ମୁଁଆଉ ମୋର ତିନିଜଣ ସାଙ୍ଗ ଭୁବନେଶ୍ୱରର ଏକ ରେସ୍ତୋରାଁରେ ବସିଥିଲୁ। ୨୦୧୭ ଫେବ୍ରୁଆରିରେ ଅନେକ ଦିନ ପରେ ଆମର ଦେଖା ହୋଇଥିଲା। କାହା ପାଟିରେ ବାଟୁଳି ବାଜୁ ନ ଥିଲା। ସେଇ ଭିତରେ ମୋ ସାଙ୍ଗ ପ୍ରୀତିର ହ୍ୱାଟ୍ସ୍ଆପ୍ରେ ମେସେଜ୍ ଆସିଲା। ମେସେଜ୍ ପଢ଼ିଲା ବେଳକୁ ତା’ ମୁହଁରୁ ହସ ଲିଭି ଯାଉଥାଏ। ଆମେ ପଚାରିଲୁ, “କ’ଣ ହେଲା?” ଫୋନ୍ଟିକୁ ଟେବୁଲ୍ ଉପରେ କଚିଦେଇ କହିଲା, “ସେଇ ଫାଲ୍ତୁ ଲୋକଟା ଆମ ଘରକୁ ଆସିଛି। ଭଲ ହେଇଛି, ମୁଁ ନାହିଁ। ମୋ ସାମ୍ନାକୁ ସେ ଆସିଥିଲେ କ’ଣ କରିଥାନ୍ତି ମୁଁ ନିଜେ ବି ଜାଣିନି।” ରାଗରେ ସେ ଥରୁଥାଏ। ଆମେମାନେ କିଛି ବୁଝିପାରୁ ନ ଥାଉ।
ତୋ’ର କ’ଣ ହେଲା? କାହା କଥା କହୁଛୁ?
କିଛି ମୁହୂର୍ତ୍ତ ପାଇଁ ସେ ଚୁପ୍ ରହିଲା। ତା’ ଆଖି ଛଳଛଳ ହୋଇଗଲା। ଜଣେ ସମ୍ପର୍କୀୟ ଦାଦାଙ୍କ କଥା କହୁଛି। ମୁଁ ଯେତେବେଳେ ଆଠ ବର୍ଷର ଥିଲି, ସେ ପ୍ରାୟ ଆମ ଘରକୁ ଆସୁଥିଲା। ମୋତେ ଭାରି ସ୍ନେହ କରୁଥିଲା। କୋଳରେ ବସାଇ ଗପ ଶୁଣାଉଥିଲା। ସେମିତି ଦିନେ ତା’ କୋଳରେ ବସି ଟିଭି ଦେଖିଲା ବେଳେ ମୋ ଗାଲ ଚିପି, ଗାଲରେ ଗେଲ କଲା। ଆଖପାଖରେ କେହି ନ ଥାନ୍ତି। ମୋ ମୁହଁକୁ ତା’ ଆଡ଼କୁ ବୁଲେଇ ମୋ ଓଠରେ ଗେଲ କଲା। ବାରମ୍ବାର ଗେଲ କଲା। ତା’ପରେ ମୋ ହାତକୁ ନେଇ...
