ସାଧାରଣତଃ, ଧାରଣା ରହିଛି ପୁରୁଷମାନେ ହିଁ ଗୁଇନ୍ଦାଗିରି କରନ୍ତି, ମହିଳାମାନଙ୍କୁ ଗୁଇନ୍ଦାଗିରି ସୁହାଏ ନାହିଁ। କିନ୍ତୁ, ଏହି ଚିନ୍ତାଧାରାକୁ ଭୁଲ୍ ପ୍ରମାଣିତ କରିଛନ୍ତି ରଜନୀ ପଣ୍ଡିତ। ଭାରତରେ ପ୍ରଥମ ସଫଳ ମହିଳା ପ୍ରାଇଭେଟ୍ ଡିଟେକ୍ଟିଭ୍ ରଜନୀ, ତାଙ୍କର ୩୦ ବର୍ଷର କ୍ୟାରିୟର୍ରେ ୮୦,୦୦୦ରୁ ଅଧିକ ଅପରାଧର ରହସ୍ୟ ଉନ୍ମୋଚନ କରିଛନ୍ତି। ୬୨ ବର୍ଷୀୟ ରଜନୀ ପଣ୍ଡିତଙ୍କୁ ଭାରତର ‘ଲେଡି ଜେମ୍ସ୍ ବଣ୍ଡ୍’ ଓ ‘ଲେଡି ସେର୍ଲକ୍’ ଭାବେ ଅଭିହିତ କରାଯାଏ। ଆସନ୍ତୁ ଏକ ବିରଳ ବୃତ୍ତିକୁ ଆପଣାଇ ସଫଳତା ହାସଲ କରିଥିବା ରଜନୀଙ୍କ ସହିତ ପରିଚିତ ହେବା।
କଲେଜ ବେଳୁ ଗୁଇନ୍ଦାଗିରି
ମହାରାଷ୍ଟ୍ରରେ ଜନ୍ମିତ ଓ ଲାଳିତପାଳିତ ରଜନୀ ପଣ୍ଡିତ ଥିଲେ ସାଧାରଣ ମଧ୍ୟବିତ୍ତ ପରିବାରର ଝିଅଟିଏ। କିନ୍ତୁ, ତାଙ୍କ ମନରେ ଥିଲା ଅସାଧାରଣ ପ୍ରତିବଦ୍ଧତା ଓ ଭିନ୍ନ କିଛି କରିବାର ବଳବତୀ ଇଚ୍ଛା। ଛାତ୍ର ଜୀବନରୁ ଗୁଇନ୍ଦା ବୃତ୍ତି ପ୍ରତି ତାଙ୍କର ଥିଲା ଆକର୍ଷଣ। ମୁମ୍ବାଇରେ କଲେଜରେ ମରାଠୀ ଭାଷା ସାହିତ୍ୟରେ ସ୍ନାତକ ପଢ଼ିବା ବେଳେ ସେ କିଛି ଘଟଣାର ରହସ୍ୟ ଉନ୍ମୋଚନ କରିଥିଲେ। ତାଙ୍କର ଜଣେ ସହପାଠିନୀ ଦେହ ବ୍ୟବସାୟରେ ଜଡ଼ିତ ଥିଲା। ରଜନୀଙ୍କର ସନ୍ଦେହ ହୋଇଥିଲା କି, ସହପାଠିନୀଙ୍କୁ ଶୋଷଣ କରାଯାଉଛି। ସହପାଠିନୀର ହାବଭାବ ଉପରେ ସେ କଡ଼ା ନଜର ରଖିଲେ। କୁସଙ୍ଗରେ ପଡ଼ି ସେ ଧୂମପାନ, ମଦ୍ୟପାନ ଓ କ୍ଲାସ୍ ବକ୍ ବି କରୁଥିଲା। କଲେଜ କ୍ଲର୍କ ଅଫିସ୍ରୁ ଠିକଣା ନେଇ ରଜନୀ ତା’ ଘରକୁ ଗଲେ ଓ ତା’ ବାପାମାଆଙ୍କୁ ସବୁ କଥା ଜଣାଇଦେଲେ। ଫଟୋ ସହିତ ପ୍ରମାଣ ଦେବା ପରେ ତା’ ବାପା ଉଚିତ ପଦକ୍ଷେପ ନେଲେ। କଲେଜ ବେଳର ଆଉ ଗୋଟାଏ ଘଟଣା ବଖାଣି ରଜନୀ କହନ୍ତି, ‘‘ପ୍ରଥମ ବାର୍ଷିକୀ ଛାତ୍ରୀ ଥିବା ବେଳେ ମୁଁ ଗୋଟାଏ ଅଫିସ୍ରେ ପାର୍ଟଟାଇମ୍ କିରାଣି