ଲଣ୍ଡନ୍: ୟୁନାଇଟେଡ୍ କିଂଡମ୍ର ଜେମ୍ସ ହୁମ୍ସଲେଙ୍କ ଦ୍ବାରା ନିର୍ମିତ ଏକ ରିମୋଟ୍ ନିୟନ୍ତ୍ରିତ କାର୍ ତାହାର ପ୍ରାରମ୍ଭିକ ପରୀକ୍ଷଣରେ ଗିନିସ ବିଶ୍ବ ରେକର୍ଡ ସ୍ଥାପନ କରିଛି। କାର୍ଟି ଘଣ୍ଟା ପ୍ରତି ୧୫୨.୫ କି.ମି. ବା ୯୩.୨ ମାଇଲ୍ ବେଗ ହାସଲ କରି ଦ୍ରୁତଗାମୀ ହେବାର ଲକ୍ଷ୍ୟ ହାସଲ କରିପାରିଛି। ଦ୍ବିତୀୟ ପ୍ରୟାସରେ ତାହା ଘଣ୍ଟାପ୍ରତି ୧୩୭ ମାଇଲ୍ ବେଗ ଛୁଇଁବାରେ ସକ୍ଷମ ହୋଇଥିଲା। ମାତ୍ର ଯାତ୍ରା ବେଳେ କାର୍ ଦେହରୁ ଏକ ଗୁରୁତ୍ବପୂର୍ଣ୍ଣ ଯନ୍ତ୍ରାଂଶ ଖସିଯିବାରୁ ଉକ୍ତ ବେଗକୁ ରେକର୍ଡ ପାଇଁ ବିଚାର କରାଯାଇନଥିଲା।
ସେହିପରି ଏହା ତୃତୀୟ ପ୍ରୟାସରେ ମଧ୍ୟ ଘଣ୍ଟା ପ୍ରତି ସର୍ବାଧିକ ୧୪୧ ମାଇଲ୍ ବେଗ ହାସଲ କରିଥିଲା, ମାତ୍ର ଯାତ୍ରା କାଳରେ ବୈଷୟିକ ତ୍ରୁଟି ଦେଖାଦେଇ କାର୍ଟି ସଂପୂର୍ଣ୍ଣ ଜଳିଯାଇଥିଲା। ତେଣୁ ସେହି ବେଗକୁ ମଧ୍ୟ ବିଚାର କାଯାଇନଥିଲା। ତେବେ ପ୍ରଥମ ପ୍ରୟାସର ବେଗ ହିଁ ରେକର୍ଡ ସ୍ଥାପନ ପାଇଁ ଯଥେଷ୍ଟ ହୋଇଥିଲା। ବର୍ଷେ ହେଲା ହୁମ୍ସଲେ ରିମୋଟ୍ ନିୟନ୍ତ୍ରିତ ତଥା ଜେଟ୍ ଇଞ୍ଜିନ ପରିଚାଳିତ କାର୍ ଉପରେ ପରୀକ୍ଷା ନିରୀକ୍ଷା ଜାରି ରଖିଥିଲେ। ସେ ଭବିଷ୍ୟତରେ ନିଜ ରେକର୍ଡ ଭାଙ୍ଗିବା ପାଇଁ ଅଧ୍ୟବସାୟ ଜାରି ରଖିବେ ବୋଲି କହିଛନ୍ତି।