ପ୍ରୀତିର ମୁହଁ ପାଉଁଶିଆ ଦିଶୁଥିଲା। ଆଖିରେ ଆଉ ଲୁହ ନ ଥିଲା। ଥିଲା ଭୀଷଣ କ୍ରୋଧ ଆଉ ଘୃଣା। ଆମେ ତିନି ଜଣ ମୂକ ପାଲଟି ଯାଇଥିଲୁ। କିଛି ପ୍ରତିକ୍ରିୟା ଦେବା ପୂର୍ବରୁ ଆମ ମନର ପ୍ରଶ୍ନକୁ ଶୁଣିପାରିଲା ଭଳି ପ୍ରୀତି କହିଲା, “ତା’ପରେ ଆଉ କିଛି ନାହିଁ। କହିଲା, ମାମାକୁ କି କାହାକୁ ବି କିଛି କହିବୁନି। ମୋତେ ବୁଝାଇଦେଲା, ଏଇଟା ଆମ ସିକ୍ରେଟ୍। ପକେଟ୍ରୁ ବାହାର କରି ମୋତେ ଗୋଟିଏ ଚକ୍ଲେଟ୍ ଦେଲା। ଏଭଳି ଅନେକ ଦିନ ଚାଲିଲା। ମୋ ସହିତ କ’ଣ ଘଟୁଛି, ତାହା ବୁଝିବାକୁ ମୁଁ ବହୁତ ଛୋଟ ଥିଲି। ମୁଁ ତା’ ଉପସ୍ଥିତିକୁ ଭୟ କରିବାକୁ ଲାଗିଲି। ତାକୁ ଦେଖିଲା ମାତ୍ରେ କିଛି ନା କିଛି ବାହାନା କରି ଲୁଚିଲି। ବହୁଦିନ ପର୍ଯ୍ୟନ୍ତ ନିଜ ଭିତରେ ଏସବୁ ଯନ୍ତ୍ରଣା, ଦ୍ବନ୍ଦ୍ବ, ଡର ଚାପିରଖିଲି। ଦିନେ ସେ ଘରକୁ ଆସିଲା ଓ ମାମାକୁ କହିଲା, ‘ଭାଉଜ, ଏଇ ପଛପଟେ ନୂଆ ପାର୍କଟେ ଖୋଲିଛି। ପିଲାଙ୍କ ପାଇଁ ଦୋଳି, ଖସଡ଼ା ସବୁ ଅଛି। ମୁଁ ଝିଅକୁ ନେଇ ଟିକେ ବୁଲେଇ ଆଣୁଛି।’ ମାମା ମୋତେ ଯେତେବେଳେ ଏକଥା ଆସି କହିଲା, ମୁଁ ଭୋ ଭୋ ହୋଇ କାନ୍ଦିଲି। ଆଉ ସମ୍ଭାଳି ନ ପାରି ମାମାକୁ ସବୁକଥା କହିଦେଲି। ମାମା ଗମ୍ଭୀର ହୋଇଗଲା। ତାକୁ ଯାଇ ମୋ ଦେହ ଭଲ ନାହିଁ ବୋଲି କହିଦେଲା। ସେ ଚାଲିଗଲା ପରେ ମୋତେ କୋଳରେ ବସାଇ ଶାନ୍ତ କରାଇଲା। ମତେ ବୁଝାଇଦେଲା, ସେ ଆସିଲେ କେବେ ତା’ ପାଖକୁ ଯିବୁନି। ଆଉ ଏସବୁ କଥା କାହାକୁ କହିବୁନି। ଧୀରେଧୀରେ ଆମ ଘରକୁ ତାର ଆସିବା କମିଗଲା। କିଛି ଦିନ ପରେ ସେ ଚାକିରି ପାଇଁ ଜର୍ମାନୀ ଚାଲିଗଲା। ସେ ସିନା ଚାଲିଗଲା, ସେଇ ଭୟଙ୍କର ଅନୁଭୂତି ମତେ ଛାଡ଼ିଗଲା ନାହିଁ। ଆଜି ୨୦ ବର୍ଷ ପରେ ସେ ପୁଣି ଥରେ ଘରକୁ ଆସିଛି।’’
କିଛି ସମୟର ନିରବତା ପରେ ଦୀପା ତା’ର ପିଲାଦିନେ ଘଟିଥିବା କଥା କହିଲା। ସେ ଥିଲା ତା’ ନିଜ ମଉସା। ରିମା ପାଇଁ ସେ ଥିଲା ତା’ ବାପାଙ୍କର ଜଣେ ସାଙ୍ଗ। ମୋ ପାଇଁ ସେ ଥିଲା ଆମ ଘରକୁ ମତେ ପଢ଼ାଇବାକୁ ଆସୁଥିବା ଜଣେ ଟ୍ୟୁସନ୍ ସାର୍। ଏତେ ଅନ୍ତରଙ୍ଗ ହୋଇ ବି ଆମେ କେହି ଦିନେ କାହା ସହ ଏ ବିଷୟରେ ଆଲୋଚନା କରି ନ ଥିଲୁ। ସେଦିନ ଲାଗିଲା ଯେମିତି