ଚାକିରି କରୁଥିଲି। ମୋର ଜଣେ ସହକର୍ମିଣୀ ତାଙ୍କ ଘରୁ ଚୋରି ହେଉଥିବା କଥା କହିଲେ। ସେ ତାଙ୍କ ନୂଆବୋହୂକୁ ସନ୍ଦେହ କରୁଥିଲେ, କିନ୍ତୁ ତାଙ୍କ ପାଖରେ କୌଣସି ପ୍ରମାଣ ନ ଥିଲା। ମୁଁ ଘଟଣାର ସମାଧାନ କରିଦେବି ବୋଲି କହିଲି। ମୋ ବାପା ‘ସିଆଇଡି’ ଅଧିକାରୀ ଥିବାରୁ ମୁଁ ଥିଲି ଭାରି ଉତ୍ସୁକୀ। ପୁଙ୍ଖାନୁପୁଙ୍ଖ ତଦନ୍ତ କୌଶଳ ବି ଶିଖିଯାଇଥିଲି। ତାଙ୍କ ଘରପାଖ ରାସ୍ତା ଉପରେ ନଜର ରଖିଲି। ଜାଣିଲି, ପ୍ରକୃତ ଚୋର ହେଉଛି ମହିଳାଙ୍କ ପୁଅ। ପଚରାଉଚରା କରାଯିବାରୁ ସେ ଚୋରି କରିଥିବା କଥା ସ୍ବୀକାର କଲା।’’
ବାପାଙ୍କ ଯୋଗୁଁ ଗୁଇନ୍ଦା ହେଲେ
କଲେଜ ପାଠ ଶେଷ କରିବା ପରେ ରଜନୀ ଘରୋଇ ଗୁଇନ୍ଦା ହେବେ ବୋଲି ନିଷ୍ପତ୍ତି ନେଲେ। ତାଲିମ ପାଇଁ ଅନେକ ପ୍ରତିଷ୍ଠାନ ବୁଲିଲେ, ସମସ୍ତେ କହିଲେ ତଦନ୍ତ କରିବା ମହିଳାଙ୍କ କାର୍ଯ୍ୟ ନୁହେଁ। ଘରଲୋକେ ମଧ୍ୟ ମନା କରିଥିଲେ। କିନ୍ତୁ, ବାପା ଶାନ୍ତାରାମ ରଜନୀଙ୍କୁ ଉତ୍ସାହ ଦେଇଥିଲେ। ମହିଳାମାନେ ଏ କାମ ପାରିବେ ନାହିଁ- ଏ କଥାକୁ ଚାଲେଞ୍ଜ୍ ଭାବେ ନେଇ ୧୯୮୩ରେ ରଜନୀ ଗୁଇନ୍ଦା ସେବା ଆରମ୍ଭ କଲେ। ୧୯୯୧ରେ ସେ ଖୋଲିଲେ ନିଜସ୍ବ ଏଜେନ୍ସି ‘ରଜନୀ ପଣ୍ଡିତ ଡିଟେକ୍ଟିଭ୍ ସର୍ଭିସ୍’। ପୁରୁଷ ପ୍ରଧାନ ଏହି କ୍ଷେତ୍ରରେ ପ୍ରବେଶ କରିବା ମହିଳାଙ୍କ ପାଇଁ ଆଦୌ ସହଜ ବ୍ୟାପାର ନ ଥିଲା। ତାଙ୍କୁ ଅନେକ କଷ୍ଟ କରିବାକୁ ପଡ଼ିଲା। କିନ୍ତୁ, କଠିନ ଅଧ୍ୟବସାୟ ଓ ନିଷ୍ଠାପର କାର୍ଯ୍ୟ ଯୋଗୁଁ କ୍ରମଶଃ ତାଙ୍କ ଏଜେନ୍ସି ଜନପ୍ରିୟ ହେଲା।
ରହସ୍ୟ ଭେଦ ପାଇଁ ଛଦ୍ମବେଶ
ଚାକରାଣୀ, ଅନ୍ଧୁଣୀ, ଅନ୍ତଃସତ୍ତ୍ବା ନାରୀ, ବୁଲା ବିକାଳି ଆଦି ଅନେକ ଭୂମିକା ନିର୍ବାହ କରିଛନ୍ତି ରଜନୀ। ସେ ସମାଧନ କରିଥିବା ଅଧିକାଂଶ ମାମଲା ହେଉଛି, ପରସ୍ପରଙ୍କୁ ଅବିଶ୍ବାସ କରୁଥିବା ଦମ୍ପତି, ପରକୀୟା ପ୍ରୀତି, ବାହାଘର ହେବା ଆଗରୁ ପାତ୍ରପାତ୍ରୀଙ୍କ ବିଷୟରେ ବିସ୍ତୃତ ବିବରଣୀ ସଂଗ୍ରହ ଇତ୍ୟାଦି ।
