ଉତ୍ତମ ଦାଦାଙ୍କ ପରିବାର ଆଉ ଆମ ପରିବାରର ସମ୍ପର୍କ ୪୦ ବର୍ଷର। ଏଇ ୪୦ ବର୍ଷର ଘନିଷ୍ଠ ସମ୍ପର୍କ ଭିତରେ ମୁଁ ଉତ୍ତମ ଦାଦାଙ୍କୁ ଯେତିକି ପାଖରୁ ଚିହ୍ନିଛି, ସେ ସମ୍ପର୍କରେ କିଛି ଲେଖୁଛି।
ମୋର ମନେ ଅଛି ୧୯୮୩ ମସିହାରେ ବ୍ରଜରାଜ ମୁଭିଜ୍ ବ୍ୟାନର୍ରେ ‘ଦଣ୍ଡାବାଳୁଙ୍ଗା’ ସିନେମାର ସୁଟିଂ ଆରମ୍ଭ ହେଉଥାଏ। ସେ ସିନେମାର ମୁଖ୍ୟ ନାୟକ ଓ ନାୟିକା ଥିଲେ ଉତ୍ତମ ଦା’ ଓ ଟିକି ଅପା। ସେତେବେଳେ କଳାକାରମାନେ ଆମ ଘରେ ରହୁଥିଲେ। ଉତ୍ତମ ଦା’, ସବ୍ୟସାଚୀ ମହାପାତ୍ର ଓ ଅରବିନ୍ଦ ଆମ ଘରର ତଳ ମହଲାରେ ରହୁଥିଲେ ଏବଂ ଟିକି ଅପା ଆମ ଘରର ଉପର ମହଲାରେ ରହୁଥିଲେ। ସୁଟିଂର ପ୍ରଥମ ଦିନରୁ ହିଁ ଉତ୍ତମ ଦାଦା ଓ ଟିକି ଅପା ଆମ ଘରର ସଦସ୍ୟ ହେଇଗଲେ। ସିନେମାର ୬୦ ଦିନର ସୁଟିଂ ସମୟରେ ଆମ ସମ୍ପର୍କ ଆହୁରି ଘନିଷ୍ଠ ହେଇଥିଲା ଏବଂ ସେମାନେ ଦୁଇ ଜଣ ହୋଇଗଲେ ‘ବ୍ରଜରାଜ ମୁଭିଜ୍’ର ପରମାନେଣ୍ଟ ଆର୍ଟିଷ୍ଟ୍। ଆଉ ଆମ ଘରର ଯେଉଁ ପ୍ରକୋଷ୍ଠରେ ଉତ୍ତମ ଦା’ ରହୁଥିଲେ ସେ ରୁମ୍ର ନା ହେଇଗଲା ଉତ୍ତମ ଦା’ ରୁମ୍। ସୁଟିଂ ପରେ ସେ ରୁମ୍ ବନ୍ଦ ହୋଇ ରହୁଥିଲା। ଯେତେବେଳେ ଉତ୍ତମ ଦା’ କଟକ ଆସୁଥିଲେ, ଆମ ଘରର ସେଇ ରୁମ୍ରେ ହିଁ ରହୁଥିଲେ। ଆଜିବି ସେ ରୁମ୍ର ନାଁ ଉତ୍ତମ ଦା’ ରୁମ୍ ହୋଇକି ଅଛି। ମୋର ମନେ ଅଛି ଆମେ ପୂରା ପରିବାର ୧୫/୨୦ଦିନ ପାଇଁ ବାହାରକୁ ଯାଇଥିଲୁ ସେତେବେଳେ ବାପା ଆମ ଘରର ଚାବି ସବୁକୁ ଉତ୍ତମ ଦା’ଙ୍କୁ ଦେଇଥିଲେ ଆଉ ଉତ୍ତମ ଦା’ ଆମେ ଫେରିବା ପର୍ଯ୍ୟନ୍ତ ଆମ ଘରେ ରହିଥିଲେ।
