ରଥ ଅନୁକୂଳ, ପ୍ରତିଷ୍ଠା କରନ୍ତି ଦେଉଳ ପୁରୋହିତ

ସିଦ୍ଧେଶ୍ବର ମହାପାତ୍ର (ଦେଉଳ ପୁରୋହିତ)

ମହାପ୍ରଭୁଙ୍କ ସେବା ବ୍ୟବସ୍ଥାରେ ଦେଉଳ ପୁରୋହିତଙ୍କ ସ୍ଥାନ ସ୍ବତନ୍ତ୍ର। ରାଜଗୁରୁଙ୍କ ପରେ ଦେଉଳ ପୁରୋହିତଙ୍କ ସ୍ଥାନ। ସେ ବ୍ରାହ୍ମଣ ସମାଜର ପ୍ରତିନିଧି ଭାବେ ପରିଗଣିତ ହୁଅନ୍ତି। ଶ୍ରୀମନ୍ଦିର ସ୍ବତ୍ବଲିପି ମୁତାବକ, ଜଗତଗୁରୁ ଶ୍ରୀଶଙ୍କରାଚାର୍ଯ୍ୟ ମୁକ୍ତିମଣ୍ଡପର ନାୟକ ହୋଇଥିବା ବେଳେ ଦେଉଳ ପୁରୋହିତ ମୁକ୍ତିମଣ୍ଡପର ଅଧିକାରୀ ଭାବେ ପ୍ରତିନିଧିତ୍ବ କରନ୍ତି। ମୁକ୍ତି ମଣ୍ଡପରେ କୌଣସି ବିଷୟକୁ ନେଇ ଦ୍ବନ୍ଦ୍ବ ଉପୁଜିଲେ, ଦେଉଳ ପୁରୋହିତଙ୍କ ପରାମର୍ଶ ଲୋଡ଼ାଯାଏ। ସଂପ୍ରତି ଦୁଇଟି ପରିବାର ମୁଖ୍ୟ ଭାବେ ଏହି ସେବା ନିର୍ବାହ କରି ଆସୁଛନ୍ତି। ମୁଖ୍ୟତଃ ରଥ ଅନୁକୂଳ ଓ ରଥ ପ୍ରତିଷ୍ଠା ବେଳେ ଦେଉଳ ପୁରୋହିତଙ୍କର ମୁଖ୍ୟ ସମ୍ପୃକ୍ତି ରହିଥାଏ।

ଅକ୍ଷୟ ତୃତୀୟାରେ ରଥ ନିର୍ମାଣ ତଥା ରଥ ଅନୁକୂଳ କାର୍ଯ୍ୟ ପୂର୍ବରୁ ହୋମ କାର୍ଯ୍ୟ ଦେଉଳ ପୁରୋହିତଙ୍କ ଦ୍ବାରା କରାଯାଏ। ରଥର ମୂଳଦୁଆ ପଡ଼ିବା ପୂର୍ବରୁ ପବିତ୍ର ହୋମଯଜ୍ଞ କରାଯିବା ବିଧି ସମ୍ମତ। ତେଣୁ ଶ୍ରୀନଅର ସମ୍ମୁଖରେ ରଥଖଳାରେ କୋଠସୁଆଁସିଆଙ୍କ ଦ୍ବାରା ନିର୍ମିତ ଛାମୁଣ୍ଡିଆ ତଳେ ରଥ କାଠ ଅନୁକୂଳ ପାଇଁ ୩ଟି କାଠ ସହ ଏକ ହୋମଶାଳା କରାଯାଇଥାଏ। ଦେଉଳ ପୁରୋହିତ ଓ ଅନ୍ୟ ବ୍ରାହ୍ମଣମାନଙ୍କ ଦ୍ବାରା ହୋମବିଧି ହୋଇଥାଏ। ଏହି ପରିପ୍ରେକ୍ଷୀରେ ଚନ୍ଦନ ଯାତ୍ରା ପାଇଁ ଶ୍ରୀଜିଉ ଚାପ ପଟୁଆରରେ ଶ୍ରୀମନ୍ଦିରରୁ ବାହାରି ଆସିବା ବେଳେ ରଥଖଳା ନିକଟରେ ଅଟକନ୍ତି। ତିନି ପୂଜାପଣ୍ଡା ସାମନ୍ତ ତିନିଟି ଆଜ୍ଞାମାଳ ନେଇ ଆସିଥାଆନ୍ତି। ଚାନ୍ଦୁଆ ତଳେ ଥିବା ତିନିକାଠ ଗଡ଼ରେ ଆଜ୍ଞାମାଳ ଅର୍ପଣ କରାଯାଏ। ତିନି ରଥର ମୁଖ୍ୟ ବାଡ଼ଗ୍ରାହୀ ମହାରଣା ବିଶ୍ବକର୍ମାଙ୍କୁ ଫୁଲ, ନଡ଼ିଆ ପ୍ରଦାନ କରି ରଥ ନିର୍ମାଣ ଉଦ୍ଦେଶ୍ୟରେ ଦେଉଳ ପୁରୋହିତ ବରଣ କରିଥାଆନ୍ତି। ପରେ କମାର ସେବକଙ୍କ ଦ୍ବାରା ନିର୍ମିତ ଏବଂ ମା’ ଦକ୍ଷିଣକାଳୀଙ୍କ ମନ୍ତ୍ରରେ ଅଭିମନ୍ତ୍ରିତ ତିନିଟି ଛୋଟ କୁରାଢ଼ିରେ ପ୍ରଥମେ ଦେଉଳ ପୁରୋହିତମାନେ ୩ଟି ଅସନ କାଠକୁ ସ୍ପର୍ଶ କରିଥାଆନ୍ତି। ଏହା ପରେ ରଥ ମହାରଣାମାରେ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥାଆନ୍ତି।

