ଶ୍ରୀଜଗନ୍ନାଥଙ୍କ ମୁଖ୍ୟ ବାଡ଼ଗ୍ରାହୀ ଜଗନ୍ନାଥ ସ୍ବାଇଁ ମହାପାତ୍ର ଦୀର୍ଘ ୭୦ ବର୍ଷ ଧରି ନିରବଚ୍ଛିନ୍ନ ଭାବେ ମହାପ୍ରଭୁଙ୍କ ସେବା କରିଆସୁଛନ୍ତି। ଜଗତରନାଥ ଶ୍ରୀଜଗନ୍ନାଥଙ୍କ ବଂଶଜ ଭାବେ ପରିଚିତ ବାଡ଼ଗ୍ରାହୀ ସେବକ ଶ୍ରୀ ସ୍ବାଇଁ ମହାପାତ୍ର ବିଶ୍ବାବସୁଙ୍କ ଉତ୍ତରାଧିକାରୀ। ତାଙ୍କର ଅଣଜେଜେବାପା ବଳଭଦ୍ର ସ୍ବାଇଁ ମହାପାତ୍ର ଏବଂ ତାଙ୍କ ବାପା ଚନ୍ଦ୍ର ସ୍ବାଇଁ ମହାପାତ୍ର ମଧ୍ୟ ଜଗନ୍ନାଥଙ୍କ ସେବାରେ ନିଜକୁ ସଂପୂର୍ଣ୍ଣ ସମର୍ପଣ କରିଥିଲେ। ସଂପ୍ରତି ଅଣସର ଘର ସେବାରୁ ନେଇ ରଥଯାତ୍ରା ପର୍ଯ୍ୟନ୍ତ ସବୁ ସେବାରେ ମୁଖ୍ୟ ଦାୟିତ୍ବ ନିର୍ବାହ କରୁଥିବା ଜଗନ୍ନାଥ ସ୍ବାଇଁ ମହାପାତ୍ରଙ୍କ ସହିତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି ଆମର ବରିଷ୍ଠ ପ୍ରତିନିଧି ବିଭୂତି ପତି
ଅନୀତି କାର୍ଯ୍ୟରେ ସାମିଲ ହୋଇ ପାପରେ ଭାଗୀ ହେବାକୁ ଚାହିଲି ନାହିଁ
ମହାପ୍ରଭୁଙ୍କ ମହିମାରେ ତାଙ୍କର ମନ୍ଦିର ନିର୍ମାଣ ହୁଏ ଏବଂ ତାଙ୍କର କୃପା ହେଲେ ସେହି ସ୍ଥାନରେ ଭକ୍ତ ପାଇଁ ସେ ବିରାଜମାନ କରିଥାନ୍ତି। ତାଙ୍କ ଇଚ୍ଛାରେ ପତ୍ରଟିଏ ହଲେନାହିଁ, କିନ୍ତୁ ଏହାର ଅର୍ଥ ନୁହେଁ ଆମେ ଯେଉଁଠାରେ ଚାହିବା ମନ୍ଦିର ନିର୍ମାଣ କରିଦେବା ଏବଂ ସେହି ସ୍ଥାନକୁ ଜଗନ୍ନାଥ ଧାମ ଭାବେ ନାମିତ କରିବା। ମୁଁ ଏହାର ଘୋର ବିରୋଧୀ। ଅନୀତିରେ ଏଭଳି ମନ୍ଦିର ନିର୍ମାଣ ଓ ବିଗ୍ରହ ସ୍ଥାପନ ମହାପାପ। ଏସବୁ ଶ୍ରୀଜଗନ୍ନାଥଙ୍କର ପରମ୍ପରା, ସଂସ୍କୃତି ଓ ରୀତିନୀତିର ବିରୁଦ୍ଧାଚରଣ କରେ। ମୁଁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଦୀଘାରେ ଏଭଳି କାର୍ଯ୍ୟ କରିବାକୁ ରୋକ୍ଠୋକ୍ ମନା କରିଥିଲି। ସେ ମାନିଲେ ନାହିଁ କିମ୍ବା ମୋ କଥା ଶୁଣିଲେ ନାହିଁ। ତେଣୁ ଏଭଳି ଅନୀତି କାର୍ଯ୍ୟରେ ମୁଁ ସାମିଲ ହୋଇ ପାପରେ ଭାଗି ହେବାକୁ ଚାହିଲିନାହିଁ। ଏହା ମୋର ବ୍ୟକ୍ତିଗତ ମତ। କାରଣ ମୁଁ ପାପ-ପୁଣ୍ୟ ଓ ଧର୍ମ-ଅଧର୍ମରେ ବିଶ୍ବାସ କରେ। ଭବିଷ୍ୟତରେ ଏଭଳି କାର୍ଯ୍ୟ ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ କଠୋର ଦଣ୍ଡବିଧାନ ଓ ଆଇନ ପ୍ରଣୟନର ସମୟ ଆସିଛି।
ଶ୍ରୀଜଗନ୍ନାଥଙ୍କ ମୁଖ୍ୟ ବାଡ଼ଗ୍ରାହୀ ଭାବେ ଆପଣ ମହାପ୍ରଭୁଙ୍କ ସହିତ କେତେ ନିବିଡ଼? ତାଙ୍କର ଉପସ୍ଥିତି ଆପଣ କେବେ ଅନୁଭବ କରିଛନ୍ତି?
