ରଥ ଚିହ୍ନେଇ ଦିଏ ଦରଜୀର ସ୍ପର୍ଶ, ୧୨୫୦ ମିଟର କନାରେ ହୁଏ ରଥାବରଣ

ପ୍ରକାଶ ମହାପାତ୍ର (ଦରଜୀ ସର୍ଦାର)

ଭକ୍ତଟିଏ ଦୂରରେ ଥାଇ ମଧ୍ୟ ରଥର ନାଁ କହିଦେଇପାରେ। ରଥର ଆବରଣ ହିଁ ସୂଚେଇ ଦିଏ ନନ୍ଦିଘୋଷ ଆସୁଛି ନା ତାଳଧ୍ବଜ। ତିନି ରଥର ଆବରଣ ଭିନ୍ନ ଭିନ୍ନ ରଙ୍ଗର। ରଙ୍ଗବେରଙ୍ଗ କନାକୁ ମଣ୍ଡଣି କରି ଏହାକୁ ସୌନ୍ଦର୍ଯ୍ୟ ବିମଣ୍ଡିତ କରି ପ୍ରସ୍ତୁତ କରନ୍ତି ଦରଜୀ ସେବକ। ମହାପ୍ରଭୁଙ୍କ ଶ୍ରୀମନ୍ଦିରରେ ଉଡ଼ୁଥିବା ବାନା ସେବାରେ ୩୬୫ ଦିନ ନିୟୋଜିତ ଦରଜୀ ସର୍ଦ୍ଦାରଙ୍କ ତତ୍ତ୍ବାବଧାନରେ ନିର୍ମିତ ହୁଏ ଏହି ରଥାବରଣ। ରଥ ଅନୁଯାୟୀ ରଙ୍ଗର ପ୍ରକାର ଭେଦ କାହିଁ କେଉଁ କାଳରୁ ନିର୍ଦ୍ଧାରିତ।

ସଂପ୍ରତି ୭ ଜଣ ଦରଜୀ ସେବକ ରହିଥିଲେ ହେଁ ଜଣେ ଦରଜୀ ସର୍ଦ୍ଦାରଙ୍କ ଅଧୀନରେ ୧୭ ଜଣ ଦରଜୀଙ୍କୁ ନିୟୋଜିତ କରାଯାଇଛି। ବଂଶାନୁକ୍ରମିକ ସୂତ୍ରରେ ଶାଢ଼ି ବନ୍ଧାଇ ଜଣେ ଦରଜୀ ସର୍ଦ୍ଦାରଙ୍କ ତତ୍ତ୍ବାବଧାନରେ ରଥ କନା ପ୍ରସ୍ତୁତି ହେଉଛି।

ରଥ ପାଇଁ ଆବଶ୍ୟକ ହେଉଥିବା ୧୨୫୦ ମିଟର କନା ଶ୍ରୀମନ୍ଦିର ପ୍ରଶାସନ ସହଯୋଗରେ ଆସି ପହଞ୍ଚିବା ପରେ କାମ ଆରମ୍ଭ ହୁଏ। ସ୍ନାନପୂର୍ଣ୍ଣିମା ପରେ ଶ୍ରୀଜିଉମାନେ ଅଣସର ଘରେ ରହୁଥିବାରୁ ସେହି ସମୟରେ ପଟି ଦିଅଁ ପୂଜା ପାଆନ୍ତି। ପଟି ଦିଅଁଙ୍କ ପାଇଁ କୁଞ୍ଚ ପ୍ରସ୍ତୁତ କରି ଦେବା ପରେ ରଥଯାତ୍ରା କାମରେ ଦରଜୀ ସର୍ଦ୍ଦାର ସାମିଲ୍ ହୁଅନ୍ତି।

ରଥ ପାଇଁ ମୁଖ୍ୟତଃ ନାଲି, ସବୁଜ, ହଳଦିଆ ଓ କଳା କପଡ଼ାରେ କାମ କରାଯାଏ। ଶ୍ରୀଜଗନ୍ନାଥଙ୍କ ରଥ ପାଇଁ ୪୨୫ ମିଟର ନାଲି ଓ ହଳଦିଆ ରଙ୍ଗର କନା ବ୍ୟବହୃତ ହୋଇଥାଏ। ସେହିଭଳି ଶ୍ରୀବଳଭଦ୍ରଙ୍କ ରଥ ପାଇଁ ୪୨୫ ମିଟର ନାଲି ଓ ସବୁଜ କନା ଏବଂ ଦେବୀସୁଭଦ୍ରାଙ୍କ ରଥ ପାଇଁ ୪୦୦ ମିଟର ନାଲି ଓ କଳା କନା ଲାଗେ। ଏହି କନା ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଯୋଗାଇ ଦିଆଯାଉଥିଲେ ହେଁ କନାକୁ ସଜାଇବା ପାଇଁ ଆବଶ୍ୟକ ପଡ଼ୁଥିବା ଜମ୍ବୁରା ପେପର, ଲେସ୍‌, ଚିକ୍କଣ ଫୁଲ, ଦୁବ, ଝାଲର ନିଜେ ଦରଜୀ ସର୍ଦ୍ଦାର ଆଣିଥାଆନ୍ତି। ଏଥିପାଇଁ ନିଜ ପାଖରେ ମହଜୁଦ ରଖିଥିବା ୮ଟି ମେସିନ୍‌ରେ ଦରଜୀ ଭାଇମାନେ ଏହାକୁ ପ୍ରସ୍ତୁତ କରନ୍ତି। ମେସିନ୍‌ ବ୍ୟତୀତ କଇଁଚି, ଛୁଞ୍ଚି, ସୂତାରେ ଏହାକୁ ପ୍ରସ୍ତୁତ କରାଯାଏ।

