ବିଶ୍ୱର ବିଭିନ୍ନ ଦେଶ ମଧ୍ୟରେ ହେଉଥିବା ସଂଘର୍ଷ ପୃଥିବୀର ଜଳବାୟୁ ସଙ୍କଟକୁ ତୀବ୍ର କରୁଛି। ଯୁଦ୍ଧ, ବିଷାକ୍ତ ବାୟୁ, ଧ୍ୱଂସପ୍ରାପ୍ତ ଭୂଦୃଶ୍ୟ ଓ ଅସ୍ଥିର ପର୍ଯ୍ୟାବରଣ ପ୍ରଣାଳୀର କାରଣ ହୋଇଆସିଛି। ୧୯୯୦ ଦଶକରେ କୁଏତର ତୈଳ ଅଗ୍ନିକାଣ୍ଡଠାରୁ ଆରମ୍ଭ କରି ୟୁକ୍ରେନର ବନ୍ୟା ଏବଂ ଗାଜାର ପରିବେଶ ବିନାଶ ପର୍ଯ୍ୟନ୍ତ, ସଶସ୍ତ୍ର ସଂଘର୍ଷ ପରିବେଶଗତ ପତନକୁ ତ୍ୱରାନ୍ୱିତ କରିଛି, ଯାହା ପୃଥିବୀର ଜଳବାୟୁ ଜରୁରୀକାଳୀନ ପରିସ୍ଥିତିକୁ ଆହୁରି ଜଟିଳ କରିଛି। ୧୯୯୧ ଉପସାଗରୀୟ ଯୁଦ୍ଧ ସମୟରେ, ଇରାକୀ ସୈନ୍ୟମାନେ ୭୦୦ ତୈଳକୂପ ଜାଳି ଦେଇଥିଲେ, ଯାହା ଏକ ବିଷାକ୍ତ ଐତିହ୍ୟ ସୃଷ୍ଟି କରିଥିଲା। ଗାଜା ପଟି ଉପରେ ଇସ୍ରାଏଲର ୨୦୨୩-୨୪ ଆକ୍ରମଣରେ ୩୯ ନିୟୁତ ଟନ୍ ଅଳିଆ ଆବର୍ଜନା ସୃଷ୍ଟି ହୋଇଥିଲା, ଏହା ମାଟିରେ ପ୍ରତି ବର୍ଗ ମିଟରରେ ୧୦୭ କିଲୋଗ୍ରାମ ଭାରୀ ଧାତୁ ଛାଡ଼ିଥିଲା ଏବଂ ୮୦% ଉଦ୍ଭିଦ ଆବରଣକୁ ନଷ୍ଟ କରିଦେଇଥିଲା। ୨୦୨୩ ମସିହାରେ ୟୁକ୍ରେନରେ କାଖୋଭକା ବନ୍ଧ ଭାଙ୍ଗିବା ଯୋଗୁଁ ୫ ଲକ୍ଷ ହେକ୍ଟର ଜମି ଜଳମଗ୍ନ ହେବା ସହ ଡିନିପ୍ରୋ ତ୍ରିକୋଣଭୂମି ଓ କୃଷ୍ଣସାଗରରେ ଲ୍ୟାଣ୍ଡମାଇନ୍, ତେଲ ଓ ବର୍ଜ୍ୟବସ୍ତୁ ବିସ୍ତାର କରିଥିଲା।
ଉଲ୍ଲେଖଯୋଗ୍ୟ ଯେ ବିଶ୍ୱ ସାମରିକ ବାହିନୀ ୫.୫% ସବୁଜଗୃହ ବାଷ୍ପ ନିର୍ଗମନ ପାଇଁ ଦାୟୀ, ଯାହା ବିମାନ ଓ ଜାହାଜ ଚଳାଚଳର ମିଳିତ ନିର୍ଗମନରୁ ଅଧିକ। ପୁଣି ଯୁଦ୍ଧ ପରବର୍ତ୍ତୀ ପୁନଃନିର୍ମାଣ ଜଳବାୟୁ ଉପରେ ଆହୁରି ଚାପ ପକାଇଥାଏ। ଜାତିସଂଘର ପରିବେଶ କାର୍ଯ୍ୟକ୍ରମ ଉଲ୍ଲେଖ କରିଛି ଯେ ୪୦% ଆଧୁନିକ ସଂଘର୍ଷ ପ୍ରାକୃତିକ ସମ୍ପଦ ବିବାଦ ସହିତ ଜଡ଼ିତ, ତଥାପି ସାମରିକ ନିର୍ଗମନ ବିଶ୍ୱ ଜଳବାୟୁ ଚୁକ୍ତିନାମାରେ ସାମିଲ ହୋଇନଥାଏ। ସୁତରାଂ ବିଶେଷଜ୍ଞମାନେ ଏହାର ପ୍ରତିକାର ସ୍ବରୂପ ଭାରତର ‘ବସୁଧୈବ କୁଟୁମ୍ବକମ୍’ ନୀତି ଅନୁସରଣ କରି ନିରସ୍ତ୍ରୀକରଣ ଆଲୋଚନା ସହିତ ଜଳବାୟୁ କୂଟନୀତିକୁ ସମନ୍ୱିତ କରିବାକୁ ଅନୁରୋଧ କରିଛନ୍ତି।