ତୃଣମୂଳ ସ୍ତରରେ ସକାରାତ୍ମକ ପରିବର୍ତ୍ତନ ଆଣିବାରେ ନିର୍ବାଚିତ ମହିଳା ଜନପ୍ରତିନିଧିମାନେ ଅନେକ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିଆସୁଛନ୍ତି। ସଂଖ୍ୟା ଦୃଷ୍ଟିରୁ ଦେଖିଲେ ଭାରତରେ ପଞ୍ଚାୟତ ଓ ନଗରପାଳିକା ସ୍ତରରେ ୧୫ ଲକ୍ଷ ମହିଳା ନିର୍ବାଚିତ ଜନପ୍ରତିନିଧି ଅଛନ୍ତି। ଗ୍ରାମ ପଞ୍ଚାୟତ, ପଞ୍ଚାୟତ ସମିତି ଓ ଜିଲ୍ଲା ପରିଷଦ ଆସନମାନଙ୍କରେ ମହିଳାଙ୍କ ଅଂଶୀଦାର ହାର ହେଉଛି ୪୬.୬%।

Advertisment

ଉଲ୍ଲେଖନୀୟ ପ୍ରତିନିଧିତ୍ବ ସତ୍ତ୍ବେ ମହିଳାଙ୍କ ବାସ୍ତବ ଅଂଶଗ୍ରହଣ ଏକ ଆହ୍ବାନ ହୋଇ ରହିଛି। ବିଶେଷ କରି ଉତ୍ତର ପ୍ରଦେଶ, ବିହାର, ହରିୟାଣା ଓ ରାଜସ୍ଥାନ ଭଳି ରାଜ୍ୟରେ ନିର୍ବାଚିତ ମହିଳାମାନଙ୍କ ନିକଟ ସଂପର୍କୀୟ ଯଥା ସ୍ବାମୀ, ପିତା ଓ ଭାଇମାନେ ନିଷ୍ପତ୍ତି ଗ୍ରହଣର କ୍ଷମତା ହଡ଼ପ କରିନେଇ ମହିଳାମାନଙ୍କୁ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବରୁ ଦୂରେଇ ରଖିଥାନ୍ତି। ସାଂବିଧାନିକ ବ୍ୟବସ୍ଥା ମହିଳାଙ୍କ ନିଷ୍ପତ୍ତି ଗ୍ରହଣକୁ ପ୍ରୋତ୍ସାହିତ କରୁଥିଲେ ବି ସମାଜର ପୁରୁଷତାନ୍ତ୍ରିକ ବ୍ୟବସ୍ଥା ଓ ପ୍ରାଶାସନିକ ଅବହେଳା ସେମାନଙ୍କୁ ଉକ୍ତ କ୍ଷମତାରୁ ଅନେକ ସମୟରେ ଦୂରେଇ ରଖିଥାଏ। ଏସବୁ ଆହ୍ବାନ ସତ୍ତ୍ବେ ଅଧିକରୁ ଅଧିକ ମହିଳା ଏବେ ପୁରୁଷଙ୍କ ଦ୍ବାରା କ୍ଷମତା ହଡ଼ପର ଉପକ୍ରମକୁ ବିରୋଧ କରିବା ଏବଂ ଶାସନ ବ୍ୟବସ୍ଥାରେ ନିଜ କ୍ଷମତା ଜାହିର କରିବା ଦେଖାଯାଉଛି। 