ଏଭଳି ମାମଲାର ତଦନ୍ତ ପାଇଁ କାହିଁକି ଆଗ୍ରହୀ ହେଲେ? ଏହାର ଉତ୍ତରରେ ରଜନୀ କହନ୍ତି, ‘‘ଅନେକ ଗୁଇନ୍ଦା ଅଛନ୍ତି, ପ୍ରତିଷ୍ଠାନ ବି ଅଛି କିନ୍ତୁ, ସେମାନେ ସାଧାରଣ ଜନତାଙ୍କ ସମସ୍ୟା ଅପେକ୍ଷା ବଡ଼ ବଡ଼ କମ୍ପାନି ମାମଲା ହାତକୁ ନିଅନ୍ତି। ମୁଁ ଦେଖିଲି ସମାଜର ସାଧାରଣବର୍ଗରେ ବି ଅନେକ ସମସ୍ୟା ରହିଛି। ତେଣୁ, ସେମାନଙ୍କ ମାମଲା ସବୁ ସମାଧାନ କରିବାକୁ ଆଗ୍ରହୀ ହେଲି।’’ ଜଣେ ବ୍ୟକ୍ତି ସବୁବେଳେ ବ୍ୟବସାୟରେ କ୍ଷତି ହେଉଥିବା କଥା ତାଙ୍କ ପତ୍ନୀଙ୍କୁ କହୁଥିଲେ। ହେଲେ ମହିଳାଙ୍କ ବିଶ୍ବାସ ହେଉ ନ ଥିଲା। ସେ ଏହାର ସତ୍ୟାସତ୍ୟ ଜାଣିବା ଲାଗି ରଜନୀଙ୍କୁ ଦାୟିତ୍ବ ଦେଲେ। ରଜନୀ ବୁର୍ଖା ପିନ୍ଧି ସେ ବ୍ୟକ୍ତିଙ୍କୁ ଅନୁସରଣ କଲେ। ଦେଖିଲେ, ସେ ପ୍ରବଳ ମଦ୍ୟପାନ କରିବା ସହିତ ଜୁଆ ଖେଳୁଛନ୍ତି। କିନ୍ତୁ, ଘରେ ସ୍ତ୍ରୀକୁ କହୁଛନ୍ତି ଯେ, ବ୍ୟବସାୟରେ କ୍ଷତି ହେଉଛି। ଅସଲ କଥା କହିବାରୁ ମହିଳାଜଣକ ନିଜେ ବ୍ୟବସାୟ ସମ୍ଭାଳିଲେ। ବ୍ୟବସାୟ ଭଲ ଚାଲିଲା ଓ ତାଙ୍କ ପରିବାର ଦାରିଦ୍ର୍ୟ କବଳରୁ ରକ୍ଷା ପାଇଲା। ସେହିପରି, ନିକଟରେ ବାହାଘର ସରିଥିବା ଜଣେ ନବବଧୂଙ୍କ ପାଖକୁ ସ୍ବାମୀଙ୍କ ବିଷୟରେ ବେନାମି ଚିଠି ଆସିଲା। ରଜନୀ ସେ ଗାଁକୁ ଯାଇ ଜାଣିଲେ ଯେ, ସ୍ବାମୀର ଆଉ ଗୋଟିଏ ଘରପରିବାର ଅଛି।
ନିଜ କ୍ୟାରିୟର୍ର ସବୁଠାରୁ କଷ୍ଟକର ମାମଲା ସଂପର୍କରେ ରଜନୀ କହନ୍ତି, ‘‘ଗୋଟାଏ ହତ୍ୟା ଘଟଣାର ତଦନ୍ତ ଦାୟିତ୍ବ ମିଳିଥିଲା। ସ୍ବାମୀ ଓ ପୁଅଙ୍କୁ ହତ୍ୟା କରାଯାଇଛି। କିନ୍ତୁ, କିଏ ସେମାନଙ୍କୁ ହତ୍ୟା କରିଛି, ତା’ର କୌଣସି ପ୍ରମାଣ ନ ଥିଲା। ଏହି ହତ୍ୟାକାଣ୍ଡରେ ଜଡ଼ିତ ବୋଲି ଯେଉଁ ମହିଳାଙ୍କୁ ସନ୍ଦେହ କରାଯାଉଥିଲା ୬ ମାସ ଧରି ମୁଁ ଚାକରାଣୀ ସାଜି ତା’ ଘରେ ରହିଲି। ଥରେ ସେ ଅସୁସ୍ଥ ହୋଇପଡ଼ିବାରୁ, ମୁଁ ତାଙ୍କ ସେବାଶୁଶ୍ରୂଷା କଲି। କ୍ରମଶଃ ତାଙ୍କର ବିଶ୍ବାସଭାଜନ ହୋଇଗଲି। କିନ୍ତୁ, ଦିନେ ଚାରିଆଡ଼ ନିରବ ନିସ୍ତବ୍ଧ ଥିବା ବେଳେ ମୋ ରେକର୍ଡର୍ ‘କ୍ଲିକ୍’ ଶବ୍ଦ କଲା ଏବଂ ସେବେଠାରୁ ସେ ମତେ ସନ୍ଦେହ କଲେ। ମତେ ଆଦୌ ଘରୁ ବାହାରକୁ ଛାଡ଼ିଲେ ନାହିଁ।’’ ‘‘ଦିନେ, ଜଣେ ‘ସୁପାରି କିଲର୍’ ତାଙ୍କୁ ଦେଖା କରିବାକୁ ଆସିଲା। ସେତେବେଳେ ମୋର ମନେ ହେଲା ଯେ, ପ୍ରକୃଷ୍ଟ ସମୟ ଉପଗତ। ତେଣୁ, ଛୁରିରେ ମୁଁ ମୋର ପାଦ କାଟି ପକାଇ ସେମାନଙ୍କୁ କହିଲି ଯେ, ବାହାରକୁ ଯାଇ ଏ କ୍ଷତ ବ୍ୟାଣ୍ଡେଜ୍ କରିବାକୁ ପଡ଼ିବ। ସେହି ବାହାନାରେ ମୁଁ ବାହାରକୁ ଦୌଡ଼ି ଯାଇ ଗୋଟାଏ ‘ଏସ୍ଟିଡି’ ବୁଥ୍କୁ ଗଲି। ସେଠାରୁ କ୍ଲାଏଣ୍ଟ୍ଙ୍କୁ ଫୋନ୍ କରି ପୁଲିସ ନେଇ ଆସିବାକୁ କହିଲି। ସେଦିନ ଦୁହେଁ ଗିରଫ ହୋଇଥିଲେ।’’
କାର୍ଯ୍ୟବ୍ୟସ୍ତତା ଯୋଗୁଁ ବାହା ହେଲେନି
କାମରେ ପ୍ରତିବନ୍ଧକ ହେବ ବିଚାରି ବାହା ହେବେ ନାହିଁ ବୋଲି ରଜନୀ ନିଷ୍ପତ୍ତି ନେଇଥିଲେ। ଥରେ ସେ କହିଥିଲେ, ମୁଁ ପରିବାର ଗଢ଼ିବାର ଆବଶ୍ୟକତା ଅନୁଭବ କରୁନାହିଁ। ସତ୍ୟ ଉନ୍ମୋଚନ କ୍ଷେତ୍ରରେ ମୁଁ ସମାଜକୁ ସହାୟତା କରିବାକୁ ଚାହେଁ। ମୁଁ ମୋ କାର୍ଯ୍ୟକୁ ହିଁ ବିବାହ କରିଛି। ପରିବାର ଗଢ଼ିବାକୁ ମୋର ସମୟ କିମ୍ବା ଅଭିଳାଷ ନ ଥିଲା। ଗୁଇନ୍ଦା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ରଜନୀ ପଣ୍ଡିତ ଅନେକ ପୁରସ୍କାର ପାଇଛନ୍ତି ଓ ଅନେକ ନ୍ୟୁଜ୍ ଚାନେଲ୍ରେ ତାଙ୍କ କଥା ପ୍ରସାରଣ କରାଯାଇଛି। ତାଙ୍କ ରଚିତ ଦୁଇଟି ପୁସ୍ତକ ‘ଫେସ୍ ବିହାଇଣ୍ଡ୍ ଫେସ୍’ ଓ ‘ମାୟାଜାଲ’ ଅନେକ ପ୍ରତିଷ୍ଠାନ ପକ୍ଷରୁ ପୁରସ୍କୃତ ହୋଇଛି। ତାଙ୍କ ଗୁଇନ୍ଦା କ୍ୟାରିୟର୍ ଉପରେ ‘ଲେଡି ଜେମ୍ସ୍ ବଣ୍ଡ୍’ ନାମରେ ପ୍ରାମାଣିକ ଚଳଚ୍ଚିତ୍ରଟିଏ ବି ନିର୍ମିତ ହୋଇଛି।