କୋଲ୍‌କାତାର ନିୟୁ ଟାଉନ୍‌ ଅନ୍ତର୍ଗତ ଇକୋ ପାର୍କରେ ଖୋଲିଛି ଭାରତର ପ୍ରଥମ ସୌର ଗମ୍ବୁଜ ସଂଗ୍ରହାଳୟ। ୨୭ ମିଟର୍‌ ଉଚ୍ଚ ଓ ୪୫ ମିଟର୍‌ ବ୍ୟାସାର୍ଦ୍ଧବିଶିଷ୍ଟ ଅକ୍ଷୟଶକ୍ତି ଚାଳିତ ଏହି ବିସ୍ମୟକର ସ୍ଥାପତ୍ୟ ନୂତନତ୍ବ, ସ୍ଥାୟିତ୍ବ ଓ ଅଦ୍ଭୁତ-ଅତ୍ୟାଧୁନିକ ଡିଜାଇନ୍‌ର ଅଭିନବ ସମ୍ମିଶ୍ରଣ। ଏଥିରେ ଲାଗିଥିବା ୧୫୦ ଓ ୨୦୦ ୱାଟ୍‌ବିଶିଷ୍ଟ ୨,୦୮୬ ଖଣ୍ଡ ସୌରଫଳକ ଦ୍ବାରା ସଂଗୃହୀତ ସୌରଶକ୍ତି ସଂଗ୍ରହାଳୟକୁ ବିଦ୍ୟୁତ୍‌ ଯୋଗାଇବା ସହିତ ଏହା ଚତୁଃର୍ପାଶ୍ବସ୍ଥ ଷ୍ଟ୍ରିଟ୍‌ଲାଇଟ୍‌ ବି ଜଳାଉଛି। ଏଥିରୁ ଘଣ୍ଟାକୁ ସଂଗୃହୀତ ସୌର ବିଦ୍ୟୁତ୍‌ର ପରିମାଣ ୧୮୦ କିଲୋୱାଟ୍‌। ୨.୮୯ ଏକର ଜମିରେ ନିର୍ମିତ ଏ ଅଭିନବ ମ୍ୟୁଜିୟମ୍‌ କୌଣସି ପାରମ୍ପରିକ ସଂଗ୍ରହାଳୟ ଭଳି ନୁହେଁ। ଏଥିରେ ଆଧୁନିକ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାର ପ୍ରଦର୍ଶନୀ ଦର୍ଶକମାନଙ୍କୁ ଅଭିଭୂତ କରୁଛି। ସୌରଶକ୍ତି, ପବନଶକ୍ତି ଓ ଅନ୍ୟାନ୍ୟ ଅକ୍ଷୟଶକ୍ତିର ପ୍ରୟୋଗମୂଳକ ମଡେଲ୍‌ ସେମାନଙ୍କୁ ପ୍ରେରିତ କରିବା ସଙ୍ଗେ ସଙ୍ଗେ ଆଜିର ଦୁନିଆରେ ଅକ୍ଷୟଶକ୍ତିର ତାତ୍ପର୍ଯ୍ୟ ଓ ଭବିଷ୍ୟତ ଶକ୍ତିର ରୂପରେଖ ସମ୍ବନ୍ଧରେ ଅଧିକ ସୂଚନା ଦେଉଛି।

Advertisment

ପିଲାମାନଙ୍କ କୌତୁକ ଓ ଶିକ୍ଷା ପାଇଁ ବି ଏଥିରେ ଗୋଟିଏ ବିଶେଷ ଜୋନ୍‌ ରଖାଯିବ। ସେଥିରେ ମନଫୂର୍ତ୍ତି କରିବା ପାଇଁ ଅପୂର୍ବ ଉଦ୍ୟାନ ଦୃଶ୍ୟରାଜି ଥିବା କାଫେ ବି ରହିଛି। ଘରକୁ କିଛି ସ୍ମାରକୀ ସାମଗ୍ରୀ ଆଣିବା ଲାଗି ଗିଫ୍‌ଟ୍‌ ସପ୍‌ ବି ଖୋଲିଛି।