ସେହିଭଳି ରଥ ନିର୍ମାଣ କାର୍ଯ୍ୟ ପୂର୍ଣ୍ଣାଙ୍ଗ ହେବା ପରେ ଶ୍ରୀଗୁଣ୍ଡିଚା ଯାତ୍ରା ଦିନ ଐଶାନ୍ୟ କୋଣ ତଥା ଆନନ୍ଦ ବଜାର ତଳପାର୍ଶ୍ବରେ ଥିବା ଚାହାଣି ମଣ୍ଡପଠାରେ ତିନି ଜଣ ପୁରୋହିତ ତିନି ରଥର ପ୍ରତିଷ୍ଠା ପାଇଁ ହୋମ କାର୍ଯ୍ୟ କରିଥାଆନ୍ତି। ଚାହାଣି ମଣ୍ଡପ ତଳେ ଦେଉଳ ପୁରୋହିତଙ୍କ ଦ୍ବାରା ଅଙ୍କୁରାରୋପଣ ଓ ଅଧିବାସ କର୍ମ କରାଯାଏ। ଦେଉଳ ପୁରୋହିତମାନେ ଅନ୍ୟ ବ୍ରାହ୍ମଣଙ୍କ ସହ ବଜ୍ରାସନରେ ବସି ହୋମ ତଥା ହବନ କାର୍ଯ୍ୟ କରନ୍ତି। ପରେ ଘଣ୍ଟ, ଛତି, କାହାଳୀର ପଟୁଆରରେ ତିନି ପୁରୋହିତ ପଟୁଆରରେ ଯାଇ ରଥ ପ୍ରତିଷ୍ଠା କରନ୍ତି। ଶ୍ରୀବଳଭଦ୍ରଙ୍କ ରଥରେ କାଠରେ ପ୍ରସ୍ତୁତ ହଳ ମୂଷଳ, ଜଗନ୍ନାଥଙ୍କ ରଥରେ କପିଧ୍ବଜ, ଶଙ୍ଖ ଚକ୍ର, ସୁଭଦ୍ରାଙ୍କ ରଥରେ ପଦ୍ମ ପିଣ୍ଡି ଉପରେ ରଖାଯିବା ପରେ ପବିତ୍ର ଜଳ ସିଞ୍ଚନ କରି ବେଦମନ୍ତ୍ର ଧ୍ବନି ମଧ୍ୟରେ ଦେଉଳ ପୁରୋହିତ ରଥ ପ୍ରତିଷ୍ଠା କରିଥାଆନ୍ତି।

ଏହାବ୍ୟତୀତ ଭାଦ୍ରବ ଶୁକ୍ଳ ଦ୍ବାଦଶୀ ଦିନ ବାମନ ଜନ୍ମ ନୀତି ନିମନ୍ତେ ପୂର୍ବଦିନ ଅନନ୍ତ ମନ୍ଦିରରେ ଦେଉଳ ପୁରୋହିତ ପବିତ୍ରାଧିବାସ କରିଥାଆନ୍ତି। ଶ୍ରୀମନ୍ଦିରରେ ମା’ ବିମଳାଙ୍କ ନିକଟରେ ଦୁର୍ଗାପୂଜା ନିମନ୍ତେ ଶ୍ରୋତ୍ରିୟ ବ୍ରାହ୍ମଣ ଚୟନ କମିଟିର ସେ ସଦସ୍ୟ ରହିଥାଆନ୍ତି। ପାର୍ବଣରେ ଦେଉଳ ପୁରୋହିତ ପ୍ରଚାରକ ଅବା ତତ୍ତ୍ବାବଧାରକ ଭାବେ କାର୍ଯ୍ୟ ନିର୍ବାହ କରନ୍ତି। ସେହିଭଳି ପୌଷ ପୂର୍ଣ୍ଣିମା ପୂର୍ବଦିନ ଅଙ୍କୁରାରୋପଣ, ଭୋଗମଣ୍ଡପରେ ଜଳାଧିବାସ, ପୋଖରିଆରେ ଦର୍ପଣାଧିବାସ କରନ୍ତି। ପୁରୋହିତ ପଞ୍ଚୋପଚାରରେ ପୂଜା ବଢ଼ାନ୍ତି। ବିଶେଷକରି ନବକଳେବର ସମୟରେ ଦେଉଳ ପୁ‌ରୋହିତ ବନଯାଗରେ ସାମିଲ୍‌ ହୁଅନ୍ତି। ରୋଷହୋମ ଓ ସୂର୍ଯ୍ୟପୂଜା ଓ ରୋଷହୋମ ସେବା ଦେଉଳ ପୁରୋହିତଙ୍କ ଦ୍ବାରା କରାଯାଉଥିଲେ ହେଁ ସମୟଚକ୍ରରେ ଏହି ସେବା ପୂଜାପଣ୍ଡାମାନେ ନିର୍ବାହ କରି ଆସୁଛନ୍ତି।

ସମ୍ବନ୍ଧିତ ଖବର