‘ଦଣ୍ଡାବାଳୁଙ୍ଗା’ ପରେ ‘ପକା କମ୍ବଳ ପୋତ ଛତା’, ‘ଯାହାକୁ ରଖିବେ ଅନନ୍ତ’, ‘ମା’, ‘ବାଦ୍ଶାହା’ , ‘ଯଶୋଦା’, ‘ମୋ କୋଳ ତୋ ଝୁଲଣା’ ,‘ଏ ଯୁଗର କୃଷ୍ଣ ସୁଦାମା’, ‘ପ୍ରେମୀ ନମ୍ବର ୱାନ୍’, ‘ପ୍ରେମ ଋତୁ ଆସିଲାରେ’, ‘ମୁଁ ତତେ ଲଭ୍ କରୁଛି’ ଓ ‘ରୋମିଓ ଦ ଲଭର୍ ବଏ’ ଆଦି ‘ବ୍ରଜରାଜ ମୁଭିଜ୍’ ବ୍ୟାନର୍ର ସିନେମାରେ ଉତ୍ତମ ଦା’ ଅଭିନୟ କରିଥିଲେ। ‘ବ୍ରଜରାଜ ମୁଭିଜ୍’ର ‘ଦଣ୍ଡାବାଳୁଙ୍ଗା’ ସିନେମାରେ ଉତ୍ତମ ଓ ଅପରାଜିତାଙ୍କ ପ୍ରେମ ପ୍ରସଙ୍ଗ ଆରମ୍ଭ ହୋଇଥିଲା ଓ ‘ଯାହାକୁ ରଖିବେ ଅନନ୍ତ’ ସିନେମାରେ ବିବାହ ହୋଇଥିଲା। ଆମେ ଉତ୍ତମ ଦା’ଙ୍କ ବରଯାତ୍ରୀରେ ଯାଇଥିଲୁ ଓ ଖୁବ୍ ନାଚି ବି ଥିଲୁ। ଆମରି ଆଖି ଆଗରେ ବାବୁଶାନ୍ ଜନ୍ମ ହୋଇଥିଲା। ସବୁଠୁ ବଡ଼ କଥା ହେଲା ସେଇ ‘ବ୍ରଜରାଜ ମୁଭିଜ୍’ ବାବୁଶାନ୍ଙ୍କୁ ହିରୋ ଭାବେ ୨୦୦୯ ମସିହାରେ ‘ରୋମିଓ ଦ ଲଭର୍ ବୟ’ ସିନେମା ଜରିଆରେ ପ୍ରଥମେ ପରଦାକୁ ଆଣିଥିଲା।
୨୦୧୧ ମସିହାରେ ବାପାଙ୍କ ମୃତ୍ୟୁ ପରେ ମୁଁ ଉତ୍ତମ ଦା’ଙ୍କୁ ମୋର ମୁରବି ହିସାବରେ ମାନି ନେଇଥିଲି। ଯେତେବେଳେ ମୁଁ କଟକ ଛାଡ଼ି ଭୁବନେଶ୍ୱରରେ ଆସି ରହିଲି ସେତେବେଳେ ଉତ୍ତମ ଦା’ଙ୍କ ସହିତ ମୋର ସମ୍ପର୍କ ଆହୁରି ନିବିଡ଼ ହେଲା। ଯେକୌଣସି କାମ କଲା ପୂର୍ବରୁ ମୁଁ ଉତ୍ତମ ଦା’ଙ୍କର ପରାମର୍ଶ ନେଉଥିଲି। ତାଙ୍କରି ପରାମର୍ଶରେ ମୁଁ ‘ବସନ୍ତ ନାୟକ ଫାଉଣ୍ଡେସନ୍’ ଖୋଲି ଓଡ଼ିଆ ସିନେଜଗତର ମହାରଥୀମାନଙ୍କୁ ୨୦୨୦ ମସିହାରୁ ବାପାଙ୍କ ଜନ୍ମ ଦିନ ଜାନୁଆରି ୧୬ ତାରିଖ ଦିନ ‘ବସନ୍ତ ନାୟକ ସମ୍ମାନ’ ର ପ୍ରଦାନ କରିଆସୁଛି। ସମୟକ୍ରମେ ଉତ୍ତମ ଦା’ଙ୍କର ଦେହ ଅସୁସ୍ଥ ହେଲା ପରେ ସେ ଅଭିନୟରୁ ଦୂରେଇଗଲେ ଏବଂ ପତ୍ନୀ ଟିକି ଅପା, ପୁଅ ବାବୁଶାନ୍, ବୋହୁ ତୃପ୍ତି ଓ ନାତି ଗୁହାନ ସହ ଜୀବନର ଆନନ୍ଦ ଉପଭୋଗ କରିବାକୁ ଲାଗିଲେ।
ମୋର ଉତ୍ତମ ଦା’ଙ୍କ ସହିତ ୪୦ ବର୍ଷର ସମ୍ପର୍କ ଭିତରେ ମୁଁ ତାଙ୍କୁ ଯେତିକି ଜାଣିଛି ସିଏ ହେଉଛନ୍ତି ଓଡ଼ିଆ ଚଳଚ୍ଚିତ୍ର ଜଗତର ପ୍ରଥମ ଓ ଶେଷ ସୁପରଷ୍ଟାର। ତାଙ୍କ ପରି ଦୟାଳୁ ଓ ପରୋପକାରୀ ମଣିଷ ଓଡ଼ିଆ ସିନେଜଗତରେ କେହି ନାହାନ୍ତି। ମୁଁ ଜାଣିବାରେ ଉତ୍ତମ ଦା’ଙ୍କର ଜଣେ କେହି ଶତ୍ରୁ ନ ଥିଲେ। ସେ ସମସ୍ତଙ୍କୁ ସ୍ନେହରେ ବାନ୍ଧିୁ ରଖୁଥିଲେ। ନିଜ କଥାରେ ଲୋକଙ୍କର ମନ ଜିଣି ନେଉଥିଲେ। ସେ ଥିଲେ ଅପ୍ରତିଦ୍ବନ୍ଦ୍ବୀ ଅଭିନେତା। ସେ ବାପାଙ୍କୁ ନିଜ ବଡ଼ ଭାଇ ଭଳି ବହୁତ ଭଲ ପାଉଥିଲେ। ଇଣ୍ଡଷ୍ଟ୍ରିର ସବୁ ଲୋକ ବାପାଙ୍କୁ ‘ବସନ୍ତ ବାବୁ’ ଡାକୁଥିଲା ବେଳେ କେବଳ ଉତ୍ତମ ଦା’ ଓ ଟିକି ଅପା ବାପାଙ୍କୁ ତାଙ୍କର ଡାକ ନାମରେ ‘କାଲୁ ଭାଇ’ ବୋଲି ଡାକୁଥିଲେ। ଆଉ କେହି ବାପାଙ୍କୁ କାଲୁ ଭାଇ ଡାକିବାର ମୁଁ କେବେ ଶୁଣିନି। ବାପାଙ୍କର ମୃତ୍ୟୁ ପରେ ଉତ୍ତମ ଦା’ ଆମ କଟକ ହରିପୁର ଘରକୁ ଯିବା ବନ୍ଦ କରି।ଦେଇଥିଲେ। ମୁଁ ଯେବେ ବି ପଚାରିଛି କାହିଁକି ଅାମ କଟକ ଘରକୁ ଆସୁନାହାନ୍ତି ବୋଲି ସେ ମୋତେ ଗୋଟିଏ ଉତ୍ତର ଦେଉଥିଲେ, ‘କଟକ ଗଲେ ମୋତେ କାଲୁ ଭାଇ କଥା ମନେ ପଡୁଛି। ମୋତେ ଲାଗୁଛି ଯେମିତି କାଲୁ ଭାଇ ମୋତେ ହାତ ଠାରି ଡାକୁଛି।’ ଯେଉଁ କାଲୁ ଭାଇଙ୍କୁ ସେ ଜୀବନ ଦେଇ ଭଲ ପାଉଥିଲେ ସେଇ କାଲୁ ଭାଇ ପ୍ରତି ଉତ୍ସର୍ଗୀକୃତ ‘ବସନ୍ତ ନାୟକ ସମ୍ମାନ-୨୦୨୪ ’ରେ ଉତ୍ତମ ମହାନ୍ତି ସମ୍ମାନିତ ହୋଇଥିଲେ।
ଏହା ଥିଲା ତାଙ୍କ ଜୀବନର ଶେଷ ମଞ୍ଚ ସମ୍ମାନ। ‘ବସନ୍ତ ନାୟକ ସମ୍ମାନ-୨୦୨୫’ କାହାକୁ ଦିଆଯିବ ବୋଲି ଆମେ ଦ୍ବନ୍ଦ୍ବରେ ଥିବା ବେଳେ ଉତ୍ତମ ଦା’ ଏହି ସମ୍ମାନ ପାଇଁ ବିଶିଷ୍ଟ ହାସ୍ୟାଭିନେତା ଜୟୀରାମ ସାମଲଙ୍କୁ ପ୍ରଦାନ ନିମନ୍ତେ ପରାମର୍ଶ ଦେଇଥିଲେ। ୨୦୨୫ ମସିହା ବାପାଙ୍କ ଜନ୍ମଦିନ ପାଇଁ ୧୬ ଜାନୁଆରିରେ ଭୁବନେଶ୍ବରସ୍ଥିତ ଜୟଦେବ ଭବନ କାର୍ଯ୍ୟକ୍ରମରେ ଉତ୍ତମ ଦା’ଙ୍କୁ ଯୋଗ ଦେବାକୁ ମୁଁ ତାଙ୍କ ଘରକୁ ଯାଇ ଅନୁରୋଧ କରିଥିଲି। ସେତେବେଳେ ଟିକି ଅପା ଉତ୍ତମ ଦା’ ଅସୁସ୍ଥ ଥିବା କାରଣରୁ ଯାଇପାରିବେ ନାହିଁ ବୋଲି ମନା କରିଥିଲେ। କିନ୍ତୁ ଏତେ ଅସୁସ୍ଥ ଥାଇ ମଧ୍ୟ ଉତ୍ତମ ଦା’ ବାପାଙ୍କ ଜନ୍ମଦିନକୁ ଆସିଥିଲେ ଓ ଜୟୀ ଭାଇଙ୍କୁ ‘ବସନ୍ତ ନାୟକ ସମ୍ମାନ-୨୦୨୫’ରେ ସମ୍ମାନିତ କରିଥିଲେ। ଉତ୍ତମ ଦା’ଙ୍କ ବିୟୋଗରେ ଆମ ସିନେଜଗତର ଅପୂରଣୀୟ କ୍ଷତି ହେଲା। କିନ୍ତୁ ଏତିକି କହିବି ଉତ୍ତମ ଦା’ଙ୍କର ସାମ୍ରାଜ୍ୟକୁ ତାଙ୍କର ସୁଯୋଗ୍ୟ ପୁତ୍ର ବାବୁଶାନ୍ ଆଗେଇ ନେବେ। ଆଉ ଓଡ଼ିଶାର ଶାନ୍ ବାବୁଶାନ୍ ମାଧ୍ୟମରେ ଚଳଚ୍ଚିତ୍ର ପ୍ରେମୀ ଓ ଦର୍ଶକମାନେ ତାଙ୍କ ଅତି ପ୍ରିୟ ଦଣ୍ଡାବାଳୁଙ୍ଗାଙ୍କୁ ଦେଖିବାକୁ ପାଇବେ...। ସୋ ମଷ୍ଟ ଗୋ ଅନ୍...।