କେଉଁ ସହର ଆଇଟି କମ୍ପାନିରେ ସଜେଇ ହୋଇଛି ତ’ ପୁଣି କେଉଁଠି ମାଳମାଳ ଫିଲ୍ମ ଷ୍ଟୁଡିଓ। କିଏ ଶିଳ୍ପ ପ୍ରଦୂଷଣରେ ଅଣନିଃଶ୍ବାସୀ ତ’ ପୁଣି କିଏ ବହୁ କାଳର ଇତିହାସକୁ ସାଇତି ରଖିଛି। କିନ୍ତୁ, କାଳିଆ ରଜାର ରାଇଜ ‘ଓଡ଼ିଶା’ର ରାଜଧାନୀ ‘ଭୁବନେଶ୍ବର’ ସହର ସମସ୍ତଙ୍କଠାରୁ ଭିନ୍ନ ଓ ନିଆରା। ‘ମନ୍ଦିର’ ଏହାର ସ୍ବାତନ୍ତ୍ରୢ। ଏଠାରେ ଆଧୁନିକତା ସହ ରହିଛି ପ୍ରାଚୀନ ଐତିହ୍ୟର ଛାପ। ମନ୍ଦିରକୁ ମାଳ କରି ଧାରଣ କରିଛି ଏହି ସହର। ଏଣୁ ରାଜଧାନୀ ଭୁବନେଶ୍ବର ‘ମନ୍ଦିରମାଳିନୀ ସହର’ ଭାବେ ବେଶ୍ ଜଣାଶୁଣା। ଏଠାରେ ପାଦ ପାଦରେ ମନ୍ଦିରର ଉପସ୍ଥିତି; ଉତ୍କଳୀୟ କଳା, କାରୁକାର୍ଯ୍ୟ ଓ ଭକ୍ତିବତ୍ସଳତାର ପ୍ରମାଣ ଦିଏ। ଏଠାରେ ରହିଛି ୭୦୦ରୁ ଅଧିକ ମନ୍ଦିର। ହେଲେ ଏତେ ମନ୍ଦିର ଭିତରେ କେଉଁ ମନ୍ଦିର ସର୍ବପୁରାତନ? କେଉଁ ମନ୍ଦିର ସବୁଠାରୁ ପ୍ରଥମେ ନିର୍ମାଣ ହୋଇଛି ଏବଂ ଏବେ ଏହାର ସ୍ଥିତି କ’ଣ?
ଆସନ୍ତୁ ବିଶ୍ବ ଐତିହ୍ୟ ଦିବସ ଅବସରରେ ଆମ ଇତିହାସକୁ ଯାଇ, ଏହାର ଉତ୍ତର ଖୋଜିବା...
ସସ୍ମିତା ସାହୁ
ଓଡ଼ିଶାର ଇତିହାସ ବେଶ୍ ପ୍ରାଚୀନ। ଏହାର ରାଜଧାନୀ ଭୁବନେଶ୍ବର ଐତିହ୍ୟ ସହ ପୁରାଣ ଓ ଇତିହାସକୁ ବି ଧରିରଖିଛି। ଏଠାରେ ଇତିହାସ ଯେତିକି ପ୍ରାଚୀନ, ଲୋକକଥା ବି ସେତିକି ରୋଚକ। ତେବେ ପାଖାପାଖି ଷଷ୍ଠ ବା ସପ୍ତମ ଶତାଦ୍ଦୀ ଆଡ଼କୁ ରାଜଧାନୀର ପ୍ରଥମ ମନ୍ଦିର ନିର୍ମାଣ ହୋଇଥିବା ବିଶ୍ବାସ କରାଯାଏ। ଏବେର ଗଙ୍ଗୁଆ ନଈ ବା ସେ ସମୟର ଗନ୍ଧବତୀ ନଦୀ ନିକଟରେ ହିଁ ପ୍ରଥମ ମନ୍ଦିର ନିର୍ମାଣ ହୋଇଥିବା ବିଶ୍ବାସ କରାଯାଏ। ଏକାମ୍ର କ୍ଷେତ୍ରରେ ଥିବା ଲକ୍ଷ୍ମଣେଶ୍ବର, ଭରତେଶ୍ବର