ଆମେ ତ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର କୂଳ ଓ ଗୋତ୍ରରେ ଜନ୍ମ ହୋଇଛୁ। ଭାଗ୍ୟରେ ଥିଲେ ବାଡ଼ଗ୍ରାହୀ ବଂଶରେ ଜନ୍ମ ମିଳେ ବୋଲି ବିଶ୍ବାସ କରାଯାଏ। ଜଗତର ନାଥ ଶ୍ରୀଜଗନ୍ନାଥଙ୍କ ସହିତ ଆମ ସଂପର୍କ ଜନ୍ମ ଜନ୍ମାନ୍ତରର। ଏହା ଶହଶହ ବର୍ଷର ବଂଶ ପରମ୍ପରା। ଏହାକୁ ଭାଷାରେ ବର୍ଣ୍ଣନା କରିବା ଧୃଷ୍ଟତା। ମୁଁ କେବଳ ଏତିକି କହିବି, ମହାପ୍ରଭୁଙ୍କ ସହ ଆମର ନିବିଡ଼ ରକ୍ତ ସଂପର୍କ। କୋଟିବ୍ରହ୍ମାଣ୍ଡପତି ଶ୍ରୀଜଗନ୍ନାଥ ଆମର ଭଗବାନ ଓ ଭାଇ। ବିଶ୍ବାସ ଓ ଆବେଗରେ ମୁଁ ଯେତେବେଳେ ଯେଉଁପରି ତାଙ୍କର ଉପସ୍ଥିତି କାମନା କରିଛି ସେ ଆସି ଆମ ନିକଟରେ ଛାଇ ଭଳି ଠିଆ େହାଇଛନ୍ତି। ଆପଣ ଭାବୁଥିବେ ସ୍ବପ୍ନରେ ଖାଲି ମହାପ୍ରଭୁ ଆସନ୍ତି, କିନ୍ତୁ ସ୍ବୟଂ ମହାପ୍ରଭୁ ସଶରୀରେ ମଧ୍ୟ ଆସନ୍ତି। ଆପଣ ଏଥିରୁ ବୁଝନ୍ତୁ, ଏ ସଂପର୍କ, ପରମ୍ପରା ଓ ସଂସ୍କୃତିର ମହତ୍ତ୍ବ କେତେ। ଅବଶ୍ୟ କେତେକ ବ୍ୟକ୍ତିବିଶେଷଙ୍କ ଲୋଭ ଓ ସ୍ବାର୍ଥ ପାଇଁ ଏ ସଂପର୍କ ଓ ପରମ୍ପରାର ପବିତ୍ରତାରେ ଟିକିଏ ଭଟ୍ଟା ପଡ଼ିଛି। କିନ୍ତୁ ଏହା ସାମୟିକ। ସେଭଳି ବ୍ୟକ୍ତି ନିଶ୍ଚିତ ଶିକ୍ଷାଲାଭ କରିବେ।
ଆପଣ କ’ଣ ସତରେ ମହାପ୍ରଭୁଙ୍କୁ ସଶରୀରେ ଦେଖିଛନ୍ତି? ତାଙ୍କ ସହ ଭାବ ଆଦାନପ୍ରଦାନ କରିଛନ୍ତି? ଏହା ବିଶ୍ବାସଯୋଗ୍ୟ?