ମହିଳାଙ୍କ ନେତୃତ୍ବକୁ ପୁରୁଷତାନ୍ତ୍ରିକ ବିଚାର ଯେତେ ହେୟଜ୍ଞାନ କରିବାକୁ ଚେଷ୍ଟା କଲେ ବି ଆଇଆଇଏମ୍‌ ଅହମଦାବାଦ ଭଳି ପ୍ରତିଷ୍ଠିତ ଅନୁଷ୍ଠାନର ଗବେଷଣାରୁ ଜଣାପଡ଼ିଛି ଯେ ଯେଉଁ ପଞ୍ଚାୟତରେ ମହିଳା ନିର୍ବାଚିତ ପ୍ରତିନିଧି ଥାଆନ୍ତି ସେଠାରେ ଶିକ୍ଷା, ସ୍ବାସ୍ଥ୍ୟ ଓ ପରିମଳ ପରି ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗକୁ ପ୍ରାଥମିକତା ମିଳିଥାଏ ଏବଂ ସେଠାକାର ଫଳାଫଳ ପୁରୁଷ ନିର୍ବାଚନ ପ୍ରତିନିଧିଙ୍କ ଠାରୁ ଉତ୍କୃଷ୍ଟ। ସେହିପରି ଵାର୍ଲଡ୍‌ ବ୍ୟାଙ୍କ୍‌ର ଏକ ରିପୋର୍ଟ ଉଲ୍ଲେଖ କରିଥାଏ ଯେ ଗୋଟିଏ ରାଜ୍ୟରେ ମହିଳାଙ୍କ ରାଜନୈତିକ ଅଂଶଗ୍ରହଣ ବୃଦ୍ଧି ପାଇବା ସହିତ ଗ୍ରାମୀଣ ବିକାଶ ସୂଚକାଙ୍କରେ ଉଲ୍ଲେଖନୀୟ ଅଭିବୃଦ୍ଧି ଦେଖିବାକୁ ମିିଳିଥାଏ। 

ରାଜନୈତିକ କ୍ଷମତା ହଡ଼ପ ସହ ମୁକାବିଲା କରିବାର ସର୍ବଶ୍ରେଷ୍ଠ ଅସ୍ତ୍ର ହେଉଛି ଶିକ୍ଷା ଓ ଅନ୍ୟ ମହିଳା ନେତ୍ରୀଙ୍କ ସହ ସଂପର୍କ ବୃଦ୍ଧି। ସେହିପରି ମହିଳାମାନେ ଯେପରି ସ୍ବାଧୀନ ଭାବେ ନେତୃତ୍ବ ନେଇପାରିବେ ସେଥିପାଇଁ ସରକାର ଏକାଧିକ ସମର୍ଥନ ନୀତି ଓ ଆର୍ଥିକ ପ୍ରୋତ୍ସାହନର ବ୍ୟବସ୍ଥା କରିଛନ୍ତି। ସେହିପରି ସମ୍ପର୍କୀୟ ପୁରୁଷ ନିର୍ବାଚିତ ମହିଳାଙ୍କ କ୍ଷମତା ଉପଭୋଗ କରୁଥିବାର ପ୍ରମାଣ ହେଲେ ଦୃଷ୍ଟାନ୍ତମୂଳକ ଦଣ୍ଡ ଦେବା ପାଇଁ ପଞ୍ଚାୟତିରାଜ ମନ୍ତ୍ରାଳୟର ଏକ କମିଟି ନିକଟରେ ସୁପାରିସ କରିଛି। କେତେକ ଏନ୍‌ଜିଓ ମହିଳା ଜନପ୍ରତିନିଧିମାନଙ୍କୁ ପ୍ରଭାବଶାଳୀ ନୀତି ନିର୍ଦ୍ଧାରକରେ ପରିଣତ କରିବା ଲାଗି ଆଇନଗତ ଅଧିକାର, ଶାସନ ସଂରଚନା, ଆର୍ଥିକ ଯୋଜନା ଆଦିର ପ୍ରଶିକ୍ଷଣ ଦେଉଛନ୍ତି। ଏସବୁର ଉଦ୍ଦେଶ୍ୟ ହେଉଛି ଆମ ମହିଳା ଜନପ୍ରତିନିଧିମାନେ ଆତ୍ମବିଶ୍ବାସୀ ଓ ଆତ୍ମନିର୍ଭରଶୀଳ ହୋଇ ନେତୃତ୍ବ ଓ ନିଷ୍ପତ୍ତି ଗ୍ରହଣର କ୍ଷମତାକୁ ସ୍ବାଧୀନ ଭାବେ ନିଜେ କାର୍ଯ୍ୟକାରୀ କରନ୍ତୁ।