‘ଯାତ୍ରୀମାନେ ଦୟାକରି ଧ୍ୟାନ ଦିଅନ୍ତୁ’ କିମ୍ବା ‘ଯାତ୍ରୀଗନ କୃପୟା ଧାନ୍ ଦେ’ ଏହିପରି ଘୋଷଣା ଆପଣ ନିଶ୍ଚୟ ଶୁଣିଥିବେ ସେଥିରେ ସନ୍ଦେହ ନାହିଁ। କେବଳ ଓଡ଼ିଆ ବା ହିନ୍ଦୀ କାହିଁକି ବିଭିନ୍ନ ଭାଷାରେ ଶୁଣିବାକୁ ମିଳିଥାଏ ଏପରି ଘୋଷଣା। ଟ୍ରେନ୍ରେ ଯାତ୍ରା କରୁଥିବା ସମୟରେ ଯେଉଁ ରାଜ୍ୟର ଷ୍ଟେସନ୍ରେ ଟ୍ରେନ୍ ଲାଗେ ସେହି ରାଜ୍ୟର ଭାଷାରେ ବାଜି ଉଠେ ଏହି ସମାନ କଣ୍ଠସ୍ୱର। କେବେ ଆଶ୍ଚର୍ଯ୍ୟ ହୋଇନାହାନ୍ତି? ଏହି ଗୋଟାଏ ସ୍ୱର କିପରି ବାଜୁଛି ପୂରା ଭାରତ ସାରା! କିଏ ସେ, ଯାହାର ସ୍ୱର ଏତେ ମଧୁର! କାହିଁକି ଭାରତୀୟ ଚୟନ କଲା ଏହି ସ୍ୱରକୁ? ଚାଲନ୍ତୁ ଜାଣିବା ଦୀର୍ଘ ୪ ଦଶନ୍ଧିରୁ ଊର୍ଧ୍ୱ ହେବ ଦେଶର ଛୋଟ ବଡ଼ ରେଳ ଷ୍ଟେସନ୍ରେ ଶୁଭୁଥିବା ଏହି କଣ୍ଟସ୍ୱରର ମାଲିକାଣୀ କିଏ।
ଏହି ସୁମଧୁର କଣ୍ଠସ୍ୱର ହେଉଛି ୫୪ ବର୍ଷୀୟା ମହିଳା ସରଳା ଚୌଧୁରୀଙ୍କର। ୧୯୮୨ ମସିହାରେ ରେଳବାଇର ଘୋଷଣା ପାଇଁ ଏକ ନିଯୁକ୍ତି ପରୀକ୍ଷା ଚାଲିଥାଏ। ସେ ସମୟରେ ଶତାଧିକ ପରୀକ୍ଷାରେ ପରୀକ୍ଷା ଦେଇଥିଲେ। ଶେଷରେ ସରଳା ଚାକିରି ପାଇଲେ। ସେ ସମୟରେ ପ୍ରଥମେ ସରଳା ଦୈନିକ ମଜୁରି ନେଇ କଣ୍ଠ ଦେଉଥିଲେ। ତାଙ୍କର କଠିନ ପରିଶ୍ରମ ଓ ସୁମଧୁର କଣ୍ଠସ୍ୱର ପାଇଁ ୧୯୮୬ ମସିହାରେ ତାଙ୍କ ଚାକିରି ସ୍ଥାୟୀ ହୋଇଗଲା।
ସେ ସମୟରେ କମ୍ପୁଟରାଇଜ୍ ସୁବିଧା ନଥିଲା। ସରଳା ଏକ ନିର୍ଦ୍ଦିଷ୍ଟ ଷ୍ଟେସନ୍ରେ ବସି ଘୋଷଣା କରୁଥିଲେ। ୧୯୯୧ ମସିହାରେ ସରଳାଙ୍କୁ ମରାଠୀ ଭାଷାରେ ଭିନ୍ନ ଶୈଳୀର ଘୋଷଣା କରିବା ପାଇଁ ଅଲ୍ ଇଣ୍ଡିଆ୍ ରେଡଇଓ ପକ୍ଷରୁ ଡକରା ଆସିଲା। ଭିନ୍ନ ଶୈଳୀର ସେହି ରେକର୍ଡି ପାଇଁ ତାଙ୍କୁ ୪ ଦିନ ସମୟ ଲାଗିଥିଲା। ଏହା ବ୍ୟତୀତ ଭିନ୍ନ କେତୋଟି ଭାଷାରେ ମଧ୍ୟ ତାଙ୍କୁ କଣ୍ଠ ଦେବାକୁ ପଡ଼ିଥିଲା। ପରେ ସେହି କଣ୍ଠସ୍ୱରକୁ କମ୍ପୁଟରାଇଜ୍ କରାଯାଇ କେନ୍ଦ୍ରିକୃତ କରାଗଲା।
ପରବର୍ତ୍ତୀ ମୁହୂର୍ତ୍ତରେ ଟ୍ରେନ୍ ମ୍ୟାନେଜ୍ମେଣ୍ଟ୍ ସିଷ୍ଟମ୍(ଟିଏମ୍ଏସ୍) ସାହାଯ୍ୟରେ ତାଙ୍କ ସ୍ୱରକୁ କଣ୍ଟ୍ରୋଲ୍ ରୁମ୍ରେ ସେଭ୍ କରି ରଖାଗଲା। ଗତ କିଛି ବର୍ଷ ପୂର୍ବରୁ ସରଳା ଦେବୀ ନିଜର ବ୍ୟକ୍ତିଗତ ସମସ୍ୟା ହେତୁ ଚାକିରି ଛାଡ଼ିଥିଲେ ବି ତାଙ୍କ କଣ୍ଠକୁ ସେ ଏବେ ବି ଷ୍ଟେସନ୍ମାନଙ୍କରେ ଶୁଣି ଖୁସି ହୁଅନ୍ତି।