ଆମେରିକା ମହାକାଶ ଗବେଷଣା ସଂସ୍ଥା ‘ନାସା’ ଦ୍ବାରା ମହାକାଶକୁ ପ୍ରେରିତ ଜେମ୍ସ ୱେବ୍ ଅନ୍ତରୀକ୍ଷ ଦୂରବୀକ୍ଷଣ ଏକ ମୃତ ନକ୍ଷତ୍ରର ଚିତ୍ତାକର୍ଷକ ଫଟୋ ଉଠାଇଛି। ଏହି ଫଟୋଟି ୨,୬୦୦ ଆଲୋକବର୍ଷ ଦୂରରେ ଅବସ୍ଥିତ ଲାଇରା ନାମକ ନକ୍ଷତ୍ରପୁଞ୍ଜର ଏକ ନୀହାରିକା। ଏହାର ନାମ ‘ରିଙ୍ଗ୍ ନେବ୍ୟୁଲା’ ବା ‘ମେସିଅର ୫୭’।
ଉଲ୍ଲେଖଯୋଗ୍ୟ, ନୀହାରିକା ହେଉଛି ମୃତ ନକ୍ଷତ୍ରର ଅବଶିଷ୍ଟାଂଶ ଯାହା ଧୂଳିକଣା ଓ ବାଷ୍ପର ଏକ ବିଶାଳକାୟ ସଂରଚନା ରୂପେ ତିଷ୍ଠି ରହିଥାଏ। ଏକ ମଧ୍ୟମ ଧରଣର ନକ୍ଷତ୍ର ବିଲୀନ ହେଲେ, ଅର୍ଥାତ୍ ତାହାର ସମସ୍ତ ଆଣବିକ ଜାଳେଣି ସରିଗଲେ ନୀହାରିକା ସୃଷ୍ଟି ହୋଇଥାଏ। ‘ମେସିଅର ୫୭’ର ଏହି ଫଟୋକୁ ଜ୍ୟୋତିର୍ବିଜ୍ଞାନୀମାନେ ‘ନୀହାରିକାର ଆଖି’ ବୋଲି କହିଛନ୍ତି।
ସେମାନେ ତାହାର ରଂଗିନ ପଟି ଓ ତାହାକୁ ଘେରିରହିଥିବା ଉଦ୍ଜାନ ବାଷ୍ପର ସ୍ଥିତିକୁ ଅନୁଧ୍ୟାନ କରୁଛନ୍ତି। ଏହାର ଅବକ୍ଷୟପ୍ରାପ୍ତ ବଳୟରୁ ନକ୍ଷତ୍ରର ମୃତ୍ୟୁର କାରଣ ସ୍ପଷ୍ଟ ହୋଇଛି। ତାହାର କେନ୍ଦ୍ରସ୍ଥ ଏକ ଶୂନ୍ୟସ୍ଥାନକୁ ଘେରି ରହିଥିବା ବଳୟଟି ଏକ ବାଷ୍ପୀୟ ଚୁଲି ପରି ଏବଂ ଉକ୍ତ ଶୂନ୍ୟସ୍ଥାନରେ ନକ୍ଷତ୍ରଟିଏ ୯୯,୯୮୨ ଡିଗ୍ରି ସେଲ୍ସିଅର୍ ତାପମାତ୍ରାରେ ଅହରହ ଜଳିବାରେ ଲାଗିଛି। ନୀହାରିକାର ଏତେ ସ୍ପଷ୍ଟ ଦୃଶ୍ୟ ଆଗରୁ କେବେ ଦେଖାଯାଇନଥିଲା ଏବଂ ଏହି ନୀହାରିକା ସୃଷ୍ଟିର ପ୍ରକ୍ରିୟା ପ୍ରାୟ ୪ ହଜାର ବର୍ଷ ତଳୁ ଆରମ୍ଭ ହୋଇଛି ବୋଲି ମାଞ୍ଚେଷ୍ଟର ବିଶ୍ବବିଦ୍ୟାଳୟର ଅନ୍ତରୀକ୍ଷ ପଦାର୍ଥବିଜ୍ଞାନୀ ପ୍ରଫେସର୍ ଆଲବର୍ଟ ଜିଜସଲ୍ସ୍ତାରା ଆକଳନ କରିଛନ୍ତି।