ଫୁଲର ପର୍ବ ‘ଫୁଲ ଭାଙ୍ଗୁଣି’ : ଗଛରେ ନୂଆ ପତ୍ର,ଫୁଲ କଁଅଳିଲେ ନାଚଗୀତରେ ମସଗୁଲ ହୁଅନ୍ତି ଯୁବକଯୁବତୀ

ସାନ୍ତାଳ ଜନଜାତି‌ର କିଛି ନିଆରା ପରମ୍ପରା ଦେଖିବାକୁ ମିଳିଥାଏ। ସେମାନେ ନୂଆ ପତ୍ର ଫୁଲ କଁଅଳିଲେ ବାହା ପରବ ପାଳନ କରିଥାନ୍ତି। ଏହି ପର୍ବକୁ ସାନ୍ତାଳୀ ଓ ହୋ ସଂପ୍ରଦାୟ ସମେତ ଆଉ କିଛି ଜନଜାତି ମଧ୍ୟ ପାଳିଥାନ୍ତି। ପ୍ରତିବର୍ଷ ବାହା ପରବ ନ ହେବାଯାଏ କୌଣସି ନୂଆପତ୍ର ଓ ଫୁଲର ବ୍ୟବହାର ନ କରିବାର ବିଶ୍ବାସ ରହିଆସିଛି। ବାହା ପରବ ସାନ୍ତାଳୀ ଭାଷାରେ ‘ବାହା’ ଯାହାର ଅର୍ଥ ଫୁଲ। ତେଣୁ ବାହା ପରବ ହେଉଛି ‘ଫୁଲର ପର୍ବ’। ଏହା ସୁଖର ପର୍ବ ଓ ପ୍ରକୃତିର ପର୍ବ। ଏହି ପର୍ବକୁ ମଧ୍ୟ ‘ଫୁଲର ପର୍ବ ଫୁଲ ଭାଙ୍ଗୁଣି’ କୁହାଯାଇଥାଏ।

ଆଦିବାସୀମାନେ ହେଉଛନ୍ତି ପ୍ରକୃତିର ସନ୍ତାନ। ସେମାନେ ପ୍ରକୃତି କୋଳରେ ବଢ଼ିଛନ୍ତି। ପ୍ରକୃତି କୋଳରେ ମଣିଷ ହେଇଛନ୍ତି। ବସନ୍ତର ଆଗମନ ସହିତ ଯେତେବେଳେ ପ୍ରକୃତି ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ହୁଏ, ବୃକ୍ଷଲତା ପଲ୍ଲବିତ ହେଇ ନୂଆଫୁଲରେ ସୁଶୋଭିତ ହୁଅନ୍ତି, ଯେତେବେଳେ ଫୁଲର ମଧୁର ମହକ ପବନରେ ଭାସିଯାଏ, ଯେତେବେଳେ ‌େକତେ ରଙ୍ଗର ପକ୍ଷୀମାନେ ଆକାଶରେ ଉଡ଼ିବୁଲନ୍ତି, ସେତେବେଳେ ଫଗୁଣର ବାସ୍ନା ଚାରିଆଡ଼େ ଖେଳିଯାଏ। ବାହା ପରବ ସାନ୍ତାଳୀଙ୍କ ପବିତ୍ର ପର୍ବ। ଏହି ପରବ ଫାଲଗୁନ ମାସରୁ ଆରମ୍ଭ ହୋଇଥାଏ। ଅବଶ୍ୟ କେତେକ ସ୍ଥାନରେ ଦୋଳପୂର୍ଣ୍ଣିମା ପରେ ଏହା ଆଉ ଏକ ସପ୍ତାହ ପର୍ଯ୍ୟନ୍ତ ପାଳନ କରାଯାଏ। ଗାଁ ବୈଠକ ନିଷ୍ପତ୍ତି ଅନୁଯାୟୀ ଏକ ନିର୍ଦ୍ଦିଷ୍ଟ ଦିନରେ ଜଙ୍ଗଲରୁ ଶାଳଗଛର ଡାଳ ସଂଗ୍ରହ କରାଯାଇଥାଏ।

ଏହି ସମୟରେ ‘ନାଏକେ’ (ପୁରୋହିତ) ଜାହିରା ଶାଳ ନିକଟକୁ ଯାଇ ଦେବତାମାନଙ୍କୁ ମନେପକାନ୍ତି। ଏହାଦ୍ବାରା ଦେବତାମାନେ ସେମାନଙ୍କ ମଧ୍ୟରେ ଉପସ୍ଥିତ ରହିଥାନ୍ତି ବୋଲି ବିଶ୍ବାସ ରହିଆସିଛି। ତେବେ ନାଏକେ ସମସ୍ତ ଗ୍ରାମବାସୀଙ୍କ ମଙ୍ଗଳ ପାଇଁ ଦେବତାମାନଙ୍କୁ ପ୍ରାର୍ଥନା କରନ୍ତି। ସେଠାରେ ସମସ୍ତଙ୍କୁ ଶାଳଫୁଲ ପୁରୋହିତ ନିଜେ ଦେଇଥାନ୍ତି ଏବଂ ସେହି ଫୁଲକୁ ସମସ୍ତେ ନିଜ କାନରେ ଝୁଲାଇଥାନ୍ତି। ପୂଜା ପରେ ସମସ୍ତେ ନିଜ ନିଜ ଗାଁକୁ ଫେରିଥାନ୍ତି। ଘରକୁ ଫେରି ଯେତେବେଳେ ପୁରୋହିତ ଘରେ ପ୍ରବେଶ କରନ୍ତି, ସେଠାରେ ଅପେକ୍ଷା କରିଥିବା ଗାଁର ମହିଳାମାନେ ପୁରୋହିତଙ୍କ ପାଦ ଧୋଇଦେଇ ତେଲ ବୋଳିଦିଅନ୍ତି। ପୁରୋହିତ ତା’ପରେ ସେମାନଙ୍କୁ ଶାଳ ଫୁଲ ଦିଅନ୍ତି। ଏହାପରେ ଝିଅମାନେ ନାଏକେ ମହାଶୟଙ୍କୁ ପରମ୍ପରା ଅନୁସାରେ ନମସ୍କାର ବା ଜୁହାର କରିଥାନ୍ତି।

‘ବାହା ପରବ’ ସରିଲା ପରେ ସାନ୍ତାଳୀମାନେ ଜଙ୍ଗଲରୁ ବିଭିନ୍ନ ବନଜାତ ଦ୍ରବ୍ୟ ସଂଗ୍ରହ କରିଥାନ୍ତି। ପ୍ରତ୍ୟେକ ସାନ୍ତାଳୀ ଗାଁକୁ ସୁନ୍ଦର ଓ ସରସ କରିବା ପାଇଁ ନୃତ୍ୟ-ଗୀତର ଆସର ଜମିଥାଏ। କାରଣ ସେମାନଙ୍କର ବିଶ୍ବାସ ଯେ ମାଦଳ ଶବ୍ଦ ଶୁଣିଲେ ଦେବତାମାନେ ମଧ୍ୟ ସ୍ବର୍ଗରୁ ଓହ୍ଲାଇଆସନ୍ତି। ନାଚିବା ଲାଗି ପୁଅମାନେ ମାଦଳ ଓ ନାଗରା ବଜାଇଥାନ୍ତି। ବାଦ୍ୟର ତାଳେ ତାଳେ ଝିଅମାନେ ନାଚିଥାନ୍ତି। ଲମ୍ବା ସମୟ ଧରି ଏଭଳି ନାଚଗୀତରେ ସେମାନେ ନିମଗ୍ନ ରହିଥାନ୍ତି। କେତେକ ଗାଁରେ ଏହି ପର୍ବକୁ ସରସ ସୁନ୍ଦର କରିବା ଲାଗି ଘରଗୁଡ଼ିକୁ ସାଜସଜ୍ଜା ମଧ୍ୟ କରାଯାଇଥାଏ। ବେଶ୍ ଆନନ୍ଦ ଉଲ୍ଲାସର ସହ ଏହି ପର୍ବ ପାଳନ କରାଯାଇଥାଏ।

ଯଶିପୁରରୁ ବିରଞ୍ଚି ନାରାୟଣ ସାହୁ
ସହାୟତା: ସତ୍ୟନାରାୟଣ ମାଝୀ

ସମ୍ବନ୍ଧିତ ଖବର