ସାମାଜିକ ଗଣମାଧ୍ୟମ ଏବେ ଇନ୍ଫ୍ଲୁଏନ୍ସରଙ୍କ ଉପସ୍ଥିତିରେ ଭରପୂର ହୋଇ ରହିଛି। ସାମାଜିକ ଗଣମାଧ୍ୟମର ଏହି ଇନ୍ଫ୍ଲୁଏନ୍ସରମାନେ କେତେ ରୋଜଗାର କରନ୍ତି ବୋଲି ଅନେକଙ୍କ ମନରେ ଏକ ପ୍ରଶ୍ନ ଉଙ୍କି ମାରିଥାଏ। ଜାଣି ଆଶ୍ଚର୍ଯ୍ୟ ଲାଗିବ ଯେ ଗୋଲ୍ଡେନ୍ ରିଟ୍ରିଭର ପ୍ରଜାତିର ଏକ ପାଞ୍ଚ ବର୍ଷର ପୋଷା କୁକୁର ସାମାଜିକ ଗଣମାଧ୍ୟମରୁ ବର୍ଷକୁ ଦଶ ଲକ୍ଷ ଡଲାରରୁ ଅଧିକ, ଅର୍ଥାତ୍ ପାଖାପାଖି ସାଢ଼େ ଆଠ କୋଟି ଟଙ୍କା ରୋଜଗାର କରୁଛି। ଆମେରିକାର ୩୧ ବର୍ଷୀୟ ଗୃହିଣୀ କର୍ଟନି ବୁଜିନ୍ ପାଳିଥିବା ‘ଟକର୍’ ନାମକ ଏହି କୁକୁରଟିର ଗୋଟିଏ ଭିଡିଓ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କଲେ ସେଥିରୁ ୫୫ ଲକ୍ଷ ଟଙ୍କାରୁ ୯୨ ଲକ୍ଷ ଟଙ୍କା ଯାଏ ମିଳୁଥିବା ଜଣାଯାଇଛି। ୨୦୧୮ ମସିହାରେ ମାଲିକାଣୀ ବୁଜିନ୍ ଟକରକୁ ପାଇଲା ଦିନ ତା’ ନାମରେ ଏକ ଇନ୍ଷ୍ଟାଗ୍ରାମ ପୃଷ୍ଠା ଖୋଲିଥିଲେ।
ସେ ଏକ ବରଫଖଣ୍ଡକୁ ପାଦରେ ଧରି ଗଡ଼ାଉଥିବାର ପ୍ରଥମ ଦୃଶ୍ୟ ସାମାଜିକ ଗଣମାଧ୍ୟମରେ ଛାଡ଼ିବାରୁ ତାହା ବହୁଳ ପ୍ରସାରିତ ହୋଇଥିଲା। ଦୁଇ ବର୍ଷ ବୟସରୁ ପ୍ରାୟୋଜିତ ବିଜ୍ଞାପନରେ ଭାଗ ନେଇ ଆସୁଥିବା ଟକର ୟୁ-ଟ୍ୟୁବ୍ରେ ତାହାର ଏକ ଅଧଘଣ୍ଟିଆ ପ୍ରଦର୍ଶନ ପାଇଁ ୩୩ ଲକ୍ଷରୁ ୪୯ ଲକ୍ଷ ଟଙ୍କା ପାଉଥିବା ବେଳେ ଇନ୍ଷ୍ଟାଗ୍ରାମରେ ତିନିରୁ ଆଠଟି ଷ୍ଟୋରି ପାଇଁ ୧୮ ଲକ୍ଷ ଟଙ୍କାରୁ ଅଧିକ ରୋଜଗାର କରୁଛି। ଏପରି ଭାବେ ସେ ବର୍ଷକୁ କୋଟି କୋଟି ଟଙ୍କା ରୋଜଗାର କରିପାରୁଛି। ଏପରି ଆୟ ଦେଖି ଟକର୍ର ମାଲିକ-ମାଲିକାଣୀ ସେମାନଙ୍କର ନିୟମିତ ପେସା ଛାଡ଼ି ଏବେ ତା’ରି ଯତ୍ନ ନେବାରେ ଲାଗି ପଡ଼ିଛନ୍ତି। ଟକରର ଏବେ ଅଢ଼େଇ କୋଟି ସାମାଜିକ ଗଣମାଧ୍ୟମ ଅନୁଗାମୀ ରହିଛନ୍ତି। ସେଥିରୁ ୧୧.୧ ନିୟୁତ ଟିକ୍ଟକ୍ରେ, ୫.୧ ନିୟୁତ ୟୁଟ୍ୟୁବ୍ରେ, ୩.୪ ନିୟୁତ ଇନ୍ଷ୍ଟାଗ୍ରାମ୍ରେ ଓ ୬୨ ହଜାରରୁ ଅଧିକ ଟ୍ବିଟରରେ ରହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/05/654654s65hhshshf.jpg)