ଆମେ ସାଧାରଣତଃ ଶିଶୁମାନଙ୍କୁ କିଛି କହିଲା ବେଳେ ଶବ୍ଦଗୁଡ଼ିକୁ ଅପଭ୍ରଂଶ କରି କଥା ହୋଇଥାଉ ଯାହାକୁ ଆମେ ‘ପିଲାଳିଆ କଥା’ ବୋଲି କହିପାରିବା। ପିଲାଳିଆ ଭାଷାରେ ଶିଶୁଙ୍କ ସହିତ କଥା ହେବାର କୌଣସି ବିଜ୍ଞାନସମ୍ମତ କାରଣ ନଥିଲେ ହେଁ ଶିଶୁମାନଙ୍କ ଶବ୍ଦ ଶିକ୍ଷା ପ୍ରକ୍ରିୟାରେ ତାହା ସହାୟକ ହେଉଥିବ ବୋଲି ଆମର ଧାରଣା। ତେବେ ଡଲଫିନ୍ମାନେ ମଧ୍ୟ ସେମାନଙ୍କ ଶାବକଙ୍କ ପ୍ରତି ଭିନ୍ନ ଧରଣର ଭାଷା ବ୍ୟବହାର କରିଥା’ନ୍ତି ବୋଲି ଗବେଷଣାରୁ ଜଣାଯାଇଛି।
ସେମାନେ ସ୍ବାଭାବିକ ଭାବରେ ଯେଭଳି ହ୍ବିସଲ ମାରିଥା’ନ୍ତି, ଛୁଆକୁ ନିର୍ଦ୍ଦେଶ କଲା ବେଳେ ଭିନ୍ନ (ଖୁବ୍ ଉଚ୍ଚ) ତୀବ୍ରତାର ସିଟି ମାରିଥା’ନ୍ତି। ଦୀର୍ଘ ତିନି ଦଶନ୍ଧି ଧରି ଫ୍ଳୋରିଡାର ସରସୋତା ଉପକୂଳରେ ବୈଜ୍ଞାନିକମାନେ ମାଇକ୍ରୋଫୋନ୍ ଖଞ୍ଜି ଡଲଫିନ୍ମାନଙ୍କର ଶିଶୁସୁଲଭ ହ୍ବିସଲକୁ ରେକର୍ଡ କରିଛନ୍ତି। ଡଲଫିନ୍ମାନେ ଏକାକୀ ବୁଲୁଥିବା ବେଳେ ବା ଅନ୍ୟ ବୟସ୍କ ଡଲଫିନ୍ମାନଙ୍କ ଗହଣରେ ଥିବା ବେଳେ ସ୍ବାଭାବିକ ତୀବ୍ରତାର ହ୍ବିସଲ ମାରନ୍ତି। ମାତ୍ର ଛୁଆ ସହ ପହଁରୁଥିବା ବେ​ଳେ ଏକ ବିଶେଷ ଧରଣର ଶବ୍ଦ କରିଥା’ନ୍ତି। ତାହା ଶାବକକୁ ହୁଏତ କିଛି ଶିଖାଇବା ପାଇଁ ବା କୌଣସି ବିପତ୍ତି ପ୍ରତି ସତର୍କ କରିବା ପାଇଁ ଉଦ୍ଦିଷ୍ଟ ବୋଲି ବୈଜ୍ଞାନିକମାନେ ଅନୁମାନ କରୁଛନ୍ତି। ଉଲ୍ଲେଖଯୋଗ୍ୟ, ଛୁଆ ଡଲ୍ଫିନ୍ ତାହାର ମାଆ ସହ ପ୍ରାୟ ତିନି ବର୍ଷ ଯାଏ ବୁଲାବୁଲି କରୁଥିବା ବେଳେ ସେମାନଙ୍କ ଲାଳନପାଳନରେ ବାପ-ଡଲଫିନ୍ର ଭୂମିକା ପ୍ରାୟ ନଥାଏ। ତେଣୁ ମାଆ ଡଲଫିନ୍ ପିଲାଳିଆ ଭାଷାରେ ଛୁଆକୁ ଜୀବନଶୈଳୀ ଶିଖାଇଥାଏ ବୋଲି ବୈଜ୍ଞାନିକମାନଙ୍କ ମତ।