ମନୁଷ୍ୟର ମସ୍ତିଷ୍କ ଅତ୍ୟନ୍ତ ଜଟିଳ। ଗର୍ଭଧାରଣ ଠାରୁ ଶିଶୁର ଦ୍ୱିତୀୟ ଜନ୍ମବାର୍ଷିକୀ ପର୍ଯ୍ୟନ୍ତ ଜୀବନର ପ୍ରଥମ ୧,୦୦୦ ଦିନ ଭବିଷ୍ୟତର ବୃଦ୍ଧି ଓ ବିକାଶ ପାଇଁ ଏକ ସୁବର୍ଣ୍ଣ କାଳଖଣ୍ଡ ଭାବେ ପରିଗଣିତ ହୋଇଥାଏ। ଏହି ଅବଧି ମଧ୍ୟରେ ମସ୍ତିଷ୍କର ଶିଖିବା କ୍ଷମତା ଓ ଆଚରଣ ଜୀବନବ୍ୟାପୀ ସ୍ୱାସ୍ଥ୍ୟର ମୂଳଦୁଆ ସ୍ଥାପନ କରେ। ଏହା ଯେଉଁ ବେଗରେ ସଂପାଦିତ ହୁଏ ତାହା ଜୀବନର ପରବର୍ତ୍ତୀ କାଳରେ ପରିଲକ୍ଷିତ ହୁଏ ନାହିଁ। ଏହି ଗୁରୁତ୍ୱପୂର୍ଣ୍ଣ ବର୍ଷଗୁଡ଼ିକରେ ସଠିକ୍ ପୁଷ୍ଟି, ଯତ୍ନ ଓ ଉପଯୁକ୍ତ ପରିବେଶ ବିନା ଶିଶୁର ମସ୍ତିଷ୍କ କ୍ଷତିର ସମ୍ମୁଖୀନ ହୋଇପାରେ, ଯାହା ପ୍ରାୟତଃ ଅପରିବର୍ତ୍ତନୀୟ ଓ ଜୀବନବ୍ୟାପୀ ରହିଥାଏ।

Advertisment

ଏହି ଗଠନାତ୍ମକ ୧୦୦୦ ଦିନରେ ମସ୍ତିଷ୍କ ଦ୍ରୁତ ଗତିରେ ଲକ୍ଷ ଲକ୍ଷ ସ୍ନାୟୁ ସଂଯୋଗ ସ୍ଥାପନ କରେ, ଦୁଇ ବର୍ଷ ବୟସ ସୁଦ୍ଧା ଏହା ବୟସ୍କ ଆକାରର ୮୦% ପର୍ଯ୍ୟନ୍ତ ବଢ଼ିଯାଏ। ଏହି ସମୟରେ ଜ୍ଞାନାତ୍ମକ ଦକ୍ଷତା, ଭାଷା, ଭାବପ୍ରବଣତା ନିୟନ୍ତ୍ରଣ ସହିତ ଅଙ୍ଗ, ହାଡ଼ ଓ ମାଂସପେଶୀ ଦ୍ରୁତ ଗତିରେ ବିକଶିତ ହୋଇଥାଏ। ତେଣୁ ଏହି ପ୍ରକ୍ରିୟା ସୁରୁଖୁରୁରେ ଜାରି ରହିବା ପାଇଁ ପର୍ଯ୍ୟାପ୍ତ ପୁଷ୍ଟି ଅତ୍ୟନ୍ତ ଜରୁରି, ଯାହା ଜୀବନର ପରବର୍ତ୍ତୀ ସମୟରେ ରୋଗର ବିପଦକୁ କମ୍‌ କରିଥାଏ। ଦ୍ରୁତ ଗତିରେ ବିକାଶଶୀଳ ମସ୍ତିଷ୍କକୁ ପର୍ଯ୍ୟାପ୍ତ ଶକ୍ତି ଏବଂ ପ୍ରୋଟିନ୍‌, ଲୌହସାର ଓ ଅତ୍ୟାବଶ୍ୟକ ଭିଟାମିନ୍‌ ଜରୁରି। ବେଳେବେଳେ ପ୍ରାୟତଃ ଦାରିଦ୍ର୍ୟର ପରିଣାମ ସ୍ବରୂପ ନିରାପଦ, ପୁଷ୍ଟିକର ଖାଦ୍ୟର ଅଭାବ ଆଦି କୁପୋଷଣର କାରଣ ହୋଇପାରେ। ଏହା ମସ୍ତିଷ୍କକୁ ଅତ୍ୟାବଶ୍ୟକ ବିକାଶରୁ କେବଳ ବଞ୍ଚିତ କରେ ନାହିଁ, ବରଂ ସ୍ଥାୟୀ କ୍ଷତି ମଧ୍ୟ ସୃଷ୍ଟି କରିଥାଏ, ଯାହା ପିଲାର ଶିଖିବା ଓ ଉନ୍ନତି କରିବାର ସମ୍ଭାବନାକୁ ବାଧିତ କରେ ଏବଂ ପରବର୍ତ୍ତୀ ବର୍ଷଗୁଡ଼ିକରେ ପୃଥୁଳତା ଓ ମଧୁମେହ ଭଳି ଦୀର୍ଘସ୍ଥାୟୀ ରୋଗ ଆଣିଥାଏ।

