ନୂଆଦିଲ୍ଲୀ: ଦିନକୁ ଦିନ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି। ଏହି କାରଣରୁ ଦ୍ରୁତଗତିରେ ବାୟୁମଣ୍ଡଳର ଗଠନ ବି ବଦଳୁଛି। ନିକଟରେ ହୋଇଥିବା ଏକ ଆନ୍ତର୍ଜାତୀୟ ଗବେଷଣାରୁ ଜଳବାୟୁ ପରିବର୍ତ୍ତନର ପ୍ରଭାବ କିପରି ବାୟୁମଣ୍ଡଳ ଉପରେ ପଡ଼ିଛି ତାହା ସାମ୍ନାକୁ ଆସିଛି।
ତାପମାତ୍ରାରେ ହେଉଥିବା ବୃଦ୍ଧି ବାୟୁମଣ୍ଡଳକୁ କିଭଳି ଭାବେ ପ୍ରଭାବିତ କରୁଛି ତାହା ଗବେଷଣାକାରୀମାନେ ଜାଣିବାକୁ ଚେଷ୍ଟା କରିଛନ୍ତି। ଗବେଷଣାଲବ୍ଧ ତଥ୍ୟ ଅନୁସାରେ ପୃଥିବୀରେ ତାପମାତ୍ରା ବୃଦ୍ଧି ହେଉଛି ଓ ସେହି କାରଣରୁ ବାୟୁମଣ୍ଡଳର ନିମ୍ନ ସୀମା ବିସ୍ତାରିତ ହେବାରେ ଲାଗିଛି। ଏଥିସହ ଏହାର ଉପର ସୀମା ଟ୍ରୋପୋପାଜ ସମତାପମଣ୍ଡଳ ସହିତ ଲାଗି ରହିଥିବା ସୀମାକୁ ପ୍ରତି ୧୦ବର୍ଷରେ ୫୦ରୁ ୬୦ମିଟର ହାରରେ ଉପର ଆଡ଼କୁ ଠେଲିନେଉଛି।
ଏହି ପରିପ୍ରେକ୍ଷୀରେ, ନ୍ୟାସନାଲ୍ ସେଣ୍ଟର ଫର୍ ଆଟମୋସଫେରିକ୍ ରିସର୍ଚ୍ଚ (ଏନସିଏଆର)ର ବୈଜ୍ଞାନିକ ତଥା ଗବେଷଣାକାରୀ ବିଲ୍ ରାଣ୍ଡେଲ୍ କହିଛନ୍ତି, ‘‘ତାପମାତ୍ରା ବୃଦ୍ଧି ଯୋଗୁ ବାୟୁମଣ୍ଡଳୀୟ ଗଠନରେ ପରିବର୍ତ୍ତନ ହେଉଛି।’’ ଏହି ଗବେଷଣାରୁ ମିଳିଥିବା ତଥ୍ୟ ନିଶ୍ଚିତ କରିଛି ଯେ ଗ୍ରୀନ୍ ହାଉସ୍ ଗ୍ୟାସ୍ ଯୋଗୁ ଏହି ପରିବର୍ତ୍ତନ ସଂଘଠିତ ହେଉଛି।
ବିଗତ ଦଶନ୍ଧି ମଧ୍ୟରେ ଟ୍ରୋପୋପାଜର ଉଚ୍ଚତା କ୍ରମାଗତ ଭାବରେ ବୃଦ୍ଧି ପାଉଛି, ଏହା ଜନଜୀବନ ଏବଂ ପାରିବେଶିକ ବ୍ୟବସ୍ଥା ଉପରେ କୌଣସି ପ୍ରଭାବ ପକାଉ ନାହିଁ । କିନ୍ତୁ ଏହା ସ୍ପଷ୍ଟ ଭାବରେ ସୂଚିତ କରେ ଯେ ଗ୍ରୀନ୍ ହାଉସ୍ ଗ୍ୟାସ୍ ବ୍ୟାପକ ପ୍ରଭାବ ପକାଉଛି ।
ଏପରି ପରିସ୍ଥିତିରେ, ନୂତନ ତଥ୍ୟକୁ ବିଶ୍ଳେଷଣ କରି ବୈଜ୍ଞାନିକମାନେ ଜାଣିବାକୁ ପାଇଛନ୍ତି ଯେ ସମତାପ ମଣ୍ଡଳର ତାପମାତ୍ରାର ବିଶେଷ କିଛି ପ୍ରଭାବ ପଡ଼ୁନାହିଁ। ଏହା ସତ୍ତ୍ବେ ବି ଟ୍ରୋପୋପାଜର ଆକାର ବୃଦ୍ଧି ପାଇବାରେ ଲାଗିଛି। ବୈଜ୍ଞାନିକଙ୍କ ଅନୁଯାୟୀ, ୨୦୦୦ ମସିହା ପରେ ଉପଗ୍ରହରୁ ପ୍ରାପ୍ତ ତଥ୍ୟରୁ ନିଶ୍ଚିତ ହୋଇଛି ଯେ ଗତ ଦୁଇ ଦଶନ୍ଧି ମଧ୍ୟରେ ଟ୍ରୋପୋପାଜର ଉଚ୍ଚତା ବୃଦ୍ଧି ପାଇଛି। ଏଥିରୁ ଏହା ସ୍ପଷ୍ଟ ହୋଇଯାଉଛି ଯେ ମାନବ ସଭ୍ୟତା ଯୋଗୁ ହିଁ ଏହି ପରିବର୍ତ୍ତନ ହେଉଛି।
(ଏହି ଆଲେଖ୍ୟଟି ‘ସମ୍ବାଦ ଡିଜିଟାଲ୍’ର ପରିବେଶ ସଚେତନତା ଅଭିଯାନ ‘ପୁନଶ୍ଚ ପୃଥିବୀ-ୱାନ୍ ଆର୍ଥ, ୟୁନାଇଟ୍ ଫର୍ ଇଟ୍’ର ଅଂଶବିଶେଷ)