ଆଗାମୀ ସମୟରେ ଜଳବାୟୁ ପରିବର୍ତ୍ତନ ଆମ ସମସ୍ତଙ୍କୁ କିପରି ପ୍ରଭାବିତ କରିପାରେ ତାହାର ଏକ ଭଲ ସୂଚକ ହେଉଛି ଉଚ୍ଚ ପର୍ବତରେ ଦେଖାଦେଉଥିବା ପରିବର୍ତ୍ତନ। ୨୦୨୪ରେ ଅତିରିକ୍ତ ଅକ୍ସିଜେନ୍‌ ବିନା ମାଉଣ୍ଟ୍‌ ଏଭରେଷ୍ଟ୍‌ ଆରୋହଣ କରି ବିରଳ ରେକର୍ଡର ଅଧିକାରୀ ହୋଇଥିବା ଲଦାଖ୍‌ର ୪୩ ବର୍ଷୀୟ ପର୍ବତାରୋହୀ ସ୍କଲ୍‌ଜାଙ୍ଗ୍ ରିଗ୍‌ଜିନ୍‌ ଲଦାଖ୍‌ର ପର୍ବତରେ ପରିଲକ୍ଷିତ ପରିବର୍ତ୍ତନ ସମ୍ପର୍କରେ ଯେଉଁ ବ୍ୟାଖ୍ୟା କରନ୍ତି ତାହା ଉଦ୍‌ବେଗଜନକ। ସ୍କଲ୍‌ଜାଙ୍ଗ୍ କହନ୍ତି, “୬,୦୦୦ ମିଟର ଉଚ୍ଚତା ବିଶିଷ୍ଟ ଲଦାଖ୍‌ର ଆରୋହଣ ଶୃଙ୍ଗ ‘ବେହିମୋଥ୍ କାଙ୍ଗ୍ ୟସ୍ତେ’ ସମେତ ‘ଡିଜୋ ଜୋଙ୍ଗୋ (ପୂର୍ବ)’ରେ ଚଳିତ ଋତୁରେ ପୂର୍ବଭଳି ବରଫ ଦେଖିବାକୁ ମିଳୁନାହିଁ। ଆମେ ସାଧାରଣତଃ ୪,୩୦୦ ମିଟର ଉଚ୍ଚତାରେ ଥିବା କୁନ୍ ପର୍ବତର ପାଦଦେଶରେ ବେସ୍ କ୍ୟାମ୍ପ୍‌ ସ୍ଥାପନ କରୁ।

Advertisment

ଅତୀତରେ ବେସ୍ କ୍ୟାମ୍ପ୍‌ରୁ କ୍ୟାମ୍ପ୍‌-୧କୁ ଯିବା ସମୟରେ ହିମବାହ ଉପରେ ସିଧାସିଧା ଚାଲିବାକୁ ପଡୁଥିଲା। ବର୍ତ୍ତମାନ ସେଠାରେ ବରଫ ତରଳି ପଥର ବାହାରିବା ଆରମ୍ଭ କରିଛି।’’

ସେହିପରି ପ୍ରାୟ ୫ ହଜାର ମିଟର ଉଚ୍ଚତାରେ ଉତ୍ତାପ ଘନୀଭୂତ ହୋଇ ତାପମାତ୍ରା ଯଥେଷ୍ଟ ବୃଦ୍ଧି ପାଉଥିବାର ଦେଖାଗଲାଣି। ଏହି ଉଚ୍ଚତାରେ ତାପମାତ୍ରା ୨୯ ଡିଗ୍ରି ସେଲ୍‌ସିଅସ୍‌ ହେବା ଏକ ସ୍ୱାଭାବିକ ପ୍ରକ୍ରିୟା ନୁହେଁ। ଏହି ପରିବର୍ତ୍ତିତ ପରିସ୍ଥିତି ଆରୋହଣର ଶୈଳୀକୁ ମଧ୍ୟ ବଦଳାଇ ଦେଲାଣି। ପର୍ବତର ଚାରିପାଖରେ ବର୍ତ୍ତମାନ ପଥରଗୁଡ଼ିକ ମୁକୁଳା ହୋଇ ପର୍ବତାରୋହୀଙ୍କ ପାଇଁ ବିପଦ ପାଲଟିଲାଣି। କମ୍ ତୁଷାରପାତ ଯୋଗୁଁ ଲଦାଖ୍‌ ଓ ଜାନସ୍କର୍‌ ଗ୍ରାମରେ ଗୁରୁତର ଜଳ ଅଭାବ ଦେଖାଦେଇଛି ବୋଲି ସ୍କଲଜ୍‌ଙ୍ଗ୍‌ ପ୍ରକାଶ କରିଛନ୍ତି।