ହଲାଣ୍ଡ୍ ଆମେରିକା ଲାଇନ୍ ନାମକ ସାମୁଦ୍ରିକ ଭ୍ରମଣ କମ୍ପାନି ପ୍ରଥମ ଥର ପାଇଁ ପର୍ଯ୍ୟଟକମାନଙ୍କୁ ଦକ୍ଷିଣ ମେରୁରୁ ଉତ୍ତର ମେରୁ ପର୍ଯ୍ୟନ୍ତ ବିଳାସପୂର୍ଣ୍ଣ ଜଳଯାତ୍ରାରେ ନେଇଯିବାର ପରିକଳ୍ପନା କରିଛି। ଦୀର୍ଘ ୧୩୩ ଦିନର ଯାତ୍ରା ଭିତରେ ପର୍ଯ୍ୟଟକମାନେ ୬୮ଟି ବନ୍ଦରରେ ରହଣି କରିବା ସହ ୫ଟି ମହାଦେଶ ଅନ୍ତର୍ଗତ ୨୮ଟି ଦେଶର ସୌନ୍ଦର୍ଯ୍ୟ ମଧ୍ୟ ଉପଭୋଗ କରିପାରିବେ। ତେବେ ଏହି ଯାତ୍ରାର ଯାବତୀୟ ରୂପରେଖ ଚୂଡ଼ାନ୍ତ ହୋଇଥିବା ବେଳେ ଏହା ୨୦୨୫ ମସିହା ଜାନୁଆରି ୨୫ ତାରିଖରେ ଯାତ୍ରାରମ୍ଭ କରିବ ବୋଲି ଜଣାଯାଇଛି।
‘ବୋଲେନ୍ଦମ୍’ ନାମକ ପ୍ରାୟ ୧୦୬ ଫୁଟ ଦୀର୍ଘ ଏକ ବିଳାସପୂର୍ଣ୍ଣ ଜାହାଜରେ ଯାତ୍ରୀମାନଙ୍କ ପାଇଁ ସମସ୍ତ ପ୍ରକାର ସୁବିଧା ଉପଲବ୍ଧ ହେବ। ଉତ୍ତର ଆମେରିକା ଅନ୍ତର୍ଗତ ଫ୍ଲୋରିଡାର ଫୋର୍ଟ ଲୌଡରଡେଲରୁ ଯାତ୍ରା ଆରମ୍ଭ କରିବାକୁ ଥିବା ଏହି ଜାହାଜ ଦକ୍ଷିଣ ଆମେରିକାର ପଶ୍ଚିମ ଉପକୂଳ ଅତିକ୍ରମ କଲା ପରେ ପାନାମା କେନାଲ ବାଟେ ଆଣ୍ଟାର୍କଟିକାରେ ପେଙ୍ଗୁଇନଙ୍କ ଗହଣରେ ପହଞ୍ଚିବ। ସେଠାରୁ ଉତ୍ତରମୁହାଁ ହୋଇ ଆର୍ଜେଣ୍ଟିନା ଓ ବ୍ରାଜିଲ ଦେଇ ଆମାଜନ ନଦୀରେ ଯାତ୍ରା ବଜାୟ ରଖି ଆଟଲାଣ୍ଟିକ ମହାସାଗର ବାଟେ ଆଫ୍ରିକାରେ ପହଞ୍ଚିବ। ସେଠାରୁ ଉତ୍ତର ୟୁରୋପ ବାଟେ ଆଇସଲାଣ୍ଡ ଓ ଗ୍ରିନଲାଣ୍ଡରେ ତୁନ୍ଦ୍ରା ଭାଲୁଙ୍କ ସମାଗମକୁ ଉପଭୋଗ କରି ପୁଣି ପ୍ରାରମ୍ଭ ସ୍ଥଳ ଉତ୍ତର ଆମେରିକାକୁ ଫେରି ଆସିବ। ଏଥିପାଇଁ ଯାତ୍ରୀ ଭଡ଼ା ୮,୮୦୦ ଡଲାର ରଖାଯାଇଛି ଏବଂ ଆଗ୍ରହୀ ତଥା ଉତ୍ସାହୀ ଯାତ୍ରୀମାନେ ୨୦୨୪ ଜୁନ୍ ୩ ପୂର୍ବରୁ ନିଜର ସ୍ଥାନ ନିଶ୍ଚିତ କରାଇଲେ ଆନୁଷଙ୍ଗିକ ଔପଚାରିକତା ସଂପୂର୍ଣ୍ଣ କରାଯିବ ବୋଲି କମ୍ପାନି ପକ୍ଷରୁ କୁହାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/04/2-26.jpg)