ବିଶ୍ବବ୍ରହ୍ମାଣ୍ଡରେ ଅସଂଖ୍ୟ ଗ୍ରହ, ନକ୍ଷତ୍ର ଆଦି ଜ୍ୟୋତିଷ୍କ ନାନା ଦିଗରେ ଓ ଭିନ୍ନ ବେଗରେ ଘୂରି ବୁଲୁଛନ୍ତି। ତେଣୁ ଅନ୍ତରୀକ୍ଷରେ କାହା ସହିତ କାହାର କଦବା ମୁହାଁମୁହିଁ ହୋଇଯିବାର ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ବିଭିନ୍ନ ଅତ୍ୟାଧୁନିକ ଦୂରବୀକ୍ଷଣ ଯନ୍ତ୍ର ସାହାଯ୍ୟରେ ସେଭଳି ଜ୍ୟୋତିଷ୍କମାନଙ୍କର ସ୍ଥିତିକୁ ନିରୀକ୍ଷଣ କରାଯାଇ ଆସୁଛି। ଏହି କ୍ରମରେ ‘୨୦୨୪-ଓଏନ୍’ ନାମକ ଏକ ଗ୍ରହାଣୁପିଣ୍ଡ ଅତି ଦ୍ରୁତ ବେଗରେ ପୃଥିବୀ ଆଡ଼କୁ ମାଡ଼ି ଆସୁଛି ବୋଲି ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା ‘ନାସା’ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ପ୍ରାୟ ୭୨୦ ଫୁଟ୍ ବ୍ୟାସ ବିଶିଷ୍ଟ ଏହି ମହାକାଶୀୟ ପିଣ୍ଡଟିର ଆକାର ଓ ବେଗ ଜ୍ୟୋତିର୍ବିଜ୍ଞାନୀମାନଙ୍କର ଦୃଷ୍ଟି ଆକର୍ଷଣ କରିଛି।
ଗତ ଜୁଲାଇ ୨୭ ତାରିଖରେ ଆଟ୍ଲାସ୍ ସ୍କାଏ ସର୍ଭେ ଦ୍ବାରା ଆବିଷ୍କୃତ ହେଲା ପରଠାରୁ ‘୨୦୨୪-ଓଏନ୍’ର ଗତିପଥକୁ ନିରନ୍ତର ଅନୁଧ୍ୟାନ କରାଯାଉଛି। ଏହା ଆସନ୍ତା ୧୫ ତାରିଖରେ ପୃଥିବୀର ନିକଟତମ ହେବ ବୋଲି ଆକଳନ କରାଯାଇଛି। ତେବେ ସେତେବେଳକୁ ତାହା ଭୂପୃଷ୍ଠରୁ ୬,୨୦,୦୦୦ ମାଇଲ୍ ଦୂରରେ ରହିଥିବ, ଯାହା ପୃଥିବୀ ଓ ଚନ୍ଦ୍ର ମଧ୍ୟରେ ଦୂରତାର ୨.୬ ଗୁଣ। ଏହି ଗ୍ରହାଣୁପିଣ୍ଡ ଘଣ୍ଟାକୁ ୨୫ ହଜାର ମାଇଲ୍ ବେଗରେ ଗତି କରୁଛି। ବର୍ତ୍ତମାନ ସୁଦ୍ଧା ଭୂପୃଷ୍ଠ ସହ ଏହା ଧକ୍କା ଖାଇବାର ସମ୍ଭାବନା କ୍ଷୀଣ ରହିଛି। ଏପରି ଗ୍ରହାଣୁପିଣ୍ଡର ଅଧ୍ୟୟନ କୋଟି କୋଟି ବର୍ଷ ତଳେ ଆମ ସୌରଜଗତର ସୃଷ୍ଟି ସମ୍ପର୍କରେ ଆଲୋକପାତ କରିପାରିବ ବୋଲି ଆଶା କରାଯାଏ।