ଚଳିତ ମାସରେ ନିଲାମ ହେବାକୁ ଥିବା ପ୍ରଖ୍ୟାତ ଅଷ୍ଟ୍ରୀୟ ଚିତ୍ରଶିଳ୍ପୀ ଗୁସ୍ତଭ କ୍ଲିମ୍‌ଟଙ୍କ ଏକ ଚିତ୍ରକଳା ଇତିହାସ ରଚିବ ବୋଲି ଆଶା କରାଯାଉଛି। ୧୯୧୮ ମସିହାରେ ନିର୍ମିତ ଏହି ଚିତ୍ରକଳାରେ ଜଣେ ଅଜ୍ଞାତ ମହିଳା ଏକ ବିଞ୍ଚଣା ଧରି ନିର୍ଲିପ୍ତ ଚାହାଣୀରେ କାହାକୁ ଦୃଷ୍ଟିନିକ୍ଷେପ କରୁଥିବାର ଦୃଶ୍ୟ ପରିକଳ୍ପିତ ହୋଇଛି। ‘ଦି ଡେମ୍‌ ମିଟ୍‌ ଫାଚର’ (ବିଞ୍ଚଣାଧାରୀ ମହିଳା) ନାମକ ଏହି ଚିତ୍ରକଳାଟି ଚଳିତ ମାସ ଶେଷ ଆଡ଼କୁ ଲଣ୍ଡନରେ ନିଲାମ ହେବା ଲାଗି ବ୍ୟବସ୍ଥା ହୋଇଛି ଏବଂ ତାହା ୬୫ ନିୟୁତ ପାଉଣ୍ଡ୍‌ ବା ୬୮୦ କୋଟି ଟଙ୍କାରୁ ଅଧିକ ମୂଲ୍ୟରେ ବିକ୍ରି ହୋଇ ୟୁରୋପର ସର୍ବକାଳୀନ ଦାମୀ ଛବିର ମାନ୍ୟତା ରଖିବ ବୋଲି ଏହାର ଆୟୋଜକମାନେ ଆଶାବାଦୀ ଅଛନ୍ତି। ଏହା କ୍ଲିମ୍‌ଟ୍‌ଙ୍କର ଅନ୍ତିମ ଚିତ୍ରକଳା ଥିଲା ଏବଂ ୧୯୧୮ରେ ତାଙ୍କର ଅପ୍ରତ୍ୟାଶିତ ମୃତ୍ୟୁ ପରେ ତାଙ୍କ ଷ୍ଟୁଡିଓର ଏକ ଥାକରୁ ମିଳିଥିଲା।

Advertisment

ଏହି ଚିତ୍ରକଳାରେ ଏସୀୟ ପ୍ରଭାବ ପ୍ରତିଫଳତି ହୋଇଛି, ଯାହା ପଶ୍ଚିମ ୟୁରୋପୀୟ କଳାକାରମାନଙ୍କ ମଧ୍ୟରେ ଜାପାନୀ କଳା ଓ ଢାଞ୍ଚାର ପ୍ରଭାବକୁ ସୂଚାଇଥାଏ। ଏଥିରେ ଅନେକ ଚୀନୀ ଉପାଦାନ ଭରି ରହିଛି, ଯେଉଁଥିରେ ଅମରତ୍ବ ଓ ପୁନର୍ଜନ୍ମର ପ୍ରତୀକ ଫିନିକ୍‌ସ ଏବଂ ପ୍ରେମର ପ୍ରତୀକ ଫୁଟନ୍ତା ପଦ୍ମଫୁଲ ଅନ୍ତର୍ଭୁକ୍ତ। ୧୮୬୨ ଜୁଲାଇ ୧୪ରେ ଜନ୍ମିତ ପ୍ରତୀକବାଦୀ ଚିତ୍ରଶିଳ୍ପୀ କ୍ଲିମ୍‌ଟ୍‌ଙ୍କୁ ତାଙ୍କ ସମୟଠୁ ଆଗୁଆ ଜଣେ କଳାକାର ଭାବେ ବିବେଚନା କରାଯାଉଥିଲା। ସେ ତାଙ୍କ କୃତିରେ ବିଶେଷ କରି କାମୋଦ୍ଦୀପକ ମହିଳା ଶରୀରକୁ ସାମିଲ କରୁଥିଲେ, ଯେଉଁ ସ୍ବଭାବ ପାଇଁ ସେ ବିବାଦୀୟ ହୋଇପଡ଼ିଥିଲେ। ତାଙ୍କର ଅନ୍ୟତମ ଦାମୀ ଚିତ୍ରକଳା ହେଉଛି ‘ଦି କିସ୍‌’ ଯେଉଁଥିରେ ଭିଏନ୍ନାର ଆଡିଲ୍‌ ବ୍ଲଚ୍‌-ବୌର ୨ ନାମକ ଜଣେ ସମାଜସେବିକାଙ୍କର ପ୍ରତିକୃତି ସ୍ଥାନ ପାଇଥିଲା, ଯାହା ୨୦୦୬ ନଭେମ୍ବରରେ ନ୍ୟୁୟର୍କର ଠାରେ ୮୭.୯ ନିୟୁତ ଡଲାରରେ ନିଲାମ ହୋଇଥିଲା।