ଆମେ ସମସ୍ତେ ଜାଣିଛନ୍ତି ଯେ, ସୂର୍ଯ୍ୟ ଚାରିପଟେ ପୃଥିବୀ ଏକ ନିର୍ଦ୍ଦିଷ୍ଟ ଉପବୃତ୍ତୀୟ କକ୍ଷପଥରେ ପରିକ୍ରମଣ କରିବା ସହ ନିଜ ଅକ୍ଷ ଚାରିପଟେ ମଧ୍ୟ ଏକ ନିର୍ଦ୍ଦିଷ୍ଟ ବେଗରେ ଘୂରିଚାଲିଛି। ନିଜ ଚାରିପଟେ ଏହାର ଆବର୍ତ୍ତନ ଗତି ଯୋଗୁଁ ଦିନରାତିରେ ପରିବର୍ତ୍ତନ ଘଟୁଥିବା ବେଳେ ସୂର୍ଯ୍ୟ ଚାରିପଟେ ପରିକ୍ରମଣ ଯୋଗୁଁ ଋତୁ ପରିବର୍ତ୍ତନ ଘଟିଥାଏ। ତେବେ ପୃଥିବୀର ଅକ୍ଷ ଏହାର କକ୍ଷପଥ ସହ ଟିକେ ଢଳି ହୋଇ ରହିଥିବାରୁ ଦିନ ଓ ରାତିର ଅବଧି କମ୍ ବେଶୀ ହୁଏ ଏବଂ ଋତୁରେ ମଧ୍ୟ ଉଲ୍ଲେଖନୀୟ ପରିବର୍ତ୍ତନ ପରିଲକ୍ଷିତ ହୋଇଥାଏ। ତେବେ ପୃଥିବୀର ଅକ୍ଷ ଦିନକୁ ଦିନ ଅଧିକ ଢଳି ଚାଲିଥିବାରୁ ଋତୁ ପରିବର୍ତ୍ତନରେ ଚିନ୍ତାଜନକ ପରିଣାମ ଦେଖିବାକୁ ମିଳୁଛି। ବିଶେଷ କରି ବିଂଶ ଶତାବ୍ଦୀରେ ଭୂତଳ ଜଳର ମାତ୍ରାଧିକ ବ୍ୟବହାର ଯୋଗୁଁ ପୃଥିବୀର ମେରୁ ବା ଅକ୍ଷ ୧୯୯୩ ମସିହାରୁ ୨୦୧୦ ମସିହା ମଧ୍ୟରେ ବର୍ଷକୁ ୪.୩୬ ହାରରେ ପ୍ରାୟ ୮୦ ସେ.ମି. ପୂର୍ବ ଆଡ଼କୁ ଅଧିକ ଢଳିଯାଇଛି। ସୂଚନାଯୋଗ୍ୟ, ସୂର୍ଯ୍ୟ ଠାରୁ ପୃଥିବୀ ସୃଷ୍ଟି ହେଲା ପରେ ଏହା ସୂର୍ଯ୍ୟ ଚାରିପଟେ ଏକ ନିର୍ଦ୍ଦିଷ୍ଟ କକ୍ଷ ପଥରେ ନିରନ୍ତର ଘୂରୁଥିଲା। ସେତେବେଳେ ଏହାର କକ୍ଷପଥ ସହ ତାହାର ଅକ୍ଷ ସିଧା ରହିଥିଲା, ଅର୍ଥାତ୍‌ ୧୮୦ କୋଣରେ ରହିଥିଲା। ତେବେ ଆଜକୁ ପ୍ରାୟ ସାଢ଼େ ୪୫୦ କୋଟି ବର୍ଷ ପୂର୍ବେ ‘ଥିଲା’ ନାମକ ଏକ ମଙ୍ଗଳ ଆକୃତିର ମହାକାଶୀୟ ପିଣ୍ଡ ପୃଥିବୀ ଦେହରେ ଧକ୍କା ଖାଇଥିଲା। ଫଳରେ ଏହାର କକ୍ଷପଥ ସହ ଅକ୍ଷ ସାଢ଼େ ୨୩ ଡିଗ୍ରି କୋଣରେ ଆନତ ହୋଇ ରହିଥିଲା।

Advertisment

ଏପରି ଢଳି ରହିବା ଦ୍ବାରା ଭୂପୃଷ୍ଠର ତାପମାତ୍ରା ଅନ୍ୟ ଗ୍ରହମାନଙ୍କ ପରି ଅତି ଅଧିକ ବା ଅତି କମ୍‌ ନହୋଇ ଜୀବଜଗତ ତିଷ୍ଠିବା ପାଇଁ ଅନୁକୂଳ ହୋଇପାରିଛି। ସେହିପରି ଋତୁ ପରିବର୍ତ୍ତନ ଅନୁଯାୟୀ ଜୀବଜଗତ ନିଜକୁ ଖାପ ଖୁଆଇ ନିର୍ଦ୍ଦିଷ୍ଟ ଜୀବନଶୈଳୀ ଆପଣେଇ ପାରିଛନ୍ତି। ମାତ୍ର ବିଗତ ଶତାବ୍ଦୀର ଶେଷ ଆଡ଼କୁ ଲକ୍ଷ୍ୟ କରାଯାଇଥିବା ପୃଥିବୀ ଅକ୍ଷର ଏପରି ପୂର୍ବମୁହାଁ ସ୍ଥାନାନ୍ତରଣ ଅହେତୁକ ଋତୁ ପରିବର୍ତ୍ତନର ଆଶଙ୍କା ସୃଷ୍ଟି କରିଛି। ପୃଥିବୀର ଭୂତଳ ଜଳର ବହୁଳ ବ୍ୟବହାର ହିଁ ଏହାର ଗଠନଗତ ସଂରଚନାରେ ପରିବର୍ତ୍ତନ ଆଣି ଏହାର ଅକ୍ଷକୁ ଏପରି ଢଳାଇ ଚାଲୁଛି ବୋଲି ବୈଜ୍ଞାନିକମାନେ ଜାଣି ପାରିଛନ୍ତି। ବିଶେଷ କରି ଆମେରିକା ଓ ଭାରତ ଭଳି ଦେଶରେ ଉପଲବ୍‌ଧ ଭୂପୃଷ୍ଠ ଜଳର ଅଭାବକୁ ମେଣ୍ଟାଇବା ଲାଗି ଲୋକେ ଭୂତଳ ଜଳର ମାତ୍ରାଧିକ ବ୍ୟବହାର କରିବା ଯୋଗୁଁ ଏଭଳି ସ୍ଥିତି ଉପୁଜିଛି। ସାମଗ୍ରିକ ଭାବେ ଭୂତଳ ଜଳସ୍ତର ହ୍ରାସ ଯୋଗୁଁ ସମୁଦ୍ର ଜଳ ପତ୍ତନରେ ବୃଦ୍ଧି ଘଟିଥାଏ। ଏକ ପରିସଂଖ୍ୟାନ ଅନୁଯାୟୀ, ୧୯୯୩ରୁ ୨୦୧୦ ମସିହା ମଧ୍ୟରେ ୨,୧୫୦ ଗିଗା(ଶହେ କୋଟି)ଟନ୍‌ ପରିମାଣ ଭୂତଳ ଜଳ ଉତ୍ତୋଳିତ ହୋଇଛି। ଏଥି ଯୋଗୁଁ ସମୁଦ୍ର ପତ୍ତନରେ ପ୍ରାୟ ୬ ସେ.ମି. ବୃଦ୍ଧି ଘଟିଛି। ସେଥି ଯୋଗୁଁ ପୃଥିବୀର ଅକ୍ଷ ଏପରି ଅଧିକ ୭୮.୪ ସେ.ମି. ଢଳିଯାଇଥିବା ସ୍ପଷ୍ଟ ହୋଇଛି। ପୂର୍ବରୁ ଋତୁ ପରିବର୍ତ୍ତନ ପଛରେ ଭୂତଳ ଜଳର ବହୁଳ ବ୍ୟବହାରକୁ ଅନ୍ୟତମ କାରଣ ଭାବେ ବିବେଚନା କରାଯାଉନଥିଲା। ତେବେ ୨୦୧୬ ମସିହା ପରଠାରୁ ତାହାର ଉଲ୍ଲେଖନୀୟ ଅବଦାନକୁ ବିଚାରକୁ ନିଆଯାଇଛି।