ସେ ବିଶ୍ବାସର ଭଗବାନ। ସେ ଭାବବିନୋଦିଆ, ଭାବର ଠାକୁର। ସେ ଅନ୍ତର୍ଯ୍ୟାମୀ। ତାଙ୍କୁ ଅନ୍ତରର ସବୁକଥା ଜଣା। ମହାପ୍ରଭୁଙ୍କୁ କହିବା ପାଇଁ ଭାଷାର ଆବଶ୍ୟକତା ନାହିଁ। ବିଶ୍ବାସ ଓ ଭକ୍ତିରେ ବନ୍ଧା କାଳିଆସାଆନ୍ତଙ୍କୁ ଭକ୍ତକୁ କିଛି ମାଗିବାକୁ କିମ୍ବା କହିବାକୁ ପଡ଼େନି। ସେ ଭକ୍ତର ମନକଥା ବୁଝନ୍ତି ଏବଂ ଭକ୍ତର ଅଭାବ ଓ ଆବଶ୍ୟକତା ପୂରଣ କରନ୍ତି। ଅନ୍ୟାୟ, ଅନୀତିକୁ କାଳିଆଠାକୁର କେବେ ସହେନାହିଁ। ତାଙ୍କ ଆଗରେ ଗର୍ବ ଅହଙ୍କାର ଦେଖାଇ ରଥୀ, ମହାରଥୀ ଓ ଅତିରଥୀ ଭଳି ଯୋଦ୍ଧା ମଧ୍ୟ କ୍ଷଣକରେ ଧ୍ବଂସ ହୋଇଯାଆନ୍ତି। ତାଙ୍କ ଭକ୍ତର ଯେତେବେଳେ ବାଧାବିଘ୍ନ ଆସିଛି, ଖାଲି ଟିକିଏ କରୁଣା କରିବାକୁ ଗୁହାରି କରିଦେଲେ ନିମିଷକେ ସେ ସଂସାରର ସବୁ ସମସ୍ୟା ଅଚିରେ ଦୂର କରିଦିଅନ୍ତି। କାଳିଆଠାକୁର ବଡ଼ ବଡ଼ ଆଖିରେ ଅନାଇ ବସିଛନ୍ତି ଭକ୍ତକୁ ଦେଖିବାକୁ, ତା’ ଗୁହାରି ଶୁଣିବାକୁ। ତାଙ୍କ ନଁାରେ ଯେଉଁମାନେ ଅନ୍ୟାୟ ଅନୀତି କରନ୍ତି ଠିକଣା ସମୟରେ ସେ ଉପଯୁକ୍ତ ଶାସ୍ତି ଦେଇଛନ୍ତି ଏବଂ ଦେଉଥିେବ ମଧ୍ୟ।
ଅଣସର ଘରେ ଗୁପ୍ତସେବା ସମୟର ଅନାଲୋଚିତ ଘଟଣା ଅଥବା କୌଣସି ଅଲୌକିକ ଅନୁଭୂତି ଆମ ପାଠକଙ୍କ ସହ ବାଣ୍ଟିବାକୁ ଚାହିବେ?
ଗୁପ୍ତସେବା ବିଷୟରେ କେବେ କୌଣସିଠାରେ ପ୍ରକାଶ କରାଯାଏ ନାହିଁ। କିନ୍ତୁ ଦଇତାପତିଙ୍କ ଜନ୍ମସେବାକୁ ନେଇ ମୁଁ ଗୋଟିଏ ଘଟଣା କହୁଛି ଯାହା ବହୁତ କମ୍ ଭକ୍ତ ଜାଣିଛନ୍ତି। ପିଲାଟିଏ ଯେତେବେଳେ ଜନ୍ମ ହୁଏ ସେତେବେଳେ ଆମେ ବାରରାତ୍ର ପର୍ଯ୍ୟନ୍ତ ନୀତିନିୟମରେ ରହି ଦେବପୂଜା ନିଷେଧ କରିଥାଉ। କିନ୍ତୁ ଅଣସର ଘରେ ମହାପ୍ରଭୁ ଥିବା ସମୟରେ ଓ ରଥଯାତ୍ରା ସମୟରେ ଯଦି ଆମ ଘରେ ପିଲାଟିଏ ଜନ୍ମହୁଏ, ତାକୁ ଗାଧୁଆପାଧୁଆ କରି ସେହି ନବଜାତ ଶିଶୁକୁ ତାଟିସେବା ପାଇଁ ଅଣସର ଘରକୁ ନିଆଯାଏ। ସେଠାରେ ଛୁଅଁାଅଛୁଅଁା ରହେନାହିଁ। ସେ ଜଗନ୍ନାଥଙ୍କୁ ଛୁଇଁଥାଏ ଏବଂ ଭେଟି ଦିଏ। ସେଇ ମୁହୂର୍ତ୍ତରୁ ସେ ନବଜାତ ଶିଶୁ ଦଇତାପତି ହୋଇଯାଏ। ଆମେ ହେଉଛୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର କୁଟୁମ୍ବ ଓ ସମଗୋତ୍ରୀ। ଆମର ସେବା ହେଉଛି ଜନ୍ମଗତ ସେବା, କିନ୍ତୁ ଅନ୍ୟ ସେବାୟତଙ୍କର ଶାଢ଼ିବନ୍ଧା ସେବା। ତାହା ଷୋହଳ ବର୍ଷ ବୟସରୁ ଆରମ୍ଭ ହୁଏ। ଆମ ବଂଶର ପିଲାଟି ଜନ୍ମହେବା ପରେ ଦଇତାପତି ହୋଇଥାଏ ଏବଂ ସେହିଦିନଠାରୁ ଜଗନ୍ନାଥଙ୍କ ସେବା ବାବଦ ଅଧାପ୍ରାପ୍ୟ ଅର୍ଥ ନବଜାତ ଶିଶୁ ପାଇଥାଏ। ଅଲୌକିକ ଅନୁଭୂତି ଗତ ନବକଳେବର ସମୟରେ ମୁଁ ଅନୁଭବ କରିଥିଲି। ଦାରୁ ସଂଗ୍ରହ ଯାତ୍ରା ସମୟରେ ମୁଁ ବିଭିନ୍ନ ସ୍ଥାନରେ ନୃସିଂହ ଅବତାର ବିରାଜମାନ କରୁଥିବା ପ୍ରତିଦିନ ଅନୁଭବ କରିଥିଲି।
ମହାପ୍ରଭୁ ଅଣସରରେ ଥିବା ବେଳେ ଗୁପ୍ତସେବା ସମୟରେ ଆପଣମାନେ ଘରେ କିପରି ପବିତ୍ରତା ଓ ପରିଚ୍ଛନ୍ନତା ଅବଲମ୍ବନ କରନ୍ତି?
ଏ ପରମ୍ପରା ମଧ୍ୟ ନିଆରା ଏବଂ ଏହାକୁ ବିଶେଷ ଆଲୋଚନା କେଉଁଠାରେ କରାଯାଇ ନାହିଁ। ଅଣସର ସେବା ସମୟେର ଆମେମାନେ ଖାଲି ପାଦରେ (ଏପରିକି କଠଉ ମଧ୍ୟ ପିନ୍ଧି ନ ଥାଉ) ଯିବାଆସିବା କରୁ। ଆମ ଘରେ ହବିଷ ଅନ୍ନ ରନ୍ଧା ହୋଇ ଗୋଟିଏ ବେଳା ଅନ୍ନ ସେବନ ପରମ୍ପରା ରହିଛି। ନୂଆ ଇଟା ଓ ମାଟି ଚୂଲିରେ ଏହି ହବିଷ ଅନ୍ନ ରାନ୍ଧିବା ସମୟରେ ବାହାରର କୌଣସି ଲୋକଙ୍କର ଦୃଷ୍ଟି ଯେପରି ପଡ଼ିବନାହିଁ ସେଥିପାଇଁ ବ୍ୟବସ୍ଥା କରାଯାଇଥାଏ। ରୋଷେଇ ପରେ ବଡ଼ବଡୁଆଙ୍କୁ ପ୍ରଥମେ ଅନ୍ନ ସମର୍ପଣ କରି ସମସ୍ତେ ଏକାଠି ବସି ଭୋଜନ କରିଥାନ୍ତି। ଅଣସର ସେବା ସମୟରେ ଆମେ କୌଣସି ବନ୍ଧୁବାନ୍ଧବଙ୍କ ଘରେ ଖାଦ୍ୟ ଓ ପାଣି ଗ୍ରହଣ କରୁନାହୁଁ। ଏହି ସମୟରେ ଆମେ ମଧ୍ୟ ଆମ ଘରକୁ କୌଣସି ବନ୍ଧୁବାନ୍ଧବ ବା ଅତିଥିଙ୍କୁ ଡାକି ଖାଦ୍ୟପେୟ ଦେଇ ଚର୍ଚ୍ଚା କରୁନାହୁଁ। ଏହି ପରମ୍ପରା ନୀଳାଦ୍ରିବିଜେ ପର୍ଯ୍ୟନ୍ତ ଏକ ମାସଧରି ଜାରିରହେ। ମୋର ମନେଅଛି, ଆମ ଅଣଜେଜେବାପା ବଳଭଦ୍ର ସ୍ବାଇଁ ମହାପାତ୍ର କାହା ହାତରୁ ପାଣି ଗ୍ରହଣ କରୁନଥିଲେ କିମ୍ବା ପାଇପ ପାଣି ପିଉନଥିଲେ। କେବଳ କୂଅପାଣିର ସେ ବ୍ୟବହାର କରୁଥିଲେ। ଏଇଥିରୁ ଅନୁମାନ କରନ୍ତୁ କେତେ ନିଷ୍ଠାରେ ଆମକୁ ରହିବାକୁ ପଡ଼େ।
ଗୁପ୍ତସେବାରେ ରାତିରେ ଲାଗି ହେଉଥିବା ଅଣସର ପଣାର ମାହାତ୍ମ୍ୟ ସଂପର୍କରେ ଆଲୋକପାତ କରିବେ କି?