ଆମ ଛାତିରେ ଲଦା ହେଇଥିବା ଗୋଟେ ବିରାଟ ବୋଝ ଉତୁରିଗଲା। ହେଲେ ଆଉ ଗୋଟିଏ କଥା ମତେ ଖୁବ୍ ଆନ୍ଦୋଳିତ କଲା। ଆମେ ଟେବୁଲ୍ରେ ବସିଥିଲୁ ଚାରିଜଣ। ସମସ୍ତଙ୍କର ସମାନ କାହାଣୀ। ସେଦିନ ବୋଧହୁଏ ପ୍ରମାଣ ହେଇଗଲା, ଯେଉଁ ଯୌନ ନିର୍ଯାତନାକୁ, ଅସାଧାରଣ ଭାବି କେହି ଖୋଲା ଆଲୋଚନା କରନ୍ତି ନାହିଁ, ତାହା ପ୍ରକୃତରେ ଘରେଘରେ ଘଟୁଥିବା ଅତି ସାଧାରଣ ଘଟଣା। ଏହା ମତେ ଗଭୀର ଭାବରେ ପ୍ରଭାବିତ କରିଥିଲା।
୨୦୧୭ ମାର୍ଚ୍ଚ ୮ ତାରିଖ; ଅନ୍ତର୍ଜାତୀୟ ମହିଳା ଦିବସ ଦିନ ଭୁବନେଶ୍ୱରର ମେ’ଫେୟାର୍ ହୋଟେଲ୍ରେ ମୁଁ ‘ଅନ୍ଜିପ୍’ ନାମକ ଏକ କାର୍ଯ୍ୟକ୍ରମ ଆୟୋଜନ କରିଥିଲି। ଏହା ଥିଲା ମହିଳାମାନଙ୍କ ପାଇଁ ଏକ ଖୋଲାମଞ୍ଚ। ଏଭଳି ମଞ୍ଚ, ଯେଉଁଠି ମହିଳାମାନେ ଲଜ୍ଜା, ଚାପ ବା କୌଣସି କାରଣ ପାଇଁ ମନ ଭିତରେ ଦବାଇ ରଖିଥିବା ଘଟଣା ପରିପ୍ରକାଶ କରି ନିଜକୁ ହାଲୁକା କରିପାରିବେ। ଅନେେକ ମତେ କହିଲେ, “ଏସବୁ କଥା କ’ଣ ଦାଣ୍ଡରେ କହି ହୁଏ? କେହି ଆସିବେନି।” ସେଦିନ ସନ୍ଧ୍ୟାରେ ୬୭ ଜଣ ସାହସିନୀ ମହିଳା ସେହି ଖୋଲାମଞ୍ଚରେ ଭାଗ ନେଇଥିଲେ। ପଡ଼ିଶା ଘର, ସ୍କୁଲ୍, ଅଫିସ୍, ସିନେମା ହଲ୍, ବସ୍, ଏମିତିକି ନିଜ ଘର। ସହକର୍ମୀ, ସାଙ୍ଗ, ଶିକ୍ଷକ, ସମ୍ପର୍କୀୟ, ଏମିତିକି ନିଜ ଘର ଭିତରେ ରହୁଥିବା ଲୋକ। ବକ୍ତା ଭିନ୍ନ, ହେଲେ କାହାଣୀ ସମାନ। ୬୬ ଜଣ କହି ସାରିଥିଲେ। ସବା ପଛ ଧାଡ଼ିରେ ବସିଥିବା ନୀଳ ରଙ୍ଗର ଜିନ୍ସ, ଧଳା ସାର୍ଟପିନ୍ଧା ଝିଅଟିଏ ମୋ ପାଖକୁ ଆସି କହିଲା, “ମୁଁ ଆପଣଙ୍କୁ ଧନ୍ୟବାଦ ଜଣାଇବାକୁ ଚାହୁଁଛି। ଏଠାରେ ଉପସ୍ଥିତ ସମସ୍ତ ମହିଳା ସମସ୍ତଙ୍କ ପାଇଁ ଅପରିଚିତ ହେଲେ ବି ସମଅନୁଭୂତି ସମସ୍ତଙ୍କୁ ଭଗ୍ନିତ୍ବ ଡୋରରେ ଯୋଡ଼ି ଦେଇଛି। ମୁଁ ଏଠିକି ଆସିଥିଲି ମୋ କଥା କହିବା ପାଇଁ। ହେଲେ ସାହସ ଜୁଟାଇ ପାରୁ ନ ଥିଲି। ତିନି ଘଣ୍ଟା ଧରି ସମସ୍ତଙ୍କ କାହାଣୀ ଶୁଣିଲା ପରେ ମୁଁ ନିଶ୍ଚିତ ଯେ, ମୋ ସହ ଯାହା ଘଟିଛି ସେଥିପାଇଁ ମୁଁ ଦାୟୀ ନୁହେଁ। ସେଥିରେ ମୋର ଦୋଷ ନାହିଁ। ମୋର ଲଜ୍ଜା କରିବାର କୌଣସି କାରଣ ନାହିଁ। ମୋ କଥା କହିବା ପାଇଁ ମୁଁ ଏବେ ପ୍ରସ୍ତୁତ।”
ତନୟା ପଟ୍ଟନାୟକ
ସଂପାଦକ