ଓ ଶତ୍ରୁଘ୍ନେଶ୍ବର ମନ୍ଦିରକୁ ରାଜଧାନୀର ପ୍ରଥମ ତଥା ସର୍ବପ୍ରାଚୀନ ମନ୍ଦିର ବୋଲି ଐତିହାସିକମାନେ ମତ ଦିଅନ୍ତି। ଏଥିରେ ରହିଛି ଉତ୍କଳୀୟ ସ୍ଥାପତ୍ୟ କଳାର ନିଖୁଣ କାରିଗରୀ, ଯାହାକି କାଳଗର୍ଭରେ ବିଲୀନ ହେବାକୁ ବସିଥିବା ଇତିହାସ ଓ ଐତିହ୍ୟକୁ ଆମ ଆଗରେ ଉପସ୍ଥାପିତ କରିଚାଲିଛି। ତେବେ କିଛି ସଂସ୍କୃତିବିତ୍ ‘ମା’ ଶିଖରଚଣ୍ଡୀ ମନ୍ଦିର’କୁ ରାଜଧାନୀର ପ୍ରଥମ ମନ୍ଦିର ଭାବେ ଅଭିହିତ କରନ୍ତି। ଉତ୍କଳରେ ଦେବୀ ଉପାସନାର ପରମ୍ପରା ଆରମ୍ଭ ହେବା ସହ ପ୍ରାୟ ୬ଷ୍ଠ ଶତାବ୍ଦୀ ଆଡ଼କୁ ଏହି ମନ୍ଦିର ପ୍ରତିଷ୍ଠା ହୋଇଥିବା ସେମାନଙ୍କର ବିଶ୍ବାସ।
ରେଖ ଦେଉଳ ଶୈଳୀରେ ତିନି ମନ୍ଦିର
ଐତିହାସିକ ଅନିଲ ଧୀର କହିଛନ୍ତି, କଳିଙ୍ଗ ଶିଳ୍ପଶାସ୍ତ୍ରରେ ୩ ପ୍ରକାର ମନ୍ଦିରର ବିବରଣୀ ରହିଛି। ଯଥା, ରେଖ ଦେଉଳ, ପୀଢ଼ ଦେଉଳ ତଥା ଖାକରା ଦେଉଳ। ଏହି ମନ୍ଦିର ନିର୍ମାଣର କ୍ରମବିକାଶ ଧାରାର ପ୍ରାଥମିକ ମନ୍ଦିର ରୂପେ ଲକ୍ଷ୍ମଣେଶ୍ବର, ଭରତେଶ୍ବର ଓ ଶତ୍ରୁଘ୍ନେଶ୍ବର ଆଦି ମନ୍ଦିର ‘ରେଖ ଦେଉଳ ଶୈଳୀ’ରେ ନିର୍ମିତ େହାଇଛି। ‘ରେଖ ଦେଉଳ ଶୈଳୀ’ର ମନ୍ଦିରର ପ୍ରବେଶ ଦ୍ବାର ଛୋଟ ହୋଇଥିବା ବେଳେ ଏହାର ଶିଖରରେ ଅମଳା ରହିଥାଏ। ଏହି ନିର୍ମାଣଶୈଳୀ ହେଉଛି ମନ୍ଦିର ନିର୍ମାଣଶୈଳୀରେ ସର୍ବପ୍ରଥମ ଓ ସର୍ବପୁରାତନ। ଏହିସବୁ ମନ୍ଦିର ଭାସ୍କର୍ଯ୍ୟରେ ପାଶୁପତ ଶୈବଧର୍ମର ପ୍ରଭାବ ପ୍ରତିଫଳିତ ହୋଇଛି। ଉତ୍କଳୀୟ ମନ୍ଦିର ସ୍ଥାପତ୍ୟର କ୍ରମବିକାଶ ପ୍ରକ୍ରିୟାରେ ନିର୍ମିତ ଏହି ମନ୍ଦିରମାନ ଏବେ ବି ଦଣ୍ଡାୟମାନ। ତେବେ ରାମାୟଣ ମହାକାବ୍ୟର ୪ ଭାଇଙ୍କ ଶୃଙ୍ଖଳରେ ନିର୍ମିତ ଏହି ୪ ମନ୍ଦିରରୁ ରାମେଶ୍ବର ମନ୍ଦିରକୁ ପରବର୍ତ୍ତୀ ସମୟରେ ଭାଙ୍ଗି ୯ମ ଶତାଦ୍ଦୀ ଆଡ଼କୁ ବର୍ତ୍ତମାନ ବିଦ୍ୟମାନ ମନ୍ଦିରଟି ନିର୍ମିତ ହୋଇଥିଲା। ଏବେ ଏହା ଲିଙ୍ଗରାଜଙ୍କ ମାଉସୀ ମା’ ମନ୍ଦିର ଭାବେ ଜଣାଶୁଣା ହୋଇଥିବା ବେଳେ ରୁକୁଣା ରଥଯାତ୍ରା ସମୟରେ ଲିଙ୍ଗରାଜଙ୍କ ରଥ ୪ ଦିନ ଏଠାରେ ରହିଥାଏ। ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କର ଅଶୋକାଷ୍ଟମୀ ରଥଯାତ୍ରା ସମୟରେ ଲକ୍ଷ୍ମଣେଶ୍ବର, ଭରତେଶ୍ବର ଓ ଶତ୍ରୁଘ୍ନେଶ୍ବର ଆଦି ମନ୍ଦିରମାନଙ୍କୁ ବହୁ ଶ୍ରଦ୍ଧାଳୁ ଆସିଥା’ନ୍ତି।
ସାରଳା ମହାଭାରତର ବନପର୍ବରେ ଉଲ୍ଲେଖ ଅଛି, ପାଣ୍ଡବମାନେ ସେମାନଙ୍କର ବନବାସ କାଳରେ ଗନ୍ଧବତୀ ନଦୀ (ଗଙ୍ଗୁଆ) କୂଳସ୍ଥ ଏକାମ୍ର କ୍ଷେତ୍ରରେ କିଛି ଦିନ ଅବସ୍ଥାନ କରିଥିଲେ। ମାଟିର କବି ସାରଳାଙ୍କ ବର୍ଣ୍ଣନା ଅନୁସାରେ, ଏଠାରେ ପଞ୍ଚୁ ପାଣ୍ଡବ ଶିବ ପୂଜନ କରିଥିଲେ। ତ୍ରେତୟା ଯୁଗରେ ଭଗବାନ ଶ୍ରୀରାମ, ଲକ୍ଷ୍ମଣ ଓ ମାତା ସୀତା ଏଠାରେ ବନବାସର କିଛି ଦିନ କାଟିଥିବା ବିଶ୍ବାସ ରହିଛି। ପାଣ୍ଡବମାନେ ଏଠାରେ ଶିବ ପୂଜନ କରିଥିବାରୁ ରାମାୟଣର ମହାନାୟକ ୪ ଦଶରଥ ନନ୍ଦନଙ୍କ ସ୍ମରଣେ ରାମେଶ୍ବର, ଲକ୍ଷ୍ମଣେଶ୍ବର, ଭରତେଶ୍ବର ଓ ଶତ୍ରୁଘ୍ନେଶ୍ବର ଆଦି ମନ୍ଦିର ନିର୍ମିତ ହୋଇଥିବା ବିଶ୍ବାସ କରାଯାଏ। ତେବେ ପାଣ୍ଡବମାନେ ଏଠାକୁ ଆସିଥିବା ବିଶ୍ବାସ ଥିବାରୁ ସେମାନଙ୍କ ନାମାନୁସାରେ ‘ପଞ୍ଚୁ ପାଣ୍ଡବ ମନ୍ଦିର’ ଓ ‘ଭୀମେଶ୍ବର ମନ୍ଦିର’ ଆଦି ପ୍ରାଚୀନ କୀର୍ତ୍ତି ମଧ୍ୟ ଦେଖିବାକୁ ମିଳେ। ଏହା ହେଲା ପୁରାଣ କଥା। ଆସନ୍ତୁ, ଇତିହାସକୁ ବି ଟିକେ ତର୍ଜମା କରିନେବା...
