ସମଲିଙ୍ଗୀ ବିବାହ ଭାରତୀୟ ପରିବାର ବ୍ୟବସ୍ଥା ଓ ମୂଲ୍ୟବୋଧ ଭିତ୍ତିକ ପାରିବାରିକ ଜୀବନକୁ ଧ୍ବଂସ କରିଦେବ। ତେଣୁ ସମଲିଙ୍ଗୀ ବିବାହକୁ ମାନ୍ୟତା ଦେବା ଉଚିତ ନୁହେଁ।
ଚନ୍ଦ୍ରକାନ୍ତ ପ୍ରଧାନ, ଭାରତ ସରକାରଙ୍କ ପ୍ୟାନେଲ୍‌ ବରିଷ୍ଠ କାଉନସିଲ

ବିପକ୍ଷ
ଏହା ବ୍ୟକ୍ତିଗତ ସ୍ବାଧୀନତାର ପ୍ରସଙ୍ଗ
ସମଲିଙ୍ଗୀ ବିବାହକୁ ବିରୋଧ କରାଯିବା ଉଚିତ ନୁହେଁ। ଏହା ଜଣଙ୍କ ବ୍ୟକ୍ତିଗତ ସ୍ବାଧୀନତାରେ ହସ୍ତକ୍ଷେପ ବୋଲି କୁହାଯାଇ ପାରିବ। ସମ୍ବିଧାନ ପ୍ରଦତ୍ତ ଅଧିକାର ସବୁ ନାଗରିକଙ୍କ ପାଇଁ ରହିଛି। ଜଣେ ନାଗିରକ କେଉଁ ନିୟମ ଅନୁସାରେ ଜୀବନ ଅତିବାହିତ କରିବ ତାହା ସରକାର ନିର୍ଦ୍ଧାରଣ କରିବା ଅନାବଶ୍ୟକ। ଜଣଙ୍କ ଜୀବନଶୈଳୀ ଯଦି କୌଣସି ଅପରାଧ ପରିସରଭୁକ୍ତ ନୁହେଁ, ତେବେ ତାହାକୁ ନେଇ ଆପତ୍ତି ରହିବା ଅନୁଚିତ। ସାମାଜିକ ନୈତିକତା ପରିବର୍ତ୍ତେ ଏହାକୁ ବ୍ୟକ୍ତିଗତ ସ୍ବାଧୀନତାର ଚଷମାରେ ଦେଖିବା ଆବଶ୍ୟକ। ଜଣଙ୍କ ସମଲିଙ୍ଗୀ ବିବାହ ନିଷ୍ପତ୍ତିକୁ ସମ୍ବିଧାନରେ ଦିଆଯାଇଥିବା ଜୀବନଧାରଣ ଅଧିକାର ଓ ବ୍ୟକ୍ତିଗତ ସ୍ବାଧୀନତା ଭାବେ ଦେଖିବା ଉଚିତ। ଜୀବନଧାରଣ ଅଧିକାରକୁ ଯେକୌଣସି ମୂଲ୍ୟ ଦେଇ ସୁରକ୍ଷା ଦେବାକୁ ହେବ। ସମଲିଙ୍ଗୀ ବିବାହ ପ୍ରସଙ୍ଗ ବେଆଇନ ହୋଇ ନଥିବାରୁ ଏହାକୁ ସ୍ବୀକୃତି ଦିଆଯିବାରେ କିଛି ବାଧା ନାହିଁ।
କ୍ଷୀରୋଦ କୁମାର ରାଉତ, ଉପସଭାପତି, ହାଇକୋର୍ଟ ବାର୍ ଆସୋସିଏସନ୍

ସମ୍ବନ୍ଧିତ ଖବର