ଦୁଇ ବର୍ଷ ବୟସ ସୁଦ୍ଧା ମସ୍ତିଷ୍କ ବୟସ୍କ ଆକାରର ୮୦% ପର୍ଯ୍ୟନ୍ତ ବଢ଼ିଯାଏ। ତେଣୁ ଏହି ସମୟରେ ପର୍ଯ୍ୟାପ୍ତ ପୁଷ୍ଟି ସମେତ ଆବେଗପୂର୍ଣ୍ଣ ଯତ୍ନ ଓ ସୁରକ୍ଷିତ ପରିବେଶ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ

ବିଶେଷ କରି ଭ୍ରୂଣ ବିକାଶ ସମୟରେ ପର୍ଯ୍ୟାପ୍ତ ଅମ୍ଳଜାନ ଓ ପ୍ରସବ ସମୟରେ ଉପଯୁକ୍ତ ତଥା ସମୟୋପଯୋଗୀ ଅମ୍ଳଜାନ ମସ୍ତିଷ୍କର ଗଠନ ଏବଂ ପରବର୍ତ୍ତୀ ସମୟରେ ଏହାର କାର୍ଯ୍ୟକାରିତା ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସୁସ୍ଥ ମସ୍ତିଷ୍କ ବିକାଶ ପାଇଁ ଖାଦ୍ୟ ବ୍ୟତୀତ ଆବେଗପୂର୍ଣ୍ଣ ଯତ୍ନ ସାଙ୍ଗକୁ ଏକ ସୁରକ୍ଷିତ ପରିବେଶ ମଧ୍ୟ ସମାନ ଭାବରେ ଆବଶ୍ୟକ। କଥାବାର୍ତ୍ତା, ଖେଳିବା ଓ ପିଲାର ସାଙ୍କେତିକ ପ୍ରତିକ୍ରିୟା ଦେବା ଭଳି ସରଳ କାର୍ଯ୍ୟ ସ୍ନାୟୁଗତ ପଥକୁ ଉତ୍‌ପ୍ରେରିତ କରିବାରେ ସାହାଯ୍ୟ କରେ, ଯାହା ଆବେଗାତ୍ମକ ସୁରକ୍ଷା ଓ ସାମାଜିକ ଦକ୍ଷତା ବୃଦ୍ଧି କରେ। ଏକ ସ୍ୱଚ୍ଛ ସୁରକ୍ଷିତ ପରିବେଶ ଶିଶୁକୁ ସଂକ୍ରମଣ ଓ କ୍ଷତିକାରକ ବିଷାକ୍ତ ପଦାର୍ଥରୁ ରକ୍ଷା କରୁଥିବା ବେଳେ ଟିକାକରଣ ଓ ନିୟମିତ ସ୍ବାସ୍ଥ୍ୟ ପରୀକ୍ଷା ଆଦି ଉଭୟ ଶାରୀରିକ ଓ ଜ୍ଞାନାତ୍ମକ ବିକାଶକୁ ସମର୍ଥନ କରେ। ଅନ୍ୟପକ୍ଷରେ ପ୍ରଦୂଷଣ, ପାରିବାରିକ ଚାପ ଓ ଅସୁରକ୍ଷିତ ଜୀବନଯାପନ ଭଳି ପ୍ରତିକୂଳ କାରଣ ମସ୍ତିଷ୍କ ଓ ଶରୀର ବିକାଶରେ ବାଧା ଉପୁଜାଏ।