ଷଷ୍ଠ ଶତାବ୍ଦୀରେ ‘ଶୈଳୋଦ୍ଭବ ବଂଶ’ର ରାଜା ନିର୍ମାଣ କରିଥିଲେ ଏହି ୩ ମନ୍ଦିର
ବିଶିଷ୍ଟ ସଂସ୍କୃତିବିତ୍ ଗୋଲକବିହାରୀ ସିଂହ କହିଛନ୍ତି, ଐତିହାସିକମାନଙ୍କ ମତରେ ବୌଦ୍ଧ ଓ ଜୈନ ସଂସ୍କୃତିର ଅବକ୍ଷୟ ହୋଇ ଆସୁଥିବା ସମୟରେ ଷଷ୍ଠ ଶତାଦ୍ଦୀରେ ବିଭିନ୍ନ ରାଜବଂଶର ହିନ୍ଦୁ ଧର୍ମାବଲମ୍ବୀ ରାଜାମାନଙ୍କ ଦ୍ବାରା ‘ଦେବୀ ଉପାସନା’ ଆରମ୍ଭ ହୋଇଥିଲା। ଏହି ଦେବୀ ଉପାସନାର ଫଳସ୍ବରୂପ ପାହାଡ଼ ଉପରେ ଦେବୀଙ୍କ ସ୍ଥଳୀ ନିର୍ମାଣ କରାଯାଇଥିଲା। ଏହି ମନ୍ଦିର ମା’ ଶିଖରଚଣ୍ଡୀଙ୍କ ମନ୍ଦିର ଭାବେ ପରିଚିତ ହୋଇଥିଲା। ପାହାଡ଼ ପାଦଦେଶ ଦେଇ ବହି ଯାଉଥିବା ଗନ୍ଧବତୀ ନଦୀର ପ୍ରାରମ୍ଭରେ ଦେବୀ ଶିଖରଚଣ୍ଡୀ ପୂଜା ପାଉଥିଲେ। ଏହି ନଦୀ ପ୍ରବାହିତ ହେଉଥିବା ରାମେଶ୍ବର ଜଙ୍ଗଲର ମଧ୍ୟସ୍ଥଳୀରେ ‘ରାମେଶ୍ବର’, ‘ଲକ୍ଷ୍ମଣେଶ୍ବର’, ‘ଭରତେଶ୍ବର’ ଓ ‘ଶତ୍ରୁଘ୍ନେଶ୍ବର’ ଆଦି ମନ୍ଦିର ନିର୍ମିତ ହୋଇଥିଲା। ‘ଶୈଳୋଦ୍ଭବ ବଂଶ’ର ରାଜାମାନଙ୍କ ଶାସନ କାଳରେ ପାଖାପାଖି ୬ଷ୍ଠ ଶତାଦ୍ଦୀରେ ଏହି ମନ୍ଦିରଗୁଡ଼ିକ ନିର୍ମିତ ହୋଇଥିବାର ପ୍ରତ୍ନତାତ୍ତ୍ବିକ ପ୍ରମାଣ ମିଳିଥାଏ। ଏକାମ୍ର ପୁରାଣ, ଏକାମ୍ର ଚନ୍ଦ୍ରିକା ତଥା ସ୍ବର୍ଣ୍ଣାଦି ମହୋଦୟ ଓ କପିଳ ସଂହିତା ଆଦି ରଚନାରେ ଏହି ମନ୍ଦିରମାନଙ୍କର ବିବରଣୀ ମିଳିଥାଏ। ମନ୍ଦିରମୟୀ ନଗରୀ ଭୁବନେଶ୍ବରର ଏହି ମନ୍ଦିର ସବୁ ପ୍ରାଚୀନତମ ମନ୍ଦିର।
ରାଜ୍ୟ ପ୍ରତ୍ନତତ୍ତ୍ବ ବିଭାଗ କରୁଛି ସଂରକ୍ଷଣ
ଓଡ଼ିଶା ରାଜ୍ୟ ପ୍ରତ୍ନତତ୍ତ୍ବ ବିଭାଗର ଅଧୀକ୍ଷକ ଅଶ୍ବିନୀ ଶତପଥୀ କହିଛନ୍ତି, ଏହି ତିନି ମନ୍ଦିର ରାଜ୍ୟ ସଂରକ୍ଷିତ କୀର୍ତ୍ତିରାଜିରେ ରହିଛି। ମନ୍ଦିରଗୁଡ଼ିକ ବହୁ ପ୍ରାଚୀନ ଓ ଐତିହ୍ୟର ବାହାକ ହୋଇଥିବାରୁ ଏହାର ନବୀକରଣ ସମ୍ଭବ ନୁହେଁ। କିନ୍ତୁ ଏହାକୁ ଆମେ ସଂରକ୍ଷିତ କରିବାକୁ ସମସ୍ତ ପ୍ରୟାସ କରିଛୁ। ସମୟ ସମୟରେ କେମିକାଲ୍ ୱାସ୍ କରିବା ସହ ଖରା ଓ ବର୍ଷାରୁ କୀର୍ତ୍ତିରାଜିକୁ ରକ୍ଷା କରିବାକୁ ବିଭିନ୍ନ ତରଳ ପଦାର୍ଥ ଲେପ ଦେଉଛୁ। ପୂର୍ବରୁ ମନ୍ଦିରରେ ପୂଜା ହେଉନଥିଲା। ଏବେ ମନ୍ଦିରଗୁଡ଼ିକର ସଂରକ୍ଷଣ ପରେ ଶିବଙ୍କୁ ପୂଜା କରାଯାଉଛି। ମନ୍ଦିରର ସୁରକ୍ଷା ପାଇଁ ଭିତରେ ଦୀପ ଜାଳିବାର ଅନୁମତି ନାହିଁ।