ଚଳିତବର୍ଷ ରାଜସ୍ଥାନରେ ପ୍ରବଳ ବୃଷ୍ଟିପାତ ସ୍ବାଭାବିକ ଜୀବନଯାତ୍ରାକୁ ଦୁର୍ବିଷହ କରିଦେଇଛି। ଏଥରର ମୌସୁମି ଋତୁରେ ଉକ୍ତ ରାଜ୍ୟରେ ସ୍ବାଭାବିକ ଅପେକ୍ଷା ୩୯ ପ୍ରତିଶତ ଅଧିକ ବର୍ଷା ହୋଇଛି। ଉଲ୍ଲେଖନୀୟ ଯେ, ଏହାର ଶୁଷ୍କତର ପଶ୍ଚିମ ଭାଗରେ ପୂର୍ବାପେକ୍ଷା ୫୮ ପ୍ରତିଶତ ଅଧିକ ବର୍ଷା ହୋଇଛି। ତେବେ ସବୁଠୁ ଆଶ୍ଚର୍ଯ୍ୟର ବିଷୟ, ଥର୍ ମରୁଭୂମି ଅଞ୍ଚଳରେ ଆସୁଥିବା ଜୈସଲମେର ଜିଲ୍ଲାରେ ରେକର୍ଡ ପରିମାଣର ବର୍ଷା ହୋଇଛି। ଫଳରେ ଦେଶର ସପ୍ତମ ଶୁଷ୍କତମ ଜିଲ୍ଲା ଭାବେ ପରିଗଣିତ ଏହି ଜିଲ୍ଲା ଏବେ ଦେଶର ଅଷ୍ଟମ ଆର୍ଦ୍ରତମ ଜିଲ୍ଲାରେ ପରିଣତ ହୋଇଯାଇଛି।
ଜଳବାୟୁ ପରିବର୍ତ୍ତନ ପ୍ରଭାବରେ ଜୈସଲମେରରେ ପ୍ରତିବର୍ଷ କମ୍ ବର୍ଷା ହେଉଥିବା ବେ​ଳେ ୨୦୧୫ ମସିହାରୁ ସେଠାରେ ଲଗାତାର ଅଧିକ ବର୍ଷା ହୋଇଚାଲିଛି। ରାଜସ୍ଥାନର ମରୁ ଅଞ୍ଚଳରେ ୨୦୧୬ ମସିହାରେ ପ୍ରଥମ ଥର ପାଇଁ ବନ୍ୟା ଆସିଥିଲା। ଫଳସ୍ବରୂପ ସେଠାକାର ମରୁ ଇଲାକା ଏବେ ସବୁଜିମାରେ ପରିପୂର୍ଣ୍ଣ।
ସମଗ୍ର ଉତ୍ତର ଭାରତରେ ଉତ୍ତରାଖଣ୍ଡର ବାଗେଶ୍ବର ପରେ ଜୈସଲମେର ଜିଲ୍ଲାରେ ଦ୍ବିତୀୟ ସର୍ବାଧିକ ବୃଷ୍ଟିପାତ ହୋଇଛି। ସୂଚନାଯୋଗ୍ୟ, ଦକ୍ଷିଣ-ପଶ୍ଚିମ ମୌସୁମି ବାୟୁ ପ୍ରଭାବରେ କାର୍ଗିଲ ଓ ଲେହର ଶୀତଳ ମରୁଭୂମି ଅଞ୍ଚଳ ଓ ତାମିଲନାଡୁର ସ୍ବଳ୍ପ ବୃଷ୍ଟିପାତ ଅଞ୍ଚଳ ଅପେକ୍ଷା ବି ଜୈସଲମେରରେ କମ୍ ବର୍ଷା ହୋଇଥାଏ। କିନ୍ତୁ ଜଳବାୟୁ ପରିବର୍ତ୍ତନ କାରଣରୁ ଚଳିତବର୍ଷ ଅଗଷ୍ଟ ପହିଲାରୁ ଅଗଷ୍ଟ ୧୧ ଭିତରେ ସେଠାରେ ସ୍ବାଭାବିକ ଅପେକ୍ଷା ୧୩୪ ପ୍ରତିଶତ ଅଧିକ ବର୍ଷା ହୋଇଛି। ଏହି ସମୟ ଭିତରେ ପ୍ରତିବର୍ଷ ଏଠାରେ ହାରାହାରି ୧୧୦.୮ ମି.ମି. ବର୍ଷା ହେଉଥିବା ବେଳେ ଏବର୍ଷ ତାହାର ପରିମାଣ ହେଉଛି ୨୫୯.୯ ମି.ମି.। ଏବର୍ଷ ଏଠାରେ ଏତେ ଭୀଷଣ ବର୍ଷା ହୋଇଛି ଯେ ଜୈସଲମେରର ଅନ୍ୟତମ ବୈଶିଷ୍ଟ୍ୟ ଭାବେ ପରିଗଣିତ ସୋନାର ଦୁର୍ଗର କାନ୍ଥ ଭୁଶୁଡ଼ି ପଡ଼ିଛି। ରାଜସ୍ଥାନର ତିନିଟି ଜିଲ୍ଲାର ୧,୧୯,୮୮୬ ବର୍ଗ କି.ମି. ପରିମିତ ଅଞ୍ଚଳକୁ ନେଇ ଥର୍ ମରୁଭୂମି ଗଠିତ। ମାତ୍ର ଏହାର ପ୍ରାୟ ଏକ-ତୃତୀୟାଂଶ ଜୈସଲମେର ଜିଲ୍ଲାରେ ରହିଛି। ଅନ୍ୟ ଜିଲ୍ଲା ତୁଳନାରେ ଜୈସଲମେରରେ ପ୍ରତିବର୍ଷ କମ୍ ବର୍ଷା ହେଉଥିବା ବେ​ଳେ ୨୦୧୫ ମସିହାରୁ ସେଠାରେ ପ୍ରତିବର୍ଷ ଲଗାତାର ଅଧିକ ବର୍ଷା ହୋଇଚାଲିଛି। ଏପରିକି ରାଜସ୍ଥାନର ମରୁ ଅଞ୍ଚଳରେ ୨୦୧୬ ମସିହାରେ ପ୍ରଥମ ଥର ପାଇଁ ବନ୍ୟା ଦେଖାଯାଇଥିଲା। ଫଳସ୍ବରୂପ ସେଠାକାର ମରୁ ଇଲାକା ଏବେ ସବୁଜିମାରେ ଭରିଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/08/fgdjggjddgjgj.jpg)