ଆପଣ ଆଧ୍ୟାତ୍ମିକ ଶାସ୍ତ୍ରର ଏକ ଗୂଢ଼ତତ୍ତ୍ବ ବିଷୟରେ ପଚାରିଛନ୍ତି। ବଡ଼ଠାକୁରଙ୍କ ଆଶୀର୍ବାଦରେ ମୁଁ ଏହାର ଉତ୍ତର ଦେଉଛି। ଅଣସର ସମୟରେ ପନ୍ଦରଦିନ ମହାପ୍ରଭୁ ଶ୍ରୀଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରା କେବଳ ଆମରି ସହିତ ରହନ୍ତି। ଅନ୍ୟକୌଣସି ଦେବଦେବୀ ତାଙ୍କର ଦର୍ଶନ ପାଆନ୍ତି ନାହିଁ। ଏପରିକି ସ୍ବୟଂ ବ୍ରହ୍ମା ଓ ମହେଶ୍ବର ମଧ୍ୟ ବଡ଼ଠାକୁରଙ୍କ ଦର୍ଶନ ପାଇ ନଥାନ୍ତି। ରାତିରେ ଯେଉଁ ଅଣସର ପଣା ଭୋଗଲାଗି ହୁଏ ସେଥିରେ ମହାପ୍ରଭୁଙ୍କ ମୁଖମଣ୍ଡଳର ଦର୍ଶନ ମିଳେ। ଭୋଗଲାଗି ହେବାପରେ ସେହି ପଣାକୁ ପ୍ରଥମେ ମନ୍ଦିର ବାହାରେ ସମସ୍ତ ଦେବଦେବୀଙ୍କ ଉଦ୍ଦେଶ୍ୟରେ ଯେତେବେଳେ ସମର୍ପଣ ହୁଏ, ସେହି ସମୟରେ ବ୍ରହ୍ମା ଓ ମହେଶ୍ବର ମହାପ୍ରଭୁଙ୍କୁ ଦର୍ଶନ କରନ୍ତି। ଅଣସର ଘରର ଅନ୍ୟ ଭୋଗ ଟିକିଏ ମଧ୍ୟ ବାହାରକୁ ଆସେନାହିଁ। ଅଣସର ପଣା ଅମୃତତୁଲ୍ୟ। ଏହା ସର୍ବପାପ ମୋଚନ କରିଥାଏ ବୋଲି ବିଶ୍ବାସ।
ଗତ ରଥଯାତ୍ରାରେ ବଳଭଦ୍ର ଠାକୁର ରଥରେ ପଡ଼ିଯିବା ଭଳି ବିଶୃଙ୍ଖଳା ଦେଖିବାକୁ ମିଳିଥିଲା। ଏହି ବିଶୃଙ୍ଖଳାକୁ କିଭଳି ରୋକାଯାଇ ପାରିବ?
ପହଣ୍ଡିବିଜେରୁ ନେଇ ଠାକୁର ରଥ ଉପରେ ବିଜେ ହେବା ଏବଂ ମାଉସୀମା’ ମନ୍ଦିରରେ ପ୍ରବେଶ କରିବା ପର୍ଯ୍ୟନ୍ତ ପ୍ରତି ସେବାୟତଙ୍କ ପାଖରେ ମୋବାଇଲ୍ ଫୋନ୍ ରଖିବା ସମ୍ପୂର୍ଣ୍ଣ ନିଷିଦ୍ଧ କରାଯାଉ। ଯଦି ଏତିକି ହୋଇଯିବ, ତେବେ ଅନେକ ବିଶୃଙ୍ଖଳା ଦୂରହୋଇ ସବୁକିଛି ଶୃଙ୍ଖଳିତ ଭାବେ ସମାପନ ହେବ ବୋଲି ମୋର ମତ।