ଏହାବ୍ୟତୀତ ଶ୍ରୀଜିଉଙ୍କ ମୁଣ୍ଡ ଉପରେ ଲାଗୁଥିବା କନକମୁଣ୍ଡି ଚାନ୍ଦୁଆ, ରଥର ସାମ୍ନାପଟେ ଲାଗୁଥିବା ଉଡ଼ା ଚାନ୍ଦୁଆ, ରଥର ଶୀର୍ଷରେ ଲାଗୁଥିବା ଧ୍ବଜ, ଦୁଆରବେଢ଼ା, ଚନ୍ଦ୍ରଶାଳି, ଅଁଳାଶ୍ରୀ, ମେଣ୍ଢାମୁଣ୍ଡିଆ, ନଗରବତା, ପୋଲମୁଦ୍ରା, ସାରଥୀ ପୋଷାକ, ଛାଟ ଚାନ୍ଦୁଆ, ରଥ ଘେର, ପୋଟଳ, ଛତି, କଳାଛତି, ଧଳାଛତି, ଓଲାର ଆଦି ଏହି ଦରଜୀ ସେବକଙ୍କୁ ପ୍ରସ୍ତୁତ କରିବାକୁ ପଡ଼େ। ଏହାବ୍ୟତୀତ ବିଜେ ଚକା ପାଇଁ ବନାରସୀ ଜରି କନା ଖୋଳ ଏବଂ ଠାକୁରଙ୍କ ପିଠି ଓ ମସ୍ତକ ପଛପାର୍ଶ୍ବ ପାଇଁ ଅପସର ତକିଆ ପ୍ରସ୍ତୁତ କରାଯାଏ।

ରଥ ନିର୍ମାଣ ପାଇଁ ମହାରଣା ସେବକମାନେ ଯେପରି କୌଣସି ମାପ ଫିତା କି ସ୍କେଲ୍‌ ବ୍ୟବହାର ନକରି ପାରମ୍ପରିକ ଧାରାରେ ମାପ କରିଥାନ୍ତି, ଠିକ୍‌ ସେହିଭଳି ଦରଜୀ ସେବକମାନେ ମଧ୍ୟ ଏଥିପାଇଁ ଗଜ ଓ ଗିରା ମାପ ବ୍ୟବହାର କରନ୍ତି। ଏକ ଗଜ ୩ ଫୁଟ ବିଶିଷ୍ଟ ହୋଇଥିବାରୁ ସେଇ ମାପରେ ସେ ରଥର ବିଭିନ୍ନ ଅଂଶ ପାଇଁ ସୁସଜ୍ଜିତ କନା ପ୍ରସ୍ତୁତ କରନ୍ତି। ସବୁଠୁ ଆକର୍ଷଣୀୟ ଲାଗେ କଳଦୀ ଗଛ। ଏହା ରଥକୁ ଚିହ୍ନେଇବାରେ ସହାୟକ ହୁଏ।

ସ୍ବତ୍ବଲିପି ଅନୁଯାୟୀ ସେମାନଙ୍କୁ ଅତୀତରେ ଏହି ସେବା ବଦଳରେ କୌଣସି ପ୍ରାପ୍ୟ ମିଳୁନଥିଲା। କେବଳ ମନ୍ଦିର ପକ୍ଷରୁ ଖାଇବା ମିଳୁଥିଲା। ଏବେ କିନ୍ତୁ କିଛିକିଛି ପାଉଣା ମିଳୁଛି। ତେବେ ୧୫ ଦିନ କାମ କଲେ ଜଣକେ ୩ ହଜାର ଟଙ୍କା ପର୍ଯ୍ୟନ୍ତ ପାଉଣା ପାଆନ୍ତି। ପାଉଣା ଯାହା ମିଳୁ ନା କାହିଁକି, ମହାପ୍ରଭୁଙ୍କ କାମ କରିବା ପାଇଁ ସମସ୍ତଙ୍କ ମନରେ ପ୍ରବଳ ଉତ୍ସୁକତା ଥାଏ। ବାସ୍ତବରେ ରଥ କନା ସିନା ଆମେ ପ୍ରସ୍ତୁତି କରୁ, କିନ୍ତୁ ଏସବୁ ସ୍ବୟଂ ମହାପ୍ରଭୁଙ୍କ ନିର୍ଦେଶ ମତେ ହେବା ଭଳି ଅନୁଭବ ହୁଏ। ସୁସଜ୍ଜିତ ରଥ କନା ପ୍ରସ୍ତୁତି ପରେ କୋଠ ସୁଆଁସିଆ ସେବକଙ୍କ ଦ୍ବାରା ତାହାକୁ ରଥରେ ଲଗାଯାଇଥାଏ।

ସମ୍ବନ୍ଧିତ ଖବର