ତିନିଟି ମହଲାବିଶିଷ୍ଟ ଏ ସଂଗ୍ରହାଳୟର ୬ଟି ଗ୍ୟାଲେରିକୁ ସଂଯୋଗ କରୁଛି ଗୋଟାଏ ମନୋରମ କୁଣ୍ଡଳାକାର ରୢାମ୍ପ୍‌। ଏହି ରୢାମ୍ପ୍‌ରେ ଦର୍ଶକମାନେ ଉପରକୁ ଯାଇପାରିବେ। ସବା ଉପର ମହଲାରେ ରହିଛି ମ‌େ‌ନାରମ ଦୃଶ୍ୟସମ୍ବଳିତ ଗ୍ୟାଲେରି। ସବା ତଳ ମହଲାକୁ ଓହ୍ଲାଇବାକୁ ସଂଗ୍ରହାଳୟ ମଧ୍ୟସ୍ଥଳରେ ରହିଛି ଲିଫ୍ଟ୍‌। ସଂଗ୍ରହାଳୟରେ ରହିଛି ୫୦ଟି ବିଜ୍ଞାନମୂଳକ ପ୍ରଦର୍ଶନୀ। ଏଥିରେ ଥିବା ୫୦ଟି ଟିଭି ଡିସ୍‌ପ୍ଲେରେ ପ୍ରଦର୍ଶିତ ହେଉଛି ଗତ ଦୁଇ ଶତାବ୍ଦୀ ଧରି ପ୍ରକୃତି ଉପରେ ଚାଲିଥିବା ମାନବୀୟ ଶୋଷଣଜନିତ କୁପରିଣତି। ସମୁଦ୍ରରେ ତୈଳ ପ୍ରଦୂଷଣ, ବ୍ରାଜିଲ୍‌ର ବନ୍ୟା, ଦୁବାଇରେ ବର୍ଷାବିତ୍ପାତ, ଭାରତରେ ଗ୍ରୀଷ୍ମଲହରୀ, ମାଡାଗାସ୍କାରରେ ବାତ୍ୟା ଓ ବନାଗ୍ନି ଇତ୍ୟାଦି ଏହାର ଆକର୍ଷଣ। ସେହିପରି, ଦର୍ଶକମାନେ ୬ଟି ଜଳମଗ୍ନ ଟନେଲ୍‌ ଭିତରକୁ ଯାଇ ଭିନ୍ନ ଦୁନିଆର ଅଭିଜ୍ଞତା ଅର୍ଜନ କରିବେ। ଏଥିରେ ଥିବା ଇଂରାଜି ଅକ୍ଷର ‘ୟୁ’ ଆକୃତିର ଏଲ୍‌ସିଡି ପରଦାରେ ମଧ୍ୟ ମେରୁ ଅଞ୍ଚଳ ବରଫ ତରଳିବା, ବନାଗ୍ନି ଓ ସମୁଦ୍ର ଜଳରେ ତୈଳ ଢାଳି ହେବାଜନିତ ଜଳବାୟୁ ସଙ୍କଟ ପ୍ରସଙ୍ଗ ପ୍ରଦର୍ଶିତ ହେଉଛି।

ସଂଗ୍ରହାଳୟର ଆଉ ଏକ ଅଭିନବ ବୈଶିଷ୍ଟ୍ୟ ହେଉଛି ଏହା ରୋବର୍ଟ ପରିଚାଳିତ। ଏଠି ଦର୍ଶକଙ୍କୁ  ମନୁଷ୍ୟାକୃତି ରୋବଟ୍‌ ସ୍ବାଗତ ଜଣାଉଛି। ପୁଣି ଏ ରୋବଟ୍‌ ହାତ ହଲାଇବା ସହ କଥା ବି କହୁଛି। ସଂଗ୍ରହାଳୟରେ ରହିଛନ୍ତି କ୍ଷୁଦ୍ରାକାରର ୬ଟି ରୋବଟ୍। ‘କ୍ୟୁରି‌ଓ’ କୁହାଯାଉଥିବା ସେ ରୋବଟ୍‌ ସବୁ ସଂଗ୍ରହାଳୟର ପ୍ରତ୍ୟେକ ମହଲାରେ ଦର୍ଶକମାନଙ୍କୁ ଜଳ, ଜୁଆର, ପବନ, ଭୂଗର୍ଭଉଷ୍ମତା ଓ ସୌରଶକ୍ତି ବିଷୟରେ ବହୁ ଜଣାଅଜଣା ତଥ୍ୟ କହୁଛନ୍ତି। ବିସ୍ମୟକର ଦୃଶ୍ୟାବଳି ପ୍ରଦର୍ଶନ କରୁଥିବା ୩୦ଟି ଅତ୍ୟାଧୁନିକ ପ୍ରୋଜେକ୍ଟର୍‌ ବି ସଂଗ୍ରହାଳୟରେ ରହିଛି। ଏହା ବ୍ୟତିରେକେ, ଏହି ସଂଗ୍ରହାଳୟରେ ରହିଛି ୪ଟି ଭିଜନ୍‌ ଥିଏଟର୍‌। ସେଥିରୁ ଦୁଇଟି ଅଛି ଉପର ମହଲାରେ। ସେ ସବୁ ପ୍ରେକ୍ଷାଳୟରେ ମୁଖ୍ୟତଃ ପ୍ରଦର୍ଶିତ ହେଉଛି ବିଭିନ୍ନ ବିଷୟବସ୍ତୁ, ବିଶେଷକରି ସୌରଶକ୍ତି ଓ ନଗରାଞ୍ଚଳ ଯୋଜନା ଆଧାରିତ କ୍ଷୁଦ୍ର ଚଳଚ୍ଚିତ୍ର। ପରିବେଶଗତ ସଚେତନତା ଓ ଅକ୍ଷୟଶକ୍ତି ଉପଯୋଗ ଦ୍ବାରା କିଭଳି ପ୍ରଦୂଷଣରହିତ ପରିବେଶ ସୃଷ୍ଟି କରାଯାଇପାରିବ ସେ ବିଷୟରେ ଦର୍ଶକଙ୍କୁ ମୋଟାମୋଟି ଧାରଣା ଦିଆଯାଉଛି। ସେହିପରି, ଗତ ୨୦୦ ବର୍ଷ ମଧ୍ୟରେ ବିଲୁପ୍ତ ହୋଇଯାଇଥିବା ୭୧୧ଟି ପ୍ରାଣୀ ପ୍ରଜାତିରୁ ଡୋଡୋ, ସ୍ପିକ୍ସ୍‌ ମକାଓ, କାମାଓ, ପାସେଞ୍ଜର୍‌ ପିଜନ୍‌ ନାମକ ବନ୍ୟପାରା, ମରୁ ମୂଷିକ କଙ୍ଗାରୁ ଭଳି ୬୦ଟି ପ୍ରାଣୀଙ୍କର ଫାଇବର୍‌ ବା ପ୍ଲାଷ୍ଟିକ୍‌ ପ୍ରତିକୃତି ମଧ୍ୟ ସେ ସଂଗ୍ରହାଳୟରେ ରଖାଯାଇଛି। ପୁଣି ଦର୍ଶକମାନେ ଡିଜିଟାଲ୍‌ ଗେମ୍‌, କୁଇଜ୍‌ ଓ ଡିଜିଟାଲ୍‌ ଆସେମ୍‌ବ୍ଲି ଗେମ୍‌ରେ ଅଂଶଗ୍ରହଣ କରିପାରିବେ। ପିଲାମାନଙ୍କ କୌତୁକ ଓ ଶିକ୍ଷା ପାଇଁ ବି ଏଥିରେ ଗୋଟିଏ ବିଶେଷ ଜୋନ୍‌ ରଖାଯିବ। ସେଥିରେ ମନଫୂର୍ତ୍ତି କରିବା ପାଇଁ ଅପୂର୍ବ ଉଦ୍ୟାନ ଦୃଶ୍ୟରାଜି ଥିବା କାଫେ ବି ରହିଛି। ଘରକୁ କିଛି ସ୍ମାରକୀ ସାମଗ୍ରୀ ଆଣିବା ଲାଗି ଗିଫ୍‌ଟ୍‌ ସପ୍‌ ବି ଖୋଲିଛି।