ଏସିଆର ସବୁଠାରୁ ସ୍ବଚ୍ଛ ଗ୍ରାମ ମେଘାଳୟର ମାଵଲ୍ୟାନ୍ନା˚ଗ

ମେଘାଳୟ ଅନ୍ତର୍ଗତ ପୂର୍ବ ଖାସୀ ପର୍ବତ ଅଞ୍ଚଳରେ ମାଵଲ୍ୟାନ୍ନା˚ଗ ଏକ ଛୋଟିଆ ଗ୍ରାମ। ଗ୍ରାମର ପରିବାର ସ˚ଖ୍ୟା ପଞ୍ଚାନବେ ଏବ˚ ବାସିନ୍ଦାଙ୍କ ସ˚ଖ୍ୟା ପାଞ୍ଚ ଶହ। ସମସ୍ତ ବାସିନ୍ଦା ଖାସୀ ସ˚ପ୍ରଦାୟର। ଅଧିକା˚ଶ କିରସ୍ତାନ ଧର୍ମାବଲମ୍ବୀ। ଗ୍ରାମର ନବେ ପ୍ରତିଶତ ସାକ୍ଷର। ବାସିନ୍ଦାଙ୍କ ମୁଖ୍ୟ ଧନ୍ଦା କୃଷି-କର୍ମ। ଗୁଆ ଚାଷ ମୁଖ୍ୟ ବ୍ୟବସାୟ। ଆଉ ମାଵଲ୍ୟାନ୍ନା˚ଗ ସ˚ପର୍କରେ ସବୁଠାରୁ ଉଲ୍ଲେଖନୀୟ କଥାଟି ହେଉଛି, ଏହା ଏସିଆର ସବୁଠାରୁ ପରିଷ୍କାର ବା ସ୍ବଚ୍ଛ ଗ୍ରାମ। ବହୁ ବର୍ଷ ତଳୁ ଏହା ଏକ ସ୍ବଚ୍ଛ ଗ୍ରାମ ଭାବେ ପ୍ରସିଦ୍ଧ।

ପର୍ଯ୍ୟଟନ ପତ୍ରିକା ‘ଡିସ୍‌କଭର‌୍‌ ଇଣ୍ତିଆ’ ପକ୍ଷରୁ ୨୦୦୩ରେ ଏହାକୁ ଏସିଆର ସବୁଠାରୁ ସ୍ବଚ୍ଛ ଗ୍ରାମର ମାନ୍ୟତା ମିଳିଥିଲା। ତାହା ପରେ ଏହା ଏକ ପ୍ରମୁଖ ପର୍ଯ୍ୟଟନ ସ୍ଥଳୀରେ ପରିଣତ ହୋଇଥିଲା। ପର୍ଯ୍ୟଟନ ବ୍ୟବସାୟ ବଢ଼ିବା ପରେ ବାସିନ୍ଦାଙ୍କ ଆୟ ପୂର୍ବାପେକ୍ଷା ଷାଠିଏ ପ୍ରତିଶତ ବଢ଼ିଥିବା ପ୍ରକାଶ। ଗ୍ରାମରେ ପଲିଥିନ୍‌ର ବ୍ୟବହାର ଓ ଧୂମପାନ ନିଷିଦ୍ଧ। ଗ୍ରାମବାସୀ ମିଳି-ମିଶି ସଫେଇ କାମ କରନ୍ତି। ବାଉଁଶ ତିଆରି କୁଣ୍ତରେ ଆବର୍ଜନା ସ˚ଗ୍ରହ କରାଯାଏ। କେହି ଏଠି-ସେଠି ଫୋପାଡ଼ନ୍ତିନାହିଁ। ଆବର୍ଜନାକୁ ଖତରେ ପରିଣତ କରି, କୃଷି କାର୍ଯ୍ୟରେ ଲଗାଯାଏ। ଯେଉଁ ଆବର୍ଜନା ଖତ ପ୍ରସ୍ତୁତିରେ ବ୍ୟବହୃତ ହୋଇପାରେନାହିଁ, ତାହାକୁ ଅନ୍ୟ ସ୍ଥାନରେ ନଷ୍ଟ କରାଯାଏ। ଏହି ଗ୍ରାମରେ ସମସ୍ତଙ୍କ ଘରେ ଆଧୁନିକ ପାଇଖାନା ଅଛି। କେହି ବାହାରେ ମଳ ବା ମୂତ୍ର ତ୍ୟାଗ କରନ୍ତିନାହିଁ। ସମସ୍ତଙ୍କ ଘରେ ବର୍ଷା ଜଳ ସ˚ରକ୍ଷଣ ପାଇଁ ବ୍ୟବସ୍ଥା ଅଛି। ଏସବୁ ମିଳିତ ଭାବେ ମାଵଲ୍ୟାନ୍ନା˚ଗକୁ ଏକ ଆଦର୍ଶ ଗ୍ରାମରେ ପରିଣତ କରିଛି।

ସମ୍ବନ୍ଧିତ ଖବର