ମଧ୍ୟପ୍ରଦେଶର ଇନ୍ଦୋର ଜିଲା ଅନ୍ତର୍ଗତ ବିନ୍ଧ୍ୟାଚଳର ମହୁଗ୍ରାମ ନିକଟରୁ ୮୪୫ ମିଟର ଉଚ୍ଚତାରୁ ବାହାରି ଚର୍ମଣ୍ବତୀ ନଦୀ ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ ଓ ରାଜସ୍ଥାନ ମଧ୍ୟରେ ପ୍ରବାହିତ ହୋଇଛି। ପୁରାଣରେ ଏହା ଧର୍ମାବତୀ, ଚର୍ମଣ୍ବତୀ, ଭୂତନଦୀ ଓ ଶାପିତ ନଦୀ ନାମରେ ନାମିତା। ମହାଭାରତର ବନପର୍ବରେ ଅଛି- ଇନ୍ଦ୍ରିୟ ସଂଯମ ପୂର୍ବକ ଶୌଚ ଓ ନିୟମିତ ଆହାର କରି ଚର୍ମଣ୍ବତୀ ନଦୀରେ ସ୍ନାନ କଲେ ରନ୍ତିଦେବଙ୍କ ଦ୍ବାରା ଅନୁ‌ମୋଦିତ ଅଗ୍ନି‌ଷ୍ଟୋମ ଯଜ୍ଞର ଫଳ ମିଳେ। ଏହା ସତ୍ତ୍ବେ ଏହି ନଦୀକୁ କେହି ପବିତ୍ର ନଦୀ ଭାବରେ ଗ୍ରହଣ କରନ୍ତି ନାହିଁ। ଏହା ପଛରେ ରହିଛି ଅନେକ କଳଙ୍କିତ ଇତିହାସ। 
ପୁରାଣର ବର୍ଣ୍ଣନା ଅନୁସାରେ, ପ୍ରାଚୀନ କାଳରେ ରନ୍ତିଦେବ ନାମରେ ଜଣେ ରାଜା ଥିଲେ। ଏକହଜାର ପଶୁବଳି ଦେଇ ସେ ଏକ ଯଜ୍ଞ କରାଇଥିଲେ। ସେହି ପଶୁମାନଙ୍କ ରକ୍ତରୁ ଏକ ନଦୀର ସୃଷ୍ଟି  ହୋଇଥିଲା। ସେହି ନଦୀର ତଟରେ ପଶୁମାନଙ୍କର ଚର୍ମ ସୁରକ୍ଷିତ ହୋଇ ରହିଥିବାରୁ ନଦୀର ନାମ କାଳକ୍ରମେ ଧର୍ମାବତୀରୁ ଚର୍ମଣ୍ବତୀ ହୋଇଥିଲା। 

Advertisment

ଅନ୍ୟ ଏକ କିଂବଦନ୍ତି ଅନୁସାରେ, ଏହି ନଦୀ ଦ୍ରୁପଦ ରାଜାଙ୍କର ରାଜ୍ୟ ପାଞ୍ଚାଳ ସୀମାରେ ପ୍ରବାହିତ ହେଉଥିଲା। ଅପର ତଟରେ ଥିଲା ଗାନ୍ଧାରରାଜ ଶକୁନିଙ୍କର ରାଜ୍ୟ। ଯେତେବେଳେ ଏହି ନଦୀତୀରରେ କୁରୁ ଓ ପାଣ୍ଡବମାନଙ୍କ ମଧ୍ୟରେ ଦ୍ୟୁତକ୍ରୀଡ଼ା ଅନୁଷ୍ଠିତ ହୋଇଥିଲା, ସେଥିରେ ସବୁଠାରୁ ଅଧିକ ଲାଞ୍ଛିତ ଓ ଅପମାନିତ ହୋଇଥିଲେ ଦ୍ରୌପଦୀ। ଧର୍ମାବତୀ ହୋଇ ମଧ୍ୟ ଏହି ନଦୀ ନିରବଦ୍ରଷ୍ଟା ହୋଇ ଦ୍ରୌପଦୀଙ୍କର ଲାଞ୍ଛନା ଦେଖିଥିଲା। ତେଣୁ କ୍ରୁଦ୍ଧା ହୋଇ ଦ୍ରୌପଦୀ ଏହି ନଦୀକୁ ଅଭିଶାପ ଦେଇଥିଲେ, କେହି ଯଦି ଏହି ନଦୀର ଜଳ ପାନ କରେ, ତେବେ ସେ ସର୍ବଦା ତୃଷିତ ହୋଇ ରହିବ। 
ଇତିହାସରେ ମଧ୍ୟ ଏହା କଳଙ୍କିତ ହୋଇ ରହିଛି। ଏହି ନଦୀରେ ବିଶାଳ ଘଡ଼ିଆଳ କୁମ୍ଭୀର ଓ ମଗରମାନେ ବାସ କରୁଥିବାରୁ ଏହାର ତଟଦେଶ ପ୍ରାୟ ଜନବସତିଶୂନ୍ୟ ଥିଲା।  ଏହାର ସୁଯୋଗ ନେଇ ନଦୀତଟରେ ଥିବା ଜଙ୍ଗଲ ମଧ୍ୟରେ   ଡକାୟତମାନେ ଲୁଚିରହି ସାଧାରଣ ଲୋକଙ୍କର ଧନଜୀବନ ବିପନ୍ନ କରୁଥିଲେ। ଏମାନଙ୍କୁ ଦମନ କରିବା ସହଜ ନ ଥିଲା। ୧୯୭୦ରେ ବିନୋବା ଭାବେ ଓ ଜୟପ୍ରକାଶ ନାରାୟଣଙ୍କ ପ୍ରଚେଷ୍ଟାରେ ଡକାୟତମାନେ ଆତ୍ମସମର୍ପଣ କରି ସମାଜର ମୁଖ୍ୟସ୍ରୋତରେ ସାମିଲ ହେଲେ। ଫଳରେ ଏହି ଶାପିତା ନଦୀ ଚର୍ମଣ୍ବତୀରୁ ଧର୍ମାବତୀରେ ପରିଣତ ହେଲା। ଏହାର ସ୍ବଚ୍ଛ ଓ ପ୍ରଦୂଷଣମୁକ୍ତ ଜଳରାଶି ଅନେକ ରାଜ୍ୟର ଜୀବନରେଖାରେ ପରିଣତ ହେଲା। ଗାନ୍ଧୀସାଗର ଜଳଭଣ୍ଡାର, ରାଣାପ୍ରତାପ ଜଳଭଣ୍ଡାର, ଜବାହର ସାଗର ପ୍ରକଳ୍ପ ଫଳରେ ବହୁ ଅଞ୍ଚଳ ଜଳସେଚିତ ହୋଇ ପାରିଲା। ଏଠାରେ ବିରଳ ପ୍ରଜାତିର ନାଲି କଇଁଛ ଓ ବିଶାଳକାୟ ଡଲ୍‌ଫିନ୍‌ ଦେଖାଯାଆନ୍ତି। ଏଠାରେ ଥିବା ପକ୍ଷୀ ଉଦ୍ୟାନରେ ବିରଳ ପକ୍ଷୀ, ବନ୍ୟ ପଶୁ ସଂରକ୍ଷଣ ନିମିତ୍ତ ଅଭୟାରଣ୍ୟ ଓ ଜାତୀୟ ପଶୁ ଉଦ୍ୟାନ ପର୍ଯ୍ୟଟକଙ୍କୁ ଆକର୍ଷିତ କରେ।