ବିଶ୍ୱର ସର୍ବବୃହତ୍ ଡିଜିଟାଲ୍ କ୍ୟାମେରା ୧୦ ଘଣ୍ଟାର ପରୀକ୍ଷଣ ପର୍ଯ୍ୟବେକ୍ଷଣ ପରେ ମହାକାଶର ପ୍ରଥମ ଫଟୋଚିତ୍ର କଏଦ କରିଛି। ସୂଚନାଯୋଗ୍ୟ, ୨୦୧୨ ମସିହାରେ ୩,୨୦୦ ମେଗାପିକ୍ସେଲ୍ ରିଜୋଲ୍ୟୁସନ୍ ବିଶିଷ୍ଟ ଏକ ବିଶାଳ ଆଷ୍ଟ୍ରୋ କ୍ୟାମେରା ନିର୍ମାଣ କରିବା ପାଇଁ ଆମେରିକାର ଶକ୍ତି ବିଭାଗ ଅଧୀନସ୍ଥ ନ୍ୟାସନାଲ୍ ଆକ୍ସିଲରେଟର୍ ଲାବୋରେଟୋରି ଯୋଜନା କରିଥିଲା। ପରେ ଚିଲିର ସେରୋ ପାଚୋନ୍ ଶିଖରସ୍ଥିତ ଭେରା ସି. ରୁବିନ୍ ଅବ୍ଜର୍ଭେଟୋରିରେ ଥିବା ଦୂରବୀକ୍ଷଣ ଭିତରେ ବିଶ୍ୱର ଏହି ବୃହତ୍ତମ ଡିଜିଟାଲ୍ କ୍ୟାମେରା ଖଞ୍ଜାଯାଇଥିଲା।
ଉଲ୍ଲେଖଯୋଗ୍ୟ, ୨୦୨୦ ସୁଦ୍ଧା କ୍ୟାମେରାର ପ୍ରତିଟି ୧୬-ମେଗାପିକ୍ସେଲ୍ ରିଜୋଲ୍ୟୁସନ୍ ବିଶିଷ୍ଟ ଛବିକୁ କଏଦ କରିବାକୁ ସକ୍ଷମ ୧୮୯ଟି ଇମେଜିଂ ସେନ୍ସର୍ ସଂଯୋଜିତ କରାଯାଇଥିଲା ଏବଂ ଏହାର ପ୍ରଥମ ପରୀକ୍ଷଣରୁ ପ୍ରାପ୍ତ ଫଟୋଚିତ୍ର କଏଦ କରାଯାଇଥିଲା। ଗତବର୍ଷ ଇମେଜିଂ ସେନ୍ସର୍ ସଂଖ୍ୟା ୨୦୧କୁ ବୃଦ୍ଧି କରାଯାଇଥିଲା ଏବଂ ଏହାଦ୍ବାରା ଉତ୍ତୋଳିତ ଫଟୋର ପ୍ରତ୍ୟେକ ପିକ୍ସେଲ୍ ୧୦ ମାଇକ୍ରୋନ୍ ଓସାରରେ ଆସିଥିଲା।
ଏହି କ୍ୟାମେରାରେ ଉତ୍ତୋଳିତ ଚିତ୍ରଗୁଡ଼ିକରେ ଅଭୂତପୂର୍ବ ସ୍ପଷ୍ଟତା ଦୃଶ୍ୟମାନ ହୋଇଛି। ମହାକାଶ ଗବେଷଣା ପାଇଁ ଏହା ବେଶ୍ ଉପଯୋଗୀ।
ଏହି କ୍ୟାମେରାର ଫଟୋଉଠା ପ୍ରଣାଳୀକୁ ପ୍ରତି ୨୦ ସେକେଣ୍ଡରେ ଆକାଶର ୧୫-ସେକେଣ୍ଡ ଏକ୍ସପୋଜର୍ ସ୍ନାପ୍ ନେବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଏଥିରୁ ପ୍ରାପ୍ତ ଫଟୋ ଅଲ୍ଟ୍ରା ହାଇ ଡେଫିନେସନ୍ର ହୋଇଥିବା ବେଳେ ଏହାର ଆକାର ମଧ୍ୟ ଅଲ୍ଟ୍ରା ୱାଇଡ୍ ରହିଛି। ମୁଖ୍ୟତଃ ରାତ୍ରିକାଳୀନ ଆକାଶର ଫଟୋ ଉଠାଇବା ଲାଗି ନିର୍ମିତ ଏହି ବିଶାଳ କ୍ୟାମେରାର ଓଜନ ପ୍ରାୟ ୩୦୦୦ କିଲୋଗ୍ରାମ୍ ଏବଂ ଏଥିରେ ଖଞ୍ଜା ଯାଇଥିବା ୩୨୦୦ ମେଗାପିକ୍ସେଲ୍ର ସେନ୍ସର୍ ଅତ୍ୟନ୍ତ ସ୍ପଷ୍ଟ ଫଟୋ ଉତ୍ତୋଳନ କରୁଛି।
ବୈଜ୍ଞାନିକମାନେ ପୂର୍ବରୁ ଶହଶହ ନିୟୁତ ଦୂରରେ ଥିବା ଯେଉଁ ନକ୍ଷତ୍ର ଓ ନୀହାରିକାଗୁଡ଼ିକୁ ଦେଖିପାରୁ ନଥିଲେ, ଏବେ ଏହି କ୍ୟାମେରା ଦ୍ବାରା ତାହାର ଚିତ୍ର ଦେଖିପାରିବେ। ବର୍ତ୍ତମାନ ଏଲ୍ଏସ୍ଏସ୍ଟି(ଲିଗାସି ସର୍ଭେ ଅଫ୍ ସ୍ପେସ୍ ଆଣ୍ଡ୍ ଟାଇମ୍) ଦ୍ବାରା କ୍ୟାମେରାର ପ୍ରଥମ ଚିତ୍ର ପ୍ରକାଶିତ ହୋଇଛି। ଏହା ମହାକାଶର ଯେଉଁ ଫଟୋ କଏଦ୍ କରିଛି ତାହା ବିଶ୍ବର ବୈଜ୍ଞାନିକ ସମୁଦାୟକୁ ଉତ୍ସାହିତ କରିଛି। ଉଚ୍ଚତର ଗବେଷଣା ଲାଗି ଏହା ବାଟ ଫିଟାଇଛି।