ସମସ୍ତଙ୍କର କିଛି ନା କିଛି ପ୍ରତିଭା ରହିଛି। ହେଲେ ପ୍ରଚଣ୍ଡ ପ୍ରତିଭାର ଅଧିକାରୀ ହେବା ହାତଗଣତି କେତେଜଣ ଅଥବା କେବଳ ଯୋଗଜନ୍ମାଙ୍କ ଭାଗ୍ୟରେ ଥାଏ। କେବେ ଦିନେ ସ୍କୁଲ୍‌ ମାଟି ମାଡ଼ି ନଥିବା ମଣିଷ ଏତେ ବିରଳ ପ୍ରତିଭାର ଅଧିକାରୀ ହୋଇପାରେ, ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। ଏମିତି କାଁଭାଁ ଲୋକ ଦେଖିବାକୁ ମିଳିବେ ଏବର ସମାଜରେ। ଏଠାରେ କଥା ଉଠୁଛି, ଏସବୁ ପ୍ରଖର ଧୀଶକ୍ତି ଓ ତପସ୍ୟାର କମାଲ୍‌ ଛଡ଼ା ଆଉ କ’ଣ ବା ହୋଇପାରେ! ହଁ, ଶୁଣିବାକୁ ଅଡ଼ୁଆ ଲାଗୁଥିଲେ ବି ଏକଥା ସତ୍ୟ। ଏସବୁ କେବଳ ତପସ୍ୟାର ବଳ। ଆଉ ଏହି ତପସ୍ୟାର ଅଧିକାରିଣୀ ହେଉଛନ୍ତି ଜଣେ ଅତି ସରଳ କନ୍ଧ ସମୁଦାୟର ଆଦିବାସୀ ମହିଳା। ନିକଟରେ ପଦ୍ମଶ୍ରୀରେ ଭୂଷିତ ହୋଇଥିବା ଏହି ମହାନ ତପସ୍ବିନୀ ଜଣକ ହେଲେ ୭୬ ବର୍ଷୀୟ ଟାଡ଼ିସରୁ ବାଈ ଓରଫ୍ ପୂର୍ଣ୍ଣମାସୀ ଜାନି। ଯିଏକି ଟିକିଏ ଧ୍ୟାନସ୍ଥ ହେଲେ ଅନର୍ଗଳ ଝରିଆସେ ଭଜନ, ଜଣାଣ।

Advertisment

publive-image

ପୂର୍ଣ୍ଣମାସୀ ଜାନି କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଲକ୍ ଚାରିପଡ଼ା ଗ୍ରାମରେ ଜନ୍ମ ହୋଇଥିଲେ। ମାତ୍ର ୧୦ ବର୍ଷ ବୟସରେ ବିବାହ କରିଥିଲେ ପୂର୍ଣ୍ଣମାସୀ। ତାଙ୍କ ଔରସରୁ ୬ ସନ୍ତାନ ଜନ୍ମ ହୋଇଥିଲେ ମଧ୍ୟ କୌଣସି ଗୋଟିଏ ବି ସନ୍ତାନ ଜୀବିତ ରହିପାରି ନଥିଲେ। ଏସବୁ ଦେଖି ସମ୍ପୂର୍ଣ୍ଣ ରୂପେ ଭାଙ୍ଗିପଡ଼ିଥିଲେ ପୂର୍ଣ୍ଣମାସୀ। ଏହି ଦୁଃଖଦ ପରିସ୍ଥିତିରୁ ମୁକୁଳିବା ପାଇଁ ଆଧ୍ୟାତ୍ମିକ ମାର୍ଗକୁ ବାଛିଥିଲେ ସେ। ଗାଁଠାରୁ ଟିକେ ଦୂରରେ ଥିବା ଟାଡ଼ିସରୁ ପାହାଡ଼କୁ କିଛି ସନ୍ଥଙ୍କ ସହ ମିଶି ‘ତପସ୍ୟା’ କରିବାକୁ ବାହାରି ପଡ଼ିଥିଲେ ପୂର୍ଣ୍ଣମାସୀ। ବିଘ୍ନ ଆସିଲା, ତାଙ୍କୁ ବହୁତ ପରୀକ୍ଷା ଦେବାକୁ ପଡ଼ିଲା। ଆଶୀର୍ବାଦ ପାଇ ସେ ଯେତେବେଳେ ଗାଁକୁ ଫେରିଲେ ଲୋକମାନେ ତାଙ୍କୁ ତପସ୍ବୀର ଆଖ୍ୟା ଦେଲେ ଏବଂ ତାଡ଼ିସରୁବାଈ ନାମରେ ନାମିତ କଲେ। ଏଥି ସହ ତାଙ୍କୁ ‘ବାବା’ ବୋଲି ସମ୍ବୋଧନ କଲେ। ତାଡ଼ିସରୁବାଈ ପ୍ରାୟତଃ ନିରବ ରହିଥାନ୍ତି। କାହା ସହ କୌଣସି ପ୍ରକାର କଥାବାର୍ତ୍ତା କରନ୍ତି ନାହିଁ। ହେଲେ ଧ୍ୟାନସ୍ଥ ହେବା ସମୟରେ ଗୁରୁଙ୍କୁ ସ୍ମରଣ କରି ଗୋଟେ ପରେ ଗୋଟେ ଭଜନ ଗାଇଚାଲନ୍ତି ସେ।

publive-image The New Indian Express

ଔପଚାରିକ ଭାବରେ ବିଦ୍ୟାଳୟ ଶିକ୍ଷା ନେଇ ନଥିଲେ ତାଡ଼ିସରୁବାଈ। ହେଲେ କୁଇ, ଓଡ଼ିଆ ଓ ସଂସ୍କୃତ ଭାଷାରେ ଅନର୍ଗଳ ଭଜନ ଓ ଜଣାଣ ଗାଇ ପାରୁଥିଲେ ସେ। ଗାଁ ଲୋକଙ୍କ ପାଇଁ ତାଡ଼ିସରୁବାଈ ଭଗବାନଙ୍କଠାରୁ କମ୍ ନୁହନ୍ତି। ଏପରିକି ଗ୍ରାମବାସୀ ତାଙ୍କୁ ଭଗବାନ ବୋଲି ମଧ୍ୟ ମାନନ୍ତି। ହେଲେ ତାଡ଼ିସରୁବାଈ ଏକ ସରଳ ଜୀବନ ବଞ୍ଚନ୍ତି। ନିଜେ ରୋଜଗାର କରି ଖାଆନ୍ତି। କାହାଠାରୁ କୌଣସି ସାହାଯ୍ୟ ଆଶା କରନ୍ତି ନାହିଁ। ଏ ବୟସରେ ବି ସେ କର୍ମଚଞ୍ଚଳ। ଦୁଇ ପଇସା ରୋଜଗାର ପାଇଁ ସେ ନିଜେ ଶାଳପତ୍ର ସିଲେଇ କରନ୍ତି। ସେଥିରୁ ଯାହା ମିଳେ ସେତିକିରେ ଚଳନ୍ତି।

publive-image eOdisha.org

ତାଡ଼ିସରୁବାଈ ଏବେ ପର୍ଯ୍ୟନ୍ତ ୮ ହଜାରରୁ ଉର୍ଦ୍ଧ୍ବ ଭଜନ ଓ ଜଣାଣ ଗାଇସାରିଲେଣି। କିଛି ସଂଗୃହୀତ ହୋଇଥିଲେ ବି ଅନେକ ଶୂନ୍ୟରୁ ଆସି ଶୂନ୍ୟରେ ମିଳେଇଯାଇଛି। ଶୁଣିବା ଭକ୍ତ ଯେତିକି ମନେ ରଖିଲେ ସେତିକି ରହିଛି। ‘‘ସର୍ବେ ସୁଖୀ ହୁଅ, ସର୍ବେ ନିରାମୟ, ସର୍ବେ ଭକ୍ତି ଭାବେ ରହ; ମନ ମନ୍ଦିରରେ ଥୟ କରି, ଥରେ ପଦ୍ମପାଦେ ରଖ ଲୟ’’।

ପ୍ରଜ୍ଞା ନିବେଦିତା ନାୟକ