ପାପୁଲିରେ ଚାଲୁଥିବା ବିଶ୍ବର ଦ୍ରୁତତମ ବ୍ୟକ୍ତି ହେଉଛନ୍ତି ଆମେରିକାର ଜିଅନ୍ କ୍ଲାର୍କ। ଗିନିସ ବିଶ୍ବ ରେକର୍ଡ ପକ୍ଷରୁ ନିକଟରେ ଛଡ଼ାଯାଇଥିବା ଏକ ଭିଡିଓ ସାମାଜିକ ଗଣମାଧ୍ୟମରେ ହୁ ହୁ ହୋଇ ପ୍ରସାରିତ ହେବାରେ ଲାଗିଛି। ଏଥିରେ ଭିନ୍ନକ୍ଷମ କ୍ରୀଡ଼ାବିତ୍ କ୍ଲାର୍କ କିପରି ରେକର୍ଡ ଭାଙ୍ଗିବା ପାଇଁ ପ୍ରଶିକ୍ଷଣ ନେଉଛନ୍ତି, ତାହାର ଝଲକ ଦେଖାଯାଇଛି। ସୂଚନାଯୋଗ୍ୟ, ଜନ୍ମରୁ କ୍ଲାର୍କଙ୍କର ଦୁଇଟି ଯାକ ଗୋଡ଼ ନଥିଲା। ଏଥି ସହିତ ସେ ଏକ ବିରଳ ସୁଷୁମ୍ନା କାଣ୍ଡ ରୋଗରେ ପୀଡ଼ିତ ଥିବାରୁ କୃତ୍ରିମ ଗୋଡ଼ ଲଗାଇ ଚାଲିବା ମଧ୍ୟ ତାଙ୍କ ପକ୍ଷେ ସମ୍ଭବ ନଥିଲା। ତେଣୁ ସେ ତାଙ୍କ ପାପୁଲିରେ ଭରା ଦେଇ ହିଁ ବାଟ ଚାଲୁଥିଲେ। କ୍ଲାର୍କ ନିଜ ପାପୁଲି ସାହାଯ୍ୟରେ ମାତ୍ର ୪.୭୮ ସେକେଣ୍ଡ୍ରେ ୨୦ ମିଟର ଅତିକ୍ରମ କରି ଏହି ବିଶ୍ବ ରେକର୍ଡ ସୃଷ୍ଟି କରିଛନ୍ତି।
ସେ ଆଉ ଦୁଇଟି ବିଶ୍ବ ରେକର୍ଡ ମଧ୍ୟ ସୃଷ୍ଟି କରିଛନ୍ତି। ଗତ ବର୍ଷ ଅକ୍ଟୋବର ମାସରେ ଲସ୍ ଆଞ୍ଜେଲସ୍ ସ୍ଥିତ ଏକ ବ୍ୟାୟାମଶାଳାରେ ଉଚ୍ଚତମ ବାକ୍ସ ଡିଆଁରେ ରେକର୍ଡ କରିବା ସହ ତିନି ମିନିଟ୍ରେ ସର୍ବାଧିକ ଡାଏମଣ୍ଡ୍ ପୁସ୍-ଅପ୍ ମାରିବାର ସେ ରେକର୍ଡ କରିଛନ୍ତି। ସେ ଆଉ ଦୁଇଟି ଅତିରିକ୍ତ ରେକର୍ଡ ପାଇଁ ମଧ୍ୟ ଯୋଗ୍ୟତା ହାସଲ କରିଥିଲେ। ସେଥିରୁ ଗୋଟିଏ ହେଲା, ୪୦ ପାଉଣ୍ଡ୍ ଓଜନର ଭାର ଧରି ଗୋଟିଏ ମିନିଟ୍ରେ ସର୍ବାଧିକ ସମାନ୍ତରାଳ ବାର-ଡିପ୍ ମାରିବା ଏବଂ ଅନ୍ୟଟି ପାଞ୍ଚ ମିଟର ଦଉଡ଼ିରେ ଦ୍ରୁତରେ ଚଢ଼ିବା। ବାସ୍ତବରେ, ମନୋବଳ ହିଁ ମନୁଷ୍ୟର ଅସଲି ତାକତ।