ସବୁଠୁ ଲମ୍ବା ନାଁର ସହର

ରାତ୍ରୀକାଳୀନ ଦୃଶ୍ୟ ଓ ଜୀବନଚର୍ଯ୍ୟା ପାଇଁ ପର୍ଯ୍ୟଟକମାନଙ୍କ ଆକର୍ଷଣର କେନ୍ଦ୍ର ପାଲଟିଥିବା ଥାଇଲାଣ୍ଡର ରାଜଧାନୀ ସହର ହେଉଛି ବ୍ୟାଙ୍କକ୍‌। ତେବେ ତାହାର ନାମ ସହ ଏକ ରୋଚକ କଥା ଜଡ଼ିତ। ଉକ୍ତ ସହରର ସ୍ଥାପନ ପୂର୍ବରୁ ସେହି ସ୍ଥାନ ବା ଗ୍ରାମ(ବ୍ୟାଙ୍ଗ)ରେ ପ୍ରଚୁର ପରିମାଣର କୋଳି(ମାକକ୍‌) ମିଳୁଥିବାରୁ ବିଦେଶୀ ଆଗନ୍ତୁକମାନେ ଉକ୍ତ ସ୍ଥାନକୁ ‘ବ୍ୟାଙ୍ଗ ଅଫ୍‌ ମାକକ୍‌’ ଭାବେ ସମ୍ବୋଧନ କରୁଥିଲେ ଯାହା ପରେ ବ୍ୟାଙ୍କକ୍‌ ଭାବେ ଉଚ୍ଚାରିତ ହେଉଛି। ତେବେ ସ୍ଥାନୀୟ ଲୋକେ ଥାଇ ଭାଷାରେ ବ୍ୟାଙ୍କକ୍‌କୁ ‘କ୍ରୁଙ୍ଗ ଥେପ୍‌ ’ ବା ‘କ୍ରୁଙ୍ଗ ଥେପ୍‌ ମହା ନାଖନ’ କହିଥା’ନ୍ତି ଯାହାର ଅର୍ଥ ଦେବଦୂତଙ୍କ ଭବ୍ୟ ସହର। ମାତ୍ର ଏହା ଏକ ସୁଦୀର୍ଘ ନାମର ଏକ ସଂକ୍ଷିପ୍ତ ସଂସ୍କରଣ। ବ୍ୟାଙ୍କକ୍‌ର ସଂପୂର୍ଣ୍ଣ ନାମ ଶୁଣିଲେ କାନକୁ ବିଶ୍ବାସ କରିହେବନି।

ଇଂରାଜୀ ଲିପିରେ ୧୬୭ ଅକ୍ଷର ଓ ୨୨ ଶବ୍ଦ ବିଶିଷ୍ଟ ଏହି ନାମ ପୃଥିବୀର ସବୁଠୁ ଲମ୍ବା ସହର ନାମର ମାନ୍ୟତା ବହନ କରୁଛି। ସହଜେ ତ ତାହାକୁ ମନେ ରଖିବା କଷ୍ଟକର, ଏକା ରାହାକେ ମଧ୍ୟ ଉଚ୍ଚାରଣ କରିବା କଷ୍ଟକର ବ୍ୟାପାର। ତେବେ ତାହାର ସ୍ବରୂପ ହେଉଛି, ‘Krung Thep Maha Nakhon Amon Rattanakosin Mahinthara Ayuthaya Mahadilok Phop Noppharat Ratchathani Burirom Udomratchaniwet Mahasathan Amon Piman Awatan Sathit Sakkathattiya Witsanukam Prasit’। ପ୍ରାଚୀନ ପାଲି ଓ ସଂସ୍କୃତ ଭାଷାରେ ବ୍ୟାଙ୍କକ୍‌କୁ ଏପରି ବର୍ଣ୍ଣନା କରାଯାଇଥିବାର ଉଲ୍ଲେଖ ରହିଥିବା ସ୍ଥାନୀୟ ଗବେଷକମାନଙ୍କ ମତ।

ସମ୍ବନ୍